/odishatv-khabar/media/media_files/2026/02/28/bjd-2026-02-28-12-40-38.jpg)
BJD Photograph: (OTV)
ଶୁକ୍ରବାର ଦିନ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର (ବିଜେଡ଼ି) ସଭାପତି ନବୀନ ପଟ୍ଟନାୟକଙ୍କ ବାସଭବନ ‘ନବୀନ ନିବାସ’ରେ ଦଳର ବିଧାୟକମାନଙ୍କ ଏକ ବୈଠକ ବସିଥିଲା । ଏଥିରେ ପ୍ରାୟ ୩୦ରୁ ଉର୍ଦ୍ଧ ବିଧାୟକ ଯୋଗଦେଇଥିଲେ । ଏହି ବୈଠକକୁ ନେଇ ରାଜନୈତିକ ମହଳରେ ବହୁ ଉତ୍ସାହ ଓ କୌତୁହଳ ଦେଖାଯାଇଥିଲା । ସାମ୍ବାଦିକମାନଙ୍କ ଠାରୁ ଆରମ୍ଭ କରି ରାଜନେତା ଓ ରାଜନୈତିକ ସମୀକ୍ଷକମାନେ ଏହି ବୈଠକ ଉପରେ ବେଶ୍ ନଜର ରଖିବା ସହିତ ନିଜନିଜର ନିଆରା ଢଙ୍ଗରେ ଆକଳନ ଲଗାଇ ଚାଲିଥିଲେ । କିଏ ରାଜ୍ୟସଭା ଯିବେ, କାହାର ନାମ ଉପରେ ଦଳର ସଭାପତି ମୋହର ମାରିବେ, ରାଜ୍ୟସଭାକୁ ବିଜେଡ଼ିରୁ କିଏ ଯିବା ଲାଗି ସବୁଠାରୁ ଯୋଗ୍ୟ ସେ ନେଇ ଘନଘନ ଟେଲିଭିଜନ ଆଙ୍କରମାନେ ନିଜ ନିଜ ଚ୍ୟାନେଲ୍ଗୁଡ଼ିକରେ ଗଳାଫଟାଇ ଆଲୋଚନା କରୁଥିବା ଦେଖାଯାଇଥିଲା ।
ଟେଲିଭିଜନ୍ ଚ୍ୟାନେଲଗୁଡ଼ିକ କହୁଥିଲେ ରାଜ୍ୟସଭା ନିର୍ବାଚନ ପୂର୍ବରୁ ଦଳ କାହାକୁ ପ୍ରାର୍ଥୀ କରିବ, ସେ ନେଇ ବୈଠକରେ ଅତ୍ୟନ୍ତ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ । କିନ୍ତୁ ବୈଠକ ଶେଷରେ ଯେପରି ଚିତ୍ର ସାମ୍ନାକୁ ଆସିଲା, ସେଥିରେ ରାଜନୀତିକ ଗଭୀରତାଠାରୁ ଅଧିକ ପ୍ରତୀକାତ୍ମକ ସନ୍ଦେଶ ଲୁଚିଥିବା ଦେଖାଗଲା।
