/odishatv-khabar/media/media_files/2025/09/28/bjd-2025-09-28-19-41-55.jpg)
bjd Photograph: (OTV)
ବିଧାନସଭାର ମୌସୁମୀ ଅଧିବେଶନ ଶେଷ ହୋଇଛି । ସେପ୍ଟେମ୍ବର ୧୮ ତାରିଖରୁ ଆରମ୍ଭ ହୋଇ ୨୫ ତାରିଖରେ ଏହି ଅଧିବେଶନ ଶେଷ ହେବାର ଥିଲା । କିନ୍ତୁ ଗୋଟିଏ ଦିନ ପୂର୍ବରୁ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାଚସ୍ପତି ସୁରମା ପାଢୀ ମୁଲତବୀ ଘୋଷଣା କଲେ ।
ବିଧାନସଭାର ଏହି ଅଧିବେଶନ ଥିଲା ବେଶ୍ ସ୍ୱଳ୍ପକାଳୀନ । ମୋଟ୍ ୭ ଦିନର କାର୍ଯ୍ୟ ଦିବସ ଧାର୍ଯ୍ୟ କରାଯାଇଥିଲେ ହେଁ ମାତ୍ର ୬ ଦିନ ପାଇଁ ଅଧିବେଶନ ବସିଥିଲା । ୬ଦିନରୁ ପ୍ରାୟ ସାଢେ ୪ଦିନର କାର୍ଯ୍ୟ ବିରୋଧୀ ବିଜୁ ଜନତା ଦଳ ଓ କଂଗ୍ରେସ ବିଧାୟକମାନଙ୍କ ହଟ୍ଟଗୋଳ ଯୋଗୁ ସମ୍ପାଦିତ ହୋଇପାରିନଥିଲା ।
ବିଧାନସଭା ସଠିକ୍ ରୂପେ ଚାଲିନପାରିବା ଏକ ବଡ଼ ବିଡ଼ମ୍ବନା । ଏ ନେଇ ବିରୋଧୀ ଓ ଶାସକ ଦଳ ପରସ୍ପର ମଧ୍ୟରେ କାଦୁଅ ଫିଙ୍ଗାଫିଙ୍ଗି ହେଉଛନ୍ତି । ଏହାରି ଭିତରେ ବିଜୁ ଜନତା ଦଳ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁଙ୍କର ଏକ ମନ୍ତବ୍ୟ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚାର ଖୋରାକ ଯୋଗାଇଛି । ସେ କହିଛନ୍ତି ବିଧାନସଭା ଚାଲିଲେ ଲୋକଙ୍କର ସୁବିଧା,ଅସୁବିଧା ତଥା ସମସ୍ୟା ସମ୍ପର୍କରେ ଆଲୋଚନା ହୁଏ । ଏହାଦ୍ୱାରା ପ୍ରଶାସନ ସଜାଗ ଓ ଗତିଶୀଳ ହୁଏ । ବିଧାନସଭା ନଚାଲିବା ଦ୍ୱାରା ସାଧାରଣ ଜନତାଙ୍କ ସ୍ୱାର୍ଥହାନି ହେଲା ବୋଲି ସେ କହିଛନ୍ତି ।
ଅରୁଣଙ୍କ ସହିତ ସହମତ ହୋଇଛନ୍ତି ତାଙ୍କ ଦଳର ବରିଷ୍ଠ ନେତା ଗଣେଶ୍ୱର ବେହେରା । ସେ କହିଛନ୍ତି ଯେ ବିଧାନସଭା ସାଧାରଣ ଜନତାଙ୍କର । ନିର୍ବାଚିତ ପ୍ରତିନିଧିମାନେ ଯଦି ବିଧାନସଭାରେ ନିଜନିଜ ଅଞ୍ଚଳର ଅସୁବିଧା, ଆବଶ୍ୟକତା ତଥା ଜନସାଧାରଣଙ୍କ ସମସ୍ୟା ଉତ୍ଥାପନ ନକରନ୍ତି, ତେବେ ଏହା ଗଣତାନ୍ତ୍ରୀକ ପରମ୍ପରାର ଘୋର ପରିପନ୍ଥୀ ।
ଅରୁଣଙ୍କ ଉକ୍ତି ଏବଂ ତା’ ଉପରେ ଗଣେଶ୍ୱରଙ୍କ ମୋହର ବିଜୁ ଜନତା ଦଳ ମଧ୍ୟରେ ଏକ ପ୍ରକାର କମ୍ପନ ସୃଷ୍ଟି କରିଛି । ଦଳ ଯେଉଁଭଳି ଭାବରେ ବିଧାନସଭାକୁ ଅଚଳ କଲା, ତାହାଦ୍ୱାରା ବୈଧାନିକ କାର୍ଯ୍ୟ ସୁରୁଖୁରୁରେ ଚାଲିପାରିଲା ନାହିଁ । ଗୋଟିଏ ଦିନ ବିଧାନସଭା ଚାଲିବା ପାଇଁ ପ୍ରାୟ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । ଅତଏବ୍ ଯେଉଁଭଳି ଭାବରେ ବିଧାନସଭାର କାର୍ଯ୍ୟ ଦିବସଗୁଡ଼ିକ ବାଧାପ୍ରାପ୍ତ ହେଲା ତାହା ଯୋଗୁ କୋଟିଏରୁ ଅଧିକ ଟଙ୍କା ପାଣିରେ ପଡ଼ିଲା ।
ଅରୁଣ ଓ ଗଣେଶ୍ୱର ବିଜୁ ଜନତା ଦଳରେ ତଥା ଓଡ଼ିଶା ରାଜନୀତିରେ କିଛି କିଛି ସାଧାରଣ ଜନତାଙ୍କ କଥା କହିଥାନ୍ତି ବୋଲି ବିଶ୍ୱାସ କରାଯାଏ । ବର୍ତ୍ତମାନ ସମୟରେ ସେମାନଙ୍କ ସ୍ୱର ଗଣତାନ୍ତ୍ରୀକ ପରମ୍ପରା ସହ ବୋଲି ଅନେକ କୁହନ୍ତି । ଏବେ ଯେତେବେଳେ ବିଜୁ ଜନତା ଦଳ ଅନେକ ବରିଷ୍ଠ ନେତା, ପଞ୍ଚାୟତ ପ୍ରତିନିଧି ଓ ଅନ୍ୟମାନଙ୍କର ଆସ୍ଥା ଓ ବିଶ୍ୱାସ ହରାଉଛି ଏବଂ ସେମାନେ ଦଳ ଛାଡ଼ି ଅନ୍ୟ ଦଳରେ ଯୋଗ ଦେଉଛନ୍ତି, ସେହି ସମୟରେ ଏହି ଦୁଇ ନେତାଙ୍କର ବିଧାନସଭା ଅଚଳ ନେଇ ରଖିଥିବା ଉକ୍ତି ବିଶେଷ ଆଲୋଚନାର ଆବଶ୍ୟକତା ରଖୁଛି ।
ମୁଖ୍ୟ ବିରୋଧୀ ଭାବେ ବିଜୁ ଜନତା ଦଳ ବିଧାନସଭା ଅଧିବେଶନକୁ ଭରପୂର ଉପଯୋଗ କରି ଜନସାଧାରଣଙ୍କ ନିକଟରେ ପହଞ୍ଚିବାର ଏକ ବିଶାଳ ସୁଯୋଗ ଥିଲା । ଅଧିବେଶନ ପୂର୍ବରୁ ଦଳ ଘୋଷଣା କରିଥିଲା ଯେ ବଳଙ୍ଗା ଛାତ୍ରୀ ମୃତ୍ୟୁ ଘଟଣା ଠାରୁ ଠାରୁ ବାଲେଶ୍ୱର ଏଫ ଏମ୍ କଲେଜ୍ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମହତ୍ୟା, ସାର ଅଭାବ, ଚାଷୀ, ମହିଳା ଓ ବେକାରୀ ସମସ୍ୟା ନେଇ ସରକାରଙ୍କୁ ଘେରିବ । କିନ୍ତୁ ହଟ୍ଟଗୋଳ ଯୋଗୁ ଏହିସବୁ ପ୍ରସଙ୍ଗ ଯଥାଯଥ ଭାବରେ ଉଠିପାରିଲା ନାହିଁ । ବିରୋଧୀ ଯଦି ଶୃଙ୍ଖଳିତ ନହେବେ, ଏହା ଶାସକ ଦଳକୁ ସୁହାଇବ । ଠିକ୍ ଏହାହିଁ ହେଲା ।
ବିରୋଧୀମାନଙ୍କ ହଟ୍ଟଗୋଳ ଯୋଗୁ ବିଧାନସଭା ବାରମ୍ବାର ମୁଲତବୀ ହେଲା ଏବଂ ସରକାର ଏକ ପ୍ରକାର ଚାପମୁକ୍ତ ରହିଲେ । ଏହା କଙ୍ଗଡ଼ାକୁ ଗୋଳିପାଣି ସୁହାଇଲା ଭଳି ହେଲା ।
ବିଧାନସଭା ହେଉ ବା ପାର୍ଲାମେଣ୍ଟ, ଏହି ସବୁ ଅନୁଷ୍ଠାନଗୁଡ଼ିକ ଗଣତନ୍ତ୍ରର ମନ୍ଦିର ବୋଲି ବିବେଚନା କରାଯାଏ । ମନ୍ଦିରରେ ଯେପରି ମନ, ଧ୍ୟାନ ଓ ଭକ୍ତିର ସହିତ ଦେବାଦେବୀଙ୍କୁ ଉପାସନା କରାଯାଏ, ସେହିପରି ନିଷ୍ଠା ଓ ଏକାଗ୍ରତା ବିଧାନସଭାରେ ଦେଖାଇବା ମାନବ୍ୟର ବିଧାୟକ ଓ ବିଧାୟିକାମାନଙ୍କର ଦାୟିତ୍ୱ । କିନ୍ତୁ ଅନେକ ସମୟରେ ନା ଓଡ଼ିଶା ବିଧାନସଭା ନା ପାର୍ଲାମେଣ୍ଟରେ ଏହା ଦେଖିବାକୁ ମିଳୁଛି ।
