Advertisment

Putrada Ekadashi: ପୁତ୍ରଦା ଏକାଦଶୀର ମହତ୍ତ୍ୱ, ବ୍ରତ ପାଳିଲେ ମିଳିଥାଏ ଏହି ଫଳ

ପୁତ୍ରଦା ଏକାଦଶୀ ବ୍ରତ ପାଳିଲେ ମିଳିଥାଏ ଏହି ଫଳ। ରାଜାଙ୍କ ପୂର୍ବ ଜନ୍ମର କର୍ମ ପାଇଁ ପାଇଲେ ଏହି ଫଳ, ପାଳିଲେ ଏହି ଏକାଦଶୀ ବ୍ରତ। ପୁତ୍ର ସୁଖ ପାଇଁ ପୁତ୍ରଦା ଏକାଦଶୀ ।

Putrada Ekadashi

Putrada Ekadashi Photograph: (OTV)

Advertisment

ହିନ୍ଦୁମାନଙ୍କର ଏକ ପବିତ୍ର ବ୍ରତ ଏକାଦଶୀ । ସାଧାରଣତଃ ବ୍ରାହ୍ମଣଘରର ବିଧବାମାନେ ଚବିଶ ଏକାଦଶୀ ପାଳିବା ବାଧ୍ୟତାମୂଳକ ଅଟେ । ଏହା ବ୍ୟତୀତ ଶାସ୍ତ୍ର  ଦୃଷ୍ଟିରୁ ମଧ୍ୟ  ସମଗ୍ର ଭାରତରେ ଏକାଦଶୀ ଏକ ପ୍ରମୁଖ ସାର୍ବଜନୀନ ବ୍ରତର ମାନ୍ୟତା ପାଇଛି । ଜୀବଦଶାରେ ଜାଣତରେ ହେଉବା ଅଜାଣତରେ କରିଥିବା ପାପକୁ ନଷ୍ଟ କରି ପରଜନ୍ମ ପାଇଁ ପୁଣ୍ୟ ସଞ୍ଚୟ କରିବା ଆମର  ଏହି ଧାର୍ମିକ ପରମ୍ପରାର ମହାନ ଉଦ୍ଦେଶ୍ୟ । 

Advertisment

ପୁତ୍ରଦା ଏକାଦଶୀ -

ପ୍ରତିମାସର ଦୁଇଟି ଏକାଦଶୀ ଏବଂ ସାରା ବର୍ଷର ୨୪ଟି ଏକାଦଶୀ ଭଗବାନ ବିଷ୍ଣୁଙ୍କର ଶ୍ରେଷ୍ଠ ବ୍ରତ। ‘ପଦ୍ମପୁରାଣ’ରେ ଯୁଧିଷ୍ଠିରଙ୍କ ପ୍ରଶ୍ନରେ ଶ୍ରୀକୃଷ୍ଣ କହିଛନ୍ତି– ଯେପରି ନାଗମାନଙ୍କ ମଧ୍ୟରେ ଶେଷନାଗ ଶ୍ରେଷ୍ଠ, ଯେପରି ପକ୍ଷୀମାନଙ୍କ ମଧ୍ୟରେ ଗରୁଡ଼ ଶ୍ରେଷ୍ଠ, ଯେପରି ଦେବତାମାନଙ୍କ ମଧ୍ୟରେ ବିଷ୍ଣୁ ଶ୍ରେଷ୍ଠ  ସେହିପରି ବ୍ରତମାନଙ୍କ ମଧ୍ୟରେ ଏକାଦଶୀ ଶ୍ରେଷ୍ଠ । 

ପ୍ରତି ମାସ ପରି ପୌଷ ମାସରେ ମଧ୍ୟ ଦୁଇଟି ଏକାଦଶୀ ହୋଇଥାଏ। ପୌଷ କୃଷ୍ଣ ଏକାଦଶୀ ‘ସଫଳା’ ଏକାଦଶୀ ଏବଂ ପୌଷ ଶୁକ୍ଳ ଏକାଦଶୀ ‘ପୁତ୍ରଦା’ ଏକାଦଶୀ।

