/odishatv-khabar/media/media_files/2026/02/13/pankoddhara-ekadashi-2026-02-13-16-22-02.png)
କାହିଁକି ହୁଏ ପଙ୍କୋଦ୍ଧାର ଏକାଦଶୀ Photograph: (OTV)
ଫଗୁଣ ମାସ କୃଷ୍ଣପକ୍ଷ ଏକାଦଶୀ ତିଥିକୁ ପଙ୍କୋଦ୍ଧାର ଏକାଦଶୀ (Pankoddhar Ekadashi) ଭାବେ ପାଳନ କରାଯାଏ। ଏହି ତିଥିରେ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ପୁରୀ ଜିଲାରେ ଅବସ୍ଥିତ ଶ୍ରୀଲୋକନାଥ ମନ୍ଦିରରେ ବାବା ଶ୍ରୀଲୋକନାଥଙ୍କ ଖୋଲା ଦର୍ଶନ ମିଳିଥାଏ। ମହାଶିବରାତ୍ରୀର ପ୍ରସ୍ତୁତି ପାଇଁ ଏକାଦଶୀ ତିଥିରେ ବାବା ଶ୍ରୀଲୋକନାଥଙ୍କ ମନ୍ଦିର ଗର୍ଭଗୃହରୁ ପଙ୍କ ଉଦ୍ଧାର ହେବାର ବିଧି ରହିଛି। ଏଠାରେ ବର୍ଷସାରା ଲୋକନାଥଙ୍କ ଶ୍ରୀଲିଙ୍ଗ ପାଣି ଭିତରେ ବୁଡ଼ି ରହିଥିବା ଗର୍ଭଗୃହରୁ ଏହିଦିନ ଜଳ ନିଷ୍କାସନ କରାଯିବା ସହିତ ପଙ୍କ ଉଦ୍ଧାର କରାଯାଏ। ମନ୍ଦିର ପତ୍ତନଠାରୁ ପ୍ରାୟ ୧୦ ଫୁଟ ତଳେ ପୂଜା ପାଉଥିବା ଏହି ଶିବଲିଙ୍ଗ ବର୍ଷସାରା ଜଳମଗ୍ନ ହୋଇ ରହିଥାନ୍ତି। ବର୍ଷସାରା ଭକ୍ତମାନେ ଅର୍ପଣ କରିଥିବା କ୍ଷୀର, ଫୁଲ, ବେଲପତ୍ର ଓ ଅନ୍ୟାନ୍ୟ ପୂଜା ସାମଗ୍ରୀ ସବୁ ପଚି ପଙ୍କରେ ଭରି ଯାଇଥାଏ। ତେଣୁ ଏହି ଏକାଦଶୀ ତିଥିରେ ପଙ୍କୋଦ୍ଧାର ହେବା ପରେ ମହାଶିବରାତ୍ରି ମହୋତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥାଏ।
ପଙ୍କୋଦ୍ଧାର ଏକାଦଶୀର ବିଶେଷତ୍ୱ ହେଉଛି ବର୍ଷ ତମାମ ପାଣିରେ ବୁଡ଼ି ରହୁଥିବା ବାବା ଲୋକନାଥଙ୍କ ଶିବଲିଙ୍ଗକୁ ଭକ୍ତମାନେ ପ୍ରତ୍ୟକ୍ଷ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି। ଭକ୍ତମାନେ ଏହି ଦିନ ଶ୍ରୀଲୋକନାଥଙ୍କ ଶକ୍ତିକୁ ଦର୍ଶନ କରି ଅପାର କରୁଣା ଲାଭ କରିବା ସହ ଦୁରାରୋଗ୍ୟ ବ୍ୟାଧିରୁ ରକ୍ଷା ପାଆନ୍ତି ବୋଲି ଧର୍ମ ବିଶ୍ୱାସ ରହିଛି। ଭକ୍ତଙ୍କ ପ୍ରତ୍ୟକ୍ଷ ଦର୍ଶନ ପରେ ପୁଣି ଥରେ ବାବା ଲୋକନାଥଙ୍କ ଶକ୍ତି ଗର୍ଭଗୃହ ପାଣି ଝରରେ ବୁଡ଼ି ଯାଇଥାଏ।
କିମ୍ୱଦନ୍ତୀରେ ଲୋକନାଥ ମନ୍ଦିର
ପୁରୀ ଜିଲାରେ ଅବସ୍ଥିତ ଶ୍ରୀଲୋକନାଥ ମନ୍ଦିର ଶ୍ରୀଜଗନ୍ନାଥ ମନ୍ଦିରର ପଶ୍ଚିମରେ ପ୍ରାୟ ୨ କି.ମି ଦୂରତାରେ ଅବସ୍ଥିତ। କୁହାଯାଏ ଯେ ଶ୍ରୀଲୋକନାଥ ପଞ୍ଚୁପାଣ୍ଡବଙ୍କ ମଧ୍ୟରେ ଭୀମ ରୂପରେ କଳ୍ପିତ। ମନ୍ଦିରଟି ପ୍ରାୟ ୧୦ ଏକର ପରିମିତ ଜମିରେ ପାଚେରି ଦ୍ବାରା ପରିବେଷ୍ଟିତ। ସମ୍ମୁଖରେ ପାର୍ବତୀ ସାଗର ନାମକ ଏକ ବଡ଼ ପୋଖରୀ ମଧ୍ୟ ରହିଛି। ଲୋକ ବିଶ୍ଵାସ ଅନୁଯାୟୀ ଏହି ପୋଖରୀ ଶ୍ରୀକ୍ଷେତ୍ରର ପୁରୁଣା ପୋଖରୀ ମାନଙ୍କ ମଧ୍ୟରୁ ଅନ୍ୟତମ। କିମ୍ୱଦନ୍ତୀ ରହିଛି ଯେ ତ୍ରେତୟା ଯୁଗରେ ଶ୍ରୀରାମଚନ୍ଦ୍ରଙ୍କ ବନବାସ ସମୟରେ ତାଙ୍କୁ ବାଟରେ ଭେଟିଥିବା ଲୋକେ ଦେଇଥିବା ଏକ ଲାଉକୁ ଏଠାରେ ଶିବଲିଙ୍ଗ ରୂପେ ପୂଜା କରିଥିଲେ। ପରବର୍ତ୍ତୀ ସମୟରେ ଏହା ଲାଉକେଶ୍ବର ରୂପେ ପୂଜିତ ହେଲେ। ଲାଉକେଶ୍ବର ହିଁ ଜନମାନସରେ ଲୋକମାନଙ୍କ ନାଥ ବା ଲୋକନାଥ ମହାଦେବ ଭାବେ ପରିଚିତ ହୋଇଆସିଛନ୍ତି।
ଲୋକନାଥ ମନ୍ଦିରର ପର୍ବପର୍ବାଣୀ
ପ୍ରଭୁ ଲୋକନାଥଙ୍କ ମନ୍ଦିରରେ ପଙ୍କୋଦ୍ଧାର ଏକାଦଶୀ ବ୍ୟତୀତ ଅନ୍ୟ କେତେକ ବିଶେଷ ପର୍ବପର୍ବାଣି ଖୁବ ଉତ୍ସାହର ସହିତ ପାଳନ କରାଯାଏ। ମହାଶିବରାତ୍ରୀ ଦିନ ଏହିି ପୀଠକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଉଜାଗର ରହିଛି ଭକ୍ତମାନେ ଜାଗର ଜାଳିଥାନ୍ତି। ରାଜ୍ୟ ତଥା ରାଜ୍ୟ ବାହାର ଶ୍ରଦ୍ଧାଳୁ ଏଥିରେ ଯୋଗଦିଅନ୍ତି। ବୈଶାଖ ମାସର ଶେଷ ସୋମବାର ଏଠାରେ ସରନ୍ତି ସୋମବାର ମେଳା ଅନୁଷ୍ଠିତ ହୁଏ। ଓଡ଼ିଶାର ଗ୍ରାମାଞ୍ଚଳରୁ ବହୁ ସଂଖ୍ୟକ ଭକ୍ତ ପୀଠରେ ପହଞ୍ଚି ନୂଆ ଧାନରେ ତିଆରି ଚୂଡ଼ାଘଷା ଠାକୁରଙ୍କୁ ଭୋଗ ଲଗାଇଥାନ୍ତି। ସେହିପରି ଶ୍ରାବଣ ମାସର ସବୁ ସୋମବାର ଭାରତର ବିଭିନ୍ନ ସ୍ଥାନରୁ ପବିତ୍ର ନଦୀଜଳ ଧରି ପାଦରେ ଚାଲି ଚାଲି କାଉଡ଼ିଆମାନେ ଲୋକନାଥଙ୍କ ଜଳାଭିଷେକ ପାଇଁ ପୀଠରେ ପହଞ୍ଚିଥାନ୍ତି। ବିଶେଷ ପର୍ବ ଭାବେ ଶ୍ରୀଲୋକନାଥ ମନ୍ଦିରରେ ଶମ୍ଭୁ ଏକାଦଶୀ ପାଳନ କରାଯାଏ। ସୋମବାର ଦିନ ଏକାଦଶୀ ପଡ଼ିଲେ ଶମ୍ଭୁ ଏକାଦଶୀ ହୁଏ ।ଶ୍ରୀଲୋକନାଥ ଚନ୍ଦନ ଯାତ୍ରାରେ ସାମିଲ ହୋଇ ପବିତ୍ର ନରେନ୍ଦ୍ର ପୋଖରୀରେ ମହାପ୍ରଭୁଙ୍କ ସହ ଜଳକ୍ରୀଡ଼ା କରିଥାନ୍ତି। ପୀଠରେ ଦୈନନ୍ଦିନ ଦ୍ବାରଫିଟା, ମଙ୍ଗଳ ଆଳତି, ବଲ୍ଲଭ, ସକାଳଧୂପ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଧୂପ, ବଡ଼ସିଂହାର ନୀତି ସମ୍ପନ୍ନ ହୋଇଥାଏ। ପ୍ରତ୍ୟେକ ଦିନ ଶହ ଶହ ସଂଖ୍ୟାରେ ଭକ୍ତ ପ୍ରଭୁ ଲୋକନାଥଙ୍କ ଦର୍ଶନ ପାଇଁ ଆସିଥାନ୍ତି।
ବିଜୟା ଏକାଦଶୀ
ଏହି ଫାଲଗୁନ ମାସ କୃଷ୍ଣପକ୍ଷ ଏକାଦଶୀ ତିଥିକୁ ବିଜୟା ଏକାଦଶୀ ମଧ୍ୟ କୁହାଯାଏ। ଏହି ଏକାଦଶୀ ବ୍ରତ କରିବା ଦ୍ୱାରା ପୂର୍ବ ଜନ୍ମର ପାପରୁ ମୁକ୍ତି ମିଳିଥାଏ ବୋଲି ବିଶ୍ଵାସ ରହିଛି। ହିନ୍ଦୁ ଶାସ୍ତ୍ର ଅନୁସାରେ ଏହି ଏକାଦଶୀ ତିଥିକୁ ସବୁଠୁ ପୁରୁଣା ଏକାଦଶୀ ଏକାଦଶୀ ବୋଲି କୁହାଯାଏ। ପଦ୍ମ ପୁରାଣ ଅନୁସାରେ ସ୍ୱୟଂ ମହାଦେବ ଦେବର୍ଷି ନାରଦଙ୍କୁ ଏହି ଏକାଦଶୀ କରିବାକୁ ଉପଦେଶ ଦେଇଥିଲେ। ଏହି ଏକାଦଶୀ କରିବା ଦ୍ୱାରା ବହୁତ ପୁଣ୍ୟ ମିଳିଥାଏ। ଏହି ବ୍ରତ କରୁଥିବା ବ୍ୟକ୍ତିଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳେ ଓ ପୂର୍ବ ଜନ୍ମରୁ ଆରମ୍ଭ କରି ଏହି ଜନ୍ମ ପର୍ଯ୍ୟନ୍ତ ସମସ୍ତ ପାପରୁ ମୁକ୍ତି ମିଳିଥାଏ।