ବିଧାୟକମାନେ ବୈଠକରୁ ବାହାରି କହିଲେ— ରାଜ୍ୟସଭା ପ୍ରାର୍ଥୀ ନିର୍ବାଚନ ନେଇ କୌଣସି ଆଲୋଚନା ହୋଇନାହିଁ। ସେମାନେ ଦଳର ନେତା ନବୀନ ପଟ୍ଟନାୟକଙ୍କୁ ଅନ୍ତିମ ସିଦ୍ଧାନ୍ତ ନେବାର ଅଧିକାର ଦେଇଛନ୍ତି। ଚା’ ଓ ସ୍ୟାଣ୍ଡୱିଚ୍ ସହ ଆତିଥ୍ୟ ନେଇ ବୈଠକ ଶେଷ ହେଲା, , କିନ୍ତୁ ମୁଖ୍ୟ ରାଜ୍ୟସଭା ନିର୍ବାଚନ ସମ୍ପର୍କରେ କୌଣସି ଆଲୋଚନା ହୋଇନାହିଁ ବୋଲି ସେମାନଙ୍କ ମଧ୍ୟରୁ କିଛି ଖବର ଦେଲେ । ବିଶେଷ ସୂତ୍ରରୁ ଖବର ଆସିଲା ଯେ ବିଧାୟକମାନେ ନବୀନଙ୍କୁ ଶେଷ ସିଦ୍ଧାନ୍ତ ନେବା ପାଇଁ ଏକ କାଗଜରେ ନବୀନ ନିବାସରେ ନିଜର ଦସ୍ତଖତ ଦେଇଆସିଛନ୍ତି ।
ଶୁକ୍ରବାର ଦିନର ଘଟଣା କେବଳ ଗୋଟିଏ ବୈଠକର ବିବରଣୀ ନୁହେଁ; ଏହା ବିଜେଡିର ଆଭ୍ୟନ୍ତରୀଣ ଗଣତନ୍ତ୍ରର ଏକ ପ୍ରତିବିମ୍ବ ବୋଲି ସମୀକ୍ଷକମାନେ ଅଧିକାଂଶ ସମୟରେ ମତ ଦେଇଆସିଛନ୍ତି । ବିଜୁ ଜନତା ଦଳର ବିଧାୟକମାନେ ଯଦି ଖୋଲାମେଲା ଭାବେ କହୁଛନ୍ତି ଯେ ସମସ୍ତ ନିଷ୍ପତ୍ତି ନେବାର ଅଧିକାର ଏକାଧିକାରୀ ଭାବେ ଦଳର ନେତା ନବୀନ ପଟ୍ଟନାୟକଙ୍କ ପାଖରେ ରହିଛି, ତେବେ ପ୍ରଶ୍ନ ଉଠିବା ସ୍ୱାଭାବିକ— ତାହେଲେ ବିଧାୟକମାନଙ୍କ ଭୂମିକା କେଉଁଠି? କେଉଁଠି ରହୁଛି ଦଳର ରାଜନୈତିକ ବ୍ୟାପାର କମିଟିର ଭୂମିକା ? ଏକ ଗଣତନ୍ତ୍ରରେ ନିର୍ବାଚିତ ପ୍ରତିନିଧିମାନେ କେବଳ ସଂଖ୍ୟା ସଂରଚନାରେ ଗୁରୁତ୍ୱ ବହନ କରନ୍ତି ନା ସେମାନଙ୍କର ସ୍ୱର ଉପସ୍ଥାପନ କରିବାରେ ମହତ୍ୱ ରଖନ୍ତି? ଦଳର ନୀତି ନିର୍ଦ୍ଧାରଣ ବା ରଣନୀତି ପ୍ରସ୍ତୁତିରେ ସେମାନଙ୍କର ସକ୍ରିୟ ଅଂଶଗ୍ରହଣ ଯଦି ନରୁହେବ ବା ଭାଗିଦାରୀ ନରୁହେ, ତେବେ ସେମାନଙ୍କର ଜନମାନସରେ ଛବି ଫିକା ପଡ଼ିଯାଏ ।
୧୯୯୭ ମସିହାରେ ବିଜେଡି ଗଠନ ହୋଇଥିଲା । ସେହିଦିନ ଠାରୁ ଏହି ଦଳଟି ନବୀନ ପଟ୍ଟନାୟକଙ୍କ ଏକକ ବ୍ୟକ୍ତିତ୍ୱ ଚାରିକଡ଼େ ଘୂରୁଛି ବା ଏକବ୍ୟକ୍ତି-କେନ୍ଦ୍ରିକ ରାଜନୀତି ଦଳ ଶୈଳୀରେ ପରିଚାଳିତ ହୋଇଆସୁଛି। ତାଙ୍କର ବ୍ୟକ୍ତିଗତ ଛବି, ବିବାଦୀୟ ପରିଷ୍କାର ଇମେଜ୍ ଓ ବହୁ ପ୍ରଚାରିତ ପ୍ରଶାସନିକ ଅଭିଜ୍ଞତା ଦଳକୁ ଦୀର୍ଘ ସମୟ ଶାସନରେ ରଖିଥିଲା। କିନ୍ତୁ ଶାସନରୁ ବାହାରିବା ପରେ ଦଳ ଏବେ ନିଜର ସ୍ଥିତି ରକ୍ଷା ପାଇଁ ସଂଘର୍ଷ କରୁଛି । ବହୁ ପୂରୁଖା ନେତା ଦଳ ଛାଡ଼ିଗଲେଣି । ଆହୁରି ଅନେକ ପୂରୁଖା ନେତା ଦଳର ଆଭ୍ୟନ୍ତରୀଣ ଗଣତନ୍ତ୍ରର ସୁରକ୍ଷା ନଥିବା ନେଇ ଅନେକ ସମୟରେ ବିଷୋଦ୍ଗାର କରୁଥିବା ଦେଖାଯାଉଛି ।
ବିଜେଡ଼ିର ସବୁଠାରୁ ବଡ଼ ସମସ୍ୟା ହେଲା ଦଳ ଏବେ ବି ଭାବୁଛି ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱର ଆଖପାଖରେ କାର୍ଯ୍ୟକ୍ରମ ଜାରି ରଖି ଏବଂ ତାଙ୍କର ଏକକ ନିଷ୍ପତି ଓ ନୀତି ସହାୟତାରେ ଦଳ ପୁଣିଥରେ କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିବ । ଜାତୀୟ ଦଳ ବା ଅନ୍ୟ ରାଜନୈତିକ ଦଳରେ ଯେପରି ଭାବରେ ଆଭ୍ୟନ୍ତରୀଣ ଗଣତନ୍ତ୍ରର ଭାବନାକୁ ସମ୍ମାନ ଦେଇ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନୀ ସିଦ୍ଧାନ୍ତ ତଥା ଅନ୍ୟ ନିଷ୍ପତି ନିଆଯାଏ, ବିଜେଡ଼ିରେ ସେପରି ଦେଖାଯାଏ ନାହିଁ । ଦଳରେ ବିଧାୟକମାନଙ୍କ ସହ ନିୟମିତ ମାନସମନ୍ଥନ ହେବା ଅତୀତରେ ଏତେ ଦେଖାଯାଇ ନାହିଁ କି ଏବେ ମଧ୍ୟ ଦେଖାଯାଉନାହିଁ । ଏହି ଆଞ୍ଚଳିକ ଦଳର ଆଭ୍ୟନ୍ତରୀଣ ଲୋକତନ୍ତ୍ର ଉପରେ ବହୁ ସମୟରେ ଦଳର ନେତାମାନଙ୍କ ଠାରୁ ଆରମ୍ଭ କରି ସମୀକ୍ଷକମାନେ ପ୍ରଶ୍ନ ଉଠାଇଛନ୍ତି ।