Advertisment

ରାଜା ମହୀଜିତଙ୍କ କଥା -

ପ୍ରାଚୀନ କାଳର କଥା। ମାହିଷ୍ମତୀପୁର ନାମରେ ଗୋଟିଏ ରାଜ୍ୟ ଥିଲା । ସେ ରାଜ୍ୟରେ ମହୀଜିତ୍ ନାମରେ ଜଣେ ରାଜା ରାଜୁତି କରୁଥିଲେ। ରାଜା ଯେମିତି ଧାର୍ମିକ ସେମିତି ପ୍ରଜାବତ୍ସଳ ବି। ସେଥିପାଇଁ ତାଙ୍କ ରାଜ୍ୟର ସବୁଠି  ସୁଖ, ଶାନ୍ତି ଭରି ରହିଥିଲା। କିନ୍ତୁ ନିଜେ ରାଜା ବହୁତ ଦୁଃଖିତ ଥିଲେ। କାରଣ ସେ ଥିଲେ ନିଃସନ୍ତାନ।
ଦିନେ ରାଜା ତାଙ୍କ ମନର ଦୁଃଖ ପ୍ରଜାଙ୍କ ପ୍ରଜାଙ୍କ ପାଖରେ ଜଣାଇଲେ। ସେ ରାଜ୍ୟର ପ୍ରଜାମାନେ ରାଜାଙ୍କୁ ବହୁତ ଭଲପାଉଥିଲେ। ତେଣୁ ରାଜାଙ୍କ ମନରୁ ଦୁଃଖ ଦୂର କରିବା ପାଇଁ ବ୍ରାହ୍ମଣମାନଙ୍କ ନେତୃତ୍ୱରେ ସେମାନେ ଅରଣ୍ୟକୁ ଯାଇ ତପସ୍ୟା କରିବାକୁ ସ୍ଥିର କଲେ। ଅରଣ୍ୟ ମଧ୍ୟରେ ଯାଉଯାଉ ସେମାନେ ଲୋମଶ ମୁନିଙ୍କ ଆଶ୍ରମରେ ପହଞ୍ଚିଲେ। ଲୋମଶ ମୁନି ଥିଲେ ତ୍ରିକାଳଦର୍ଶୀ, ଜ୍ଞାନୀ ଓ ଶ୍ରେଷ୍ଠଦୀର୍ଘାୟୁ ମହାତ୍ମା। କୁହାଯାଏ ଯେ ପ୍ରତ୍ୟେକ କଳ୍ପର ଅନ୍ତରରେ ତାଙ୍କ ଶରୀରରୁ ଏକ ଲୋମ ଝଡ଼ିଥାଏ। ସେଥିପାଇଁ ତାଙ୍କ ନାଆଁ ଲୋମଶ। 

ଏତେ ଲୋକଙ୍କୁ ଅରଣ୍ୟ ଭିତରେ ଏକାଠି ଦେଖି ଋଷି ଲୋମଶ ଆଶ୍ଚର୍ଯ୍ୟ ହେଲେ ଏବଂ ସେମାନଙ୍କର ଆସିବାର ଉଦ୍ଦେଶ୍ୟ ପଚାରିଲେ । ପ୍ରଜାମାନେ ଯେତେବେଳେ ତାଙ୍କୁ ନିଜ ରାଜାଙ୍କ ଦୁଃଖ ଜଣାଇଲେ ସେତେବେଳ ଋଷି ତାଙ୍କୁ ଆଶ୍ୱାସନା ଦେଇ ମହାରାଜ ମହୀଜିତଙ୍କ ପୂର୍ବଜନ୍ମ କଥା କହିଲେ।

Advertisment

ରାଜାଙ୍କ ପୂର୍ବଜନ୍ମ-

ମହାରାଜ ମହୀଜିତ ପୂର୍ବଜନ୍ମରେ ଜଣେ ବୈଶ୍ୟ ଥିଲେ। ଗାଁ ଗାଁ ବୁଲି ସେ ବେପାର କରୁଥିଲେ। ଖରାଦିନ ଥିଲା। ଦିନେ ବୁଲୁବୁଲୁ ତାଙ୍କୁ ଶୋଷ ଲାଗିଲା। ସେ ଗୋଟେ ପୋଖରୀ ଦେଖି  ସେଠାକୁ ପାଣି ପିଇବାକୁ ଗଲେ। ସେହି ସମୟରେ ଶୋଷରେ ଆତୁର ହୋଇ ଗାଈଟିଏ ସେହି ପୋଖରି ତୁଠରେ ତା ବାଛୁରୀକୁ ପାଣି ପିଆଉଥିଲା। ବୈଶ୍ୟ ନିଜେ ପାଣି ପିଇବାପାଇଁ ଗାଈବାଛୁରୀ ଦୁହିଁଙ୍କୁ ସେଠାରୁ ଘଉଡ଼ାଇ ଦେଲେ। ସେହି ପାପ ଫଳରେ ଏ ଜନ୍ମରେ ସେ ଧାର୍ମିକ ହେଲେ ମଧ୍ୟ ଅପୁତ୍ରକ ହୋଇଛନ୍ତି। 