ଅରୁଣ ଓ ଗଣଶ୍ୱେରଙ୍କ ମନ୍ତବ୍ୟରୁ ସମୀକ୍ଷକମାନେ ଯାହା ଅର୍ଥ କାଢୁଛନ୍ତି, ତାହା ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ । ବିଜୁ ଜନତା ଦଳରେ କୌଣସି ଅଦୃଶ୍ୟ ଶକ୍ତିର ଚାପରେ ବିଧାନସଭାରେ ଦଳ ଆବଶ୍ୟକତା ଠାରୁ ଅଧିକ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କଲା । ଯାହାଫଳରେ ଦଳ ସାମ୍ପ୍ରତିକ ସମସ୍ୟାଗୁଡିକ ଉଠାଇବାରୁ ବଞ୍ଚିତ ହେଲା । ଅରୁଣଙ୍କ ମନ୍ତବ୍ୟ ପରେ ବିଜୁ ଜନତା ଦଳ ସଙ୍ଗଠନରେ ବର୍ତ୍ତମାନ ସେହି ଅଦୃଶ୍ୟ ଶକ୍ତିର ସ୍ଥିତି ଓ ଗତି ସମ୍ପର୍କରେ ଆଲୋଚନା ବେଶ୍ ବହଳିଆ ହେଉଛି ।
ବିଧାନସଭା ତର୍କ, ବିତର୍କ ଓ ଆଲୋଚନାର ଗର୍ଭଗୃହ । ଏଠାରେ ଗଭୀର ତଥା ତାତ୍ତ୍ୱିକ ଆଲୋଚନାରୁ ଜନ୍ମ ନେଇଥାଏ ନୂଆ ବିକାଶର କଳ୍ପନା । ତର୍କବିତର୍କରୁ ସାରାଂଶକୁ ନେଇ ଲୋକାଭିମୁଖୀ ଆଇନ୍ ପ୍ରଣୟନ ହୁଏ । ଏହି ପବିତ୍ର ଗୃହ ପାଟିତୁଣ୍ଡ, ହଟ୍ଟଗୋଳ, ବଳ କଷାକଷି ବା ଠେଲାପେଲା ପାଇଁ ତିଆରି ହୋଇନାହିଁ ।
ଅତୀତର ଇତିହାସକୁ ଯଦି ଦେଖିବା ଏଠାରେ ବହୁ ବିଜ୍ଞ ନେତା ପରସ୍ପରକୁ ତର୍କ ଓ ବିତର୍କରେ ପରାସ୍ତ କରିବା ପାଇଁ ଚେଷ୍ଟା କରୁଥିଲେ । ବୁଦ୍ଧିମତ୍ତାର ଖେଳଖେଳି ବିରୋଧୀମାନେ ସରକାରଙ୍କ ଉପରେ ଚାପ ସୃଷ୍ଟି କରି ଜନସାଧାରଣଙ୍କ ସମସ୍ୟା ସମାଧାନର ବାଟ କାଢ଼ିପାରୁଥିଲେ । ସେମାନେ ରାଜନୈତିକ କଳା ଓ ଚାତୁରୀରେ ପରାହତ କରୁଥିଲେ ପ୍ରତିପକ୍ଷକୁ । ସେହିପରି କଳା ଓ କୌଶଳର ଅଧିକାରୀ ହେବା ପାଇଁ ବର୍ତ୍ତମାନ ପୀଢ଼ିର ନେତାମାନେ ଚେଷ୍ଟା କରିବା ଦରକାର । ଏହାଦ୍ୱାରା ବିଧାନସଭା ସୁରୁଖୁରୁରେ ଚାଲିବା ସହିତ ଜନସାଧାରଣଙ୍କର ଅର୍ଥ ଅପଚୟ ହେବ ନାହିଁ ।
Trump Acts on Colombian President’s Comment: କଲମ୍ବିଆ ରାଷ୍ଟ୍ରପତି ଆମେରିକା ଗସ୍ତ ବେଳେ ଏହି କଥା କହିଦେଲେ, ଟ୍ରମ୍ପ ତୁରନ୍ତ ନେଲେ ଆକ୍ସନ

Father Deploys Underage Son for Murder: ହତ୍ୟା ପାଇଁ ନାବାଳକ ପୁଅକୁ ଅସ୍ତ୍ର କଲା ବାପା, ହତ୍ୟାର ପରଦିନ ପୁଅ ସାବାଳକ ହେଲା

Widespread Bomb Threat Shakes Delhi: ଦିଲ୍ଲୀର ସ୍କୁଲ ଏବଂ ବିମାନବନ୍ଦର ସମେତ ୧୫୦ ସ୍ଥାନକୁ ଆସିଲା ବୋମା ଧମକପୂର୍ଣ୍ଣ ଇମେଲ୍ , ଖେଳିଗଲା ଆତଙ୍କ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)