ଏକାଦଶୀର କାହାଣୀ
ପଦ୍ମପୁରାଣ’ରେ ବ୍ରହ୍ମାଙ୍କ ଅନୁସାରେ, ଏହି ଏକାଦଶୀ ପାପନାଶିନୀ। ଏହି ବ୍ରତ ପାଳନ କଲେ ରାଜା ବିଜୟୀ ହୁଅନ୍ତି | ଚଉଦବର୍ଷର ବନବାସ କାଳରେ, ରାବଣ ସୀତାଙ୍କୁ ଅପହରଣ କରି ନେଇଥିଲା। ଯେତେବେଳେ ଲଙ୍କାପୁରୀରେ ସୀତା ଥିବାର ସନ୍ଧାନ ମିଳିଲା, ସେତେବେଳେ ରାମ କହିଲେ- ସମୁଦ୍ର ଅଗାଧ ଓ ନାନା ଜଳଜନ୍ତୁରେ ଭରା। ତାହା ଲଙ୍ଘନ କରିବାର କୌଣସି ଉପାୟ ଦେଖାଯାଉ ନାହିଁ। ସେତେବେଳେ ଲକ୍ଷ୍ମଣ ତାଙ୍କୁ କହିଥିଲେ- ଆପଣ ତ ପୁରୁଷୋତ୍ତମ ସବୁ ଆପଣଙ୍କୁ କେଉଁ କଥା ଅବା ଅଜଣା। ତେବେ ଏହି ବଣରେ ବକଦାଲଭ୍ୟ ମୁନିଙ୍କର ଆଶ୍ରମ ଅଛି ଆପଣ ତାଙ୍କୁ ପଚାରିଲେ, ସେ ଏହାର ଉପାୟ କହି ଦେଇପାରିବେ ।ଏକଥା ଶୁଣି ଶ୍ରୀରାମ ଯାଇ ଦାଲଭ୍ୟ ମୁନିଙ୍କ ଆଶ୍ରମରେ ପହଞ୍ଚିଲେ ଦାଲଭ୍ୟ ମୁନି ଜାଣିଥିଲେ, ସେ ହିଁ ନାରାୟଣ ସ୍ୱରୂପ ରାମ| ବିଶେଷ କାରଣରୁ ହିଁ ସେ ମର୍ତ୍ତ୍ୟରେ ଜନ୍ମ ହୋଇଛନ୍ତି। ତେଣୁ ତାଙ୍କୁ ପ୍ରଣାମ ଓ ସାଦର ସତ୍କାର କରି ତାଙ୍କ ଆସିବାର କାରଣ ପଚାରିଲେ | ଶ୍ରୀରାମ ତାଙ୍କୁ ସବୁକଥା କହିବା ପରେ ସେ କହିଲେ- ହେ କମଳଲୋଚନ ଶ୍ରୀରାମ! ଆପଣ ଏପରି ଏକ ସର୍ବୋତ୍ତମ ବ୍ରତ କରନ୍ତୁ, ଯାହା ଫଳରେ ଆପଣ ବିଜୟୀ ହେବେ। ତାହା ଫଳରେ ଏହି ଅଲଙ୍ଘ୍ୟ ସାଗର ମଧ୍ୟ ପାର ହୋଇପାରିବେ। ମୁନି ତାଙ୍କୁ ବ୍ରତପାଳନର ବିଧି ମଧ୍ୟ ବତାଇ ଦେଲେ।
ବ୍ରତ ପାଳନର ବିଧି