ରାଜାଙ୍କ ସନ୍ତାନ ଲାଭ-

ରାଜା କିପରି ସନ୍ତାନ ଲାଭ କରିବେ ଏବଂ ତାଙ୍କର ଦୁଃଖ ଦୂର ହେବ, ପ୍ରଜାମାନେ ଆତୁର ହୋଇ ସେକଥା ଲୋମଶଙ୍କୁ ପଚାରିବାରୁ, ଋଷି କହିଲେ, “ତୁମେମାନେ ଯଦି ରାଜାଙ୍କର ଦୁଃଖ ଦୂର କରିବାକୁ ଚାହଁ, ତେବେ ପୌଷ ମାସ ଶୁକ୍ଳପକ୍ଷରେ ପଡ଼ୁଥିବା ପୁତ୍ରଦା ନାମକ ଏକାଦଶୀକୁ ନିଷ୍ଠାର ସହିତ ପାଳନ କର। ତୁମ ରାଜାଙ୍କର ସନ୍ତାନ ଲାଭ ହେବ।” ଲୋମଶ ମୁନିଙ୍କ କଥା ଅନୁସାରେ, ପ୍ରଜାମାନେ ପୁତ୍ରଦା ଏକାଦଶୀ ପାଳନ କରି, ତାର ପୁଣ୍ୟ ରାଜାଙ୍କୁ ସମର୍ପଣ କରିବାରୁ ରାଜାଙ୍କର ପୁତ୍ର ଲାଭ ହେଲା।
ଅନ୍ୟ ଗୋଟିଏ ପୁତ୍ରଦା ଏକାଦଶୀର ବ୍ରତକଥା ଏହିପରି। ପୁରାତନ କାଳରେ ଭଦ୍ରାବତୀପୁରୀର ରାଜା ଥିଲେ ସୁକେତୁମାନ। ସୁକେତୁମାନଙ୍କର ରାଣୀଙ୍କ ନାମ ଚମ୍ପକା। ସେମାନେ ଅପୁତ୍ରକ ଥିବାରୁ ସେମାନଙ୍କ ମନରେ ସୁଖ  ନଥିଲା। ରାଜାଙ୍କ ପରେ କିଏ ସେମାନଙ୍କୁ ପିଣ୍ଡ ଦାନ କରିବ, ତର୍ପଣ କରିବ, ସେହି ଚିନ୍ତା କରି ପିତୃପୁରୁଷ ମଧ୍ୟ ଦୁଃଖୀ ହେଉଥିଲେ। ପୁତ୍ର ଚିନ୍ତାରେ ପଡ଼ି ରାଜା ଆତ୍ମହତ୍ୟା କରିଦେବାପାଇଁ ମଧ୍ୟ ଇଚ୍ଛା କଲେ ଏବଂ କାହାକୁ କିଛି ନ ଜଣାଇ ହଠାତ୍‌ ଦିନେ ଘୋଡ଼ାରେ ଚଢ଼ି ଜଙ୍ଗଲକୁ ଚାଲିଗଲେ। ସେଠାରେ ଗଛ ମନଙ୍କର ଚାରାଗଛ ଓ ଜୀବଜନ୍ତୁମାନଙ୍କର ଛୋଟ ଶାବକମାନଙ୍କୁ ଦେଖି ତାଙ୍କ ମନ ଆହୁରି ଦୁଃଖ ହେଲା। ରାଜା ଚିନ୍ତାକଲେ–ମୁଁ  ତ ଅନେକ ପୁଣ୍ୟକାମ କରିଛି କିନ୍ତୁ କେଉଁ ପାପ ଫଳରୁ ମୋତେ ଏ ଦୁଃଖ ହେଲା?

