/odishatv-khabar/media/media_files/2025/10/02/bijaya-dasami-2025-10-02-20-01-00.jpg)
BIJAYA-DASAMI Photograph: (OTV)
ମେଲାଣି ପୂର୍ବରୁ ମାଆଙ୍କୁ ଥରୁଟିଏ ଦେଖିବାକୁ ବର୍ଷାକୁ ଖାତିର ନକରି ମଣ୍ଡପରେ ଲାଗିଥିଲା ଶ୍ରଦ୍ଧାଳୁଙ୍କ ଭିଡ଼। ବିଜୟା ଦଶମୀରେ କେଉଁଠି କେମିତି ଥିଲା ଉତ୍ସାହ ଏବଂ ଉତ୍ସବର ମାହୋଲ, ଜାଣନ୍ତୁ ଏଇ ରିପୋର୍ଟରେ....
ବାହାରେ ତୁହାକୁ ତୁହା ବର୍ଷା ଛେଚୁଥିଲା, ହେଲେ କମିନଥିଲା ଦଶ'ରା ଉତ୍ସାହ କି ଫିକାପଡ଼ିନଥିଲା ଭକ୍ତି । କିଏ ଭିଜିଭିଜି ଆସୁଥିଲା, ଆଉ କିଏ ଛତାଧରି, ପୁଣି କିଏ ରେନକୋଟ୍ ପିନ୍ଧି। ସମସ୍ତଙ୍କ ମନରେ କେବଳ ଗୋଟିଏ ଆଶା- ମେଲାଣି ଆଗରୁ ମଣ୍ଡପରେ ଥରୁଟିଏ ମାଆଙ୍କୁ ଆଖି ପୂରେଇ ଦେଖିଦେବୁ।
ବିଜୟାଦଶମୀରେ ମାଆଙ୍କ ଦିବ୍ୟ ଦର୍ଶନର କରୁଣା ଲଭିବୁ। ବର୍ଷା ଭିଜା ସକାଳରେ ବେଶି ଭିଡ଼ ନଥିଲେ ବି ସକାଳୁ ସକାଳୁ ମଣ୍ଡପରେ ଜମିଥିଲା ଶ୍ରଦ୍ଧାଳୁଙ୍କ ଗହଳି। ଦୀପଟିଏ ଜାଳିଦେଇ ମନର କଥାକୁ ମୃଣ୍ଣୟୀ ମାଆଙ୍କ ଆଗରେ ବଖାଣୁଥିଲେ ଭକ୍ତ । ଏହାରି ଭିତରେ ବିଧି ମୁତାବକ ମାଆଙ୍କ ପଞ୍ଚ ଉପଚାର ପୂଜା ପରେ ରୀତିନୀତି ଅନୁସାରେ ସଂପନ୍ନ ହୋଇଥିଲା ଅପରାଜିତା ପୂଜା।
ଐତିହାସିକ ସହର କଟକରେ ମାଆଙ୍କ ପାଖେ ଲାଗି ହୋଇଥିଲା ଦହି ପଖାଳ ଭୋଗ। ବିଭିନ୍ନ ପୂଜା ମଣ୍ଡପରେ ଏଥିପାଇଁ ବଡ଼ି ଭୋରରୁ ପ୍ରସ୍ତୁତି ହୋଇଥିଲା। ଶ୍ରଦ୍ଧାର ସହ ପ୍ରସ୍ତୁତ କରାଯାଇଥିଲା ଦହି ପଖାଳ ଓ ଶାଗ ତରକାରୀ। ଭଦ୍ରକର ବିଭିନ୍ନ ମଣ୍ଡପରେ ମଧ୍ୟ ଦହିପଖାଳ ଭୋଗ ପରମ୍ପରା ଦେଖିବାକୁ ମିଳିଛି ।...
ମହାମାୟାଙ୍କ ପୂଜାର ଅନ୍ତିମ ଦିବସରେ ବିଭିନ୍ନ ସହରରେ ଜମିଛି ସିନ୍ଦୂର ଖେଳ । କଟକ, ସମ୍ବଲପୁର, ଯାଜପୁର, ରାଉରକେଲା ସବୁଠି ଶ୍ରଦ୍ଧାର ସହିତ ପରସ୍ପରକୁ ମିଠା ଖୁଆଇ, ସିନ୍ଦୂର ଖେଳି ମାଆଙ୍କୁ ମେଲାଣି ଦେଇଛନ୍ତି ବେଙ୍ଗଲି ସମ୍ପ୍ରଦାୟର ମହିଳାମାନେ । ବିଭିନ୍ନ ସ୍ଥାନରେ ଓଡ଼ିଆ ଘରର ଝିଅବୋହୂ ବି ସିନ୍ଦୂର ଖେଳି ନିଆରା ପରମ୍ପରାକୁ ପାଳନ କରିଛନ୍ତି । ସିନ୍ଦୂର ଖେଳରୁ ମାଲକାନଗିରି ବି ବାଦ୍ ପିଡିନି ।
ବଲାଙ୍ଗିର ପାଟଣାଗଡ଼ରେ ପବିତ୍ର ବିଜୟା ଦଶମୀରେ ଆୟୋଜିତ ହୋଇଛି ବିଶାଳ ଖଣ୍ଡାଯାତ୍ରା । ପାଟଣା ଷ୍ଟେଟ କ୍ଷତ୍ରୀୟ ପାଇକ ସମାଜର ଶତାଧିକ ଲୋକ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ନାଚିନାଚି ସହର ପରିକ୍ରମା କରିଥିଲେ। ହାତରେ ଖଣ୍ଡା ଧରି ସହର ବୁଲିବା ସହିତ ଶେଷରେ ମାଆ ଦଶମତି, ସମଲେଶ୍ବରୀ ଓ ପାଟଣେଶ୍ବରୀଙ୍କୁ ଦର୍ଶନ କରିଥିଲେ। କଳାହାଣ୍ଡି ଜିଲ୍ଲା ଜୟପାଟଣାରେ ବି ପାଳନ ହୋଇଛି ପାଇକ ଆଖଡା । କ୍ଷତ୍ରୀୟ ପାଇକମାନେ ଏକାଠି ହୋଇ ଅସ୍ତ୍ରଶସ୍ତ୍ର ପୂଜା କରିବା ସହିତ ପ୍ରଦର୍ଶନ କରିଥିଲେ ଚିତ୍ତାକର୍ଷକ ଆଖଡ଼ା ।
ପବିତ୍ର ବିଜୟାଦଶମୀ ଅବସରରେ ଶ୍ରୀମନ୍ଦିରରେ ତିନିଠାକୁରଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି। ଶ୍ରୀଜୀଉଙ୍କ ରାଜରାଜେଶ୍ବର ବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ବେଶ୍ ଭିଡ଼ ଜମିଥିଲା।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)