ସୁନା, ରୁପା, ତମ୍ବା ବା ମାଟିର ଏକ ପାତ୍ର ନେଇ, ସେଥିରେ ଜଳ ଭରି, ଆମ୍ବଡାଳ ଦେଇ ଏକ କଳସ ପ୍ରସ୍ତୁତ କରିବାକୁ ହୁଏ। ସେହି କଳସକୁ ସପ୍ତଧାନ୍ୟ ଉପରେ ସ୍ଥାପନ କରାଯାଏ। ତା' ଉପରେ ନାରାୟଣଙ୍କର ଏକ ପ୍ରତିମା ସ୍ଥାପନ କରାଯାଇଥାଏ। ଏକାଦଶୀ ଦିନ ସକାଳୁ ଗାଧୋଇ ସାରି ସେହି କଳସକୁ ଫୁଲ ଓ ଚନ୍ଦନ ଆଦିର ଲେପନରେ ସୁଶୋଭିତ କରି ଗୁଆ ବା ନଡ଼ିଆ ଦେଇ ତାଙ୍କୁ ଧୂପ, ଦୀପ, ନୈବେଦ୍ୟ ଆଦିରେ ପୂଜା କରାଯାଏ। ଅଖଣ୍ଡ ଦୀପ ପ୍ରଜ୍ବାଳନ କରି, ତାହା ସମ୍ମୁଖରେ ସତ୍ୟକଥା ଆଦି ସ୍ମରଣ କରି ଦିନ ବିତାଯାଏ। ରାତିରେ ଉଜାଗର ରହିବାକୁ ହୁଏ। ଦ୍ବାଦଶୀ ଦିନ ସକାଳୁ ତାହାକୁ ନେଇ ପୋଖରୀ ବା ନଦୀ କୂଳରେ ସ୍ଥାପନା କରି ପୂଜା କରାଯାଏ। ନାରାୟଣଙ୍କ ମୂର୍ତ୍ତି ସହିତ ସେହି କଳସକୁ ବେଦଜ୍ଞ ବ୍ରାହ୍ମଣଙ୍କୁ ଦାନ କରାଯାଏ।
ଶ୍ରୀରାମ ଏହି ବିଧିରେ ଏକାଦଶୀ ବ୍ରତ ପାଳନ କଲେ ଏବଂ ଲଙ୍କା ବିଜୟ କଲେ। ତେଣୁ ଏହାର ନାମ ‘ବିଜୟା’ ଏକାଦଶୀ। ଏହା ପାଳନ କଲେ ଇହଲୋକରେ ମନୁଷ୍ୟମାନେ ବିଜୟୀ ହେବା ସହିତ ପରଲୋକରେ ବୈକୁଣ୍ଠ ଲାଭ କରନ୍ତି।
High Court Order: ୩ ମାସରେ ରତ୍ନଭଣ୍ଡାର ଗଣତି ମଣତି ସାର; ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ

Anil Kapoor Returns With Powerful Action: ୬୯ ବର୍ଷରେ ଆକ୍ସନ୍; ଟିଜରରେ ଦେଖାଗଲା ଭାବନା ଓ ଆକ୍ସନର ଭୟଙ୍କର ମିଶ୍ରଣ

Theft Gang Caught: କେବେ ମନ୍ଦିର ତ ଆଉ କେବେ ଅଳଙ୍କାର ଦୋକାନରୁ ଚୋରି, ଧରା ପକାଇଦେଲା ଟିପଚିହ୍ନ

Kharge Demands Probe Dalit Anganwadi Discrimination: ରାଜ୍ୟସଭାରେ ଉଠିଲା ଓଡ଼ିଶାରେ ଜାତିଗତ ଭେଦଭାବର କୁତ୍ସିତ ମାନସିକତା, ତଦନ୍ତ କରିବାକୁ ଖଡ଼ଗେଙ୍କ ଦାବି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)