ବଣ ଭିତରେ କିଛି ଦୂର ଯିବା ପରେ ଗୋଟିଏ ସୁନ୍ଦର ପୋଖରୀ  ଦେଖିବାକୁ ପାଇଲେ। ପାଖରେ ଥିବା ମୁନିମାନଙ୍କର ଆଶ୍ରମ ମଧ୍ୟ ତାଙ୍କୁ ଦିଶିଲା। ମୁନିମାନେ ପୋଖରୀ କୂଳରେ ବେଦପାଠ କରୁଥିଲେ। ରାଜା ଘୋଡ଼ାରୁ ଓହ୍ଲାଇ, ହାତଯୋଡ଼ି ସେମାନଙ୍କୁ ପ୍ରଣାମ କଲେ। ମୁନିମାନେ ତାଙ୍କର ଭକ୍ତି ଦେଖି କହିଲେ- ହେ ରାଜା। ଆମ୍ଭେମାନେ ବିଶ୍ବଦେବ। ଆଗକୁ ମାଘମାସ ଆସିବ। କିନ୍ତୁ ଆଉ ପାଞ୍ଚଦିନ ପରେ ପୌଷ ଶୁକ୍ଳ ଏକାଦଶୀ। ଏହାର ନାମ ପୁତ୍ରଦା ‌ଏକାଦଶୀ। ଏହି ବ୍ରତ କଲେ ପୁତ୍ରଲାଭ ହୁଏ। ତୁମେ ଏ ବ୍ରତ କର। ତୁମର ଅବଶ୍ୟ ପୁତ୍ର ଲାଭ ହେବ। ମୁନିମାନଙ୍କର ଉପଦେଶ ଅନୁସାରେ ରାଜା ବିଧିମତେ ପୁତ୍ରଦା ଏକାଦଶୀ ବ୍ରତ  ପାଳନ କଲେ। ତାହା ଫଳରେ ସେ ଏକ ତେଜସ୍ବୀ ପୁତ୍ର ଲାଭ କଲେ। ସେହି ପୁତ୍ର ରାଜାଙ୍କୁ  ସୁଖ ସନ୍ତୋଷ ଦେବା ସହିତ ଭବିଷ୍ୟତରେ ଜଣେ ପ୍ରଜାବତ୍ସଳ ରାଜା ହେଲେ। 

ପୁତ୍ରଦା ଏକାଦଶୀ ପୂଜା –

ପୁତ୍ରଦା ଏକାଦଶୀ ଦିନ ସକାଳୁ ଶୁଦ୍ଧପୁତଭାବେ ଗାଧୋଇ ପାଧୋଇ ଆସି ବିଷ୍ଣୁଙ୍କୁ ଧୂପ ଦୀପ ନୈବେଦ୍ୟ ଦେଇ ପୂଜା କରାଯାଏ ।  ଦିନ ସାରା ଦୀପ ଜାଳି ଭଗବାନ ବିଷ୍ଣୁଙ୍କ ଆରାଧନା କରାଯାଏ ।ପୁତ୍ର ସନ୍ତାନ ଚାହୁଁଥିବା ଦମ୍ପତି ଏହି ଏକାଦଶୀ କରିବା ଦ୍ୱାରା ପୁତ୍ର ସନ୍ତାନ ଲାଭ କରିଥାନ୍ତି।ଏହି ଏକାଦଶୀର ବ୍ରତ ସ୍ୱତନ୍ତ୍ର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କର ବାଳ ସ୍ୱରୂପକୁ ପୂଜା କରାଯାଏ। ତାଙ୍କୁ ହଳଦିଆ ଫୁଲ ସହିତ ଫଳ, ତୁଳସୀ ଓ ପଞ୍ଚାମୃତ ଅର୍ପଣ କରି ଗୋପାଳ ମନ୍ତ୍ରରେ ପୂଜନ କରାଯାଏ। ଏହିଦିନ ପତି ଓ ପତ୍ନୀ ଉପବାସ କରି ବାଳଗୋପାଳଙ୍କୁ ପଞ୍ଚାମୃତ ଭୋଗ ଲଗାଇଲେ ଶୁଭ ଫଳ ମିଳେ।

Festival
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