ରାଜ୍ୟସଭା ପ୍ରାର୍ଥୀ ଚୟନ କେବଳ ଏକ ପଦବୀ ବଣ୍ଟନ ନୁହେଁ; ଏହା ଦଳର ଭବିଷ୍ୟତ ରାଜନୈତିକ ସନ୍ଦେଶର ମାଧ୍ୟମ। କେଉଁ ସମ୍ପ୍ରଦାୟ, କେଉଁ ଅଞ୍ଚଳ କିମ୍ବା କେଉଁ ରାଜନୈତିକ ସନ୍ଦେଶକୁ ଦଳ ପ୍ରାଥମ୍ୟ ଦେଉଛି, ତାହା ଏଥିରେ ପ୍ରତିଫଳିତ ହୁଏ। ଏହିପରି ନିଷ୍ପତ୍ତି ଯଦି ସମୂହୀୟ ଚର୍ଚ୍ଚା ବିନା ହୋଇଥାଏ, ତେବେ ଦଳର ଭିତରେ ମତଭେଦ ଓ ଅସନ୍ତୋଷ ସୃଷ୍ଟି ହେବାର ସମ୍ଭାବନା ରହିଥାଏ ବୋଲି ସମୀକ୍ଷକମାନେ ମନେ କରନ୍ତି ।
ବିଜେଡିରେ “ଏକନାୟକତ୍ୱ” ଅଭିଯୋଗ ନୂତନ ନୁହେଁ। କିନ୍ତୁ ଗତକାଲିର ଘଟଣା ଏହାକୁ ଆଉ ଏକ ପ୍ରମାଣ ଯୋଗାଇଦେଲା ବୋଲି ବିପକ୍ଷ ଦଳମାନେ କହିପାରନ୍ତି। ଦଳର ସମସ୍ତ ଶକ୍ତି ଯଦି ଏକ ମାତ୍ର ବ୍ୟକ୍ତିଙ୍କୁ କେନ୍ଦ୍ର କରି ଘୁରୁଛି, ତେବେ ନୂତନ ପିଢ଼ୀର ନେତୃତ୍ୱ ଗଢ଼ିଉଠିବ କିପରି ବୋଲି ସମୀକ୍ଷକମାନେ ପ୍ରଶ୍ନକରିବା ସ୍ୱଭାବିକ୍ । ଏହା ଏକନାୟକତ୍ୱ ଦଳର ଦୀର୍ଘକାଳୀନ ସ୍ଥାୟୀତ୍ୱ ପାଇଁ ମଧ୍ୟ ଚିନ୍ତାଜନକ ବୋଲି ଅନେକ ରାଜନୈତିକ ବିଶ୍ଳେଷକ ଇତିହାସର ଦୃଷ୍ଟାନ୍ତ ଦେଇ ମତରଖନ୍ତି ।
ଲୋକତନ୍ତ୍ରର ଶକ୍ତି ହେଉଛି ଆଭ୍ୟନରୀଣ ମତବିନିମୟ, ଚର୍ଚ୍ଚା ଓ ସିଦ୍ଧାନ୍ତ। ବିଜେଡି ଯଦି ଆଗାମୀ ଦିନରେ ନୂତନ ରାଜନୈତିକ ପରିବେଶରେ ସ୍ୱୟଂକୁ ପୁନଃସ୍ଥାପିତ କରିବାକୁ ଚାହେଁ, ତେବେ ଆଭ୍ୟନ୍ତରୀଣ ଲୋକତନ୍ତ୍ରକୁ ଶକ୍ତିଶାଳୀ କରିବା ଅନିର୍ବାଜ୍ୟ ବୋଲି ଦଳର ନେତା ପ୍ରତ୍ୟକ୍ଷ ଓ ପରୋକ୍ଷରେ ବହୁ ସମୟରେ କହିଛନ୍ତି। ଏହା ନହେଲେ ନବୀନ ନିବାସର ଚା–ସ୍ୟାଣ୍ଡୱିଚ୍ ବୈଠକ ଦଳୀୟ ନିଷ୍ପତ୍ତି ପ୍ରତୀକ ହିସାବରେ ରହିଯିବ, କିନ୍ତୁ ଗଭୀର ଚର୍ଚ୍ଚା ଓ ସାମୂହିକ ନେତୃତ୍ୱର ଆଶା ଅଦୂରେ ସମାପ୍ତି ଲଭିବ।
Forced Marriage Case: ବାହା ହୋଇ ବେଦିରୁ ଉଠିଲେ, କେଇ ଘଣ୍ଟାରେ ଥାନାରେ ହେଲା ଛାଡ଼ପତ୍ର

BJD May Announce Rajya Sabha Candidate: ଆଜି ପ୍ରାର୍ଥୀ ଘୋଷଣା କରିବ ବିଜେଡି! ଚର୍ଚ୍ଚାରେ ଡାକ୍ତର ଦତ୍ତେଶ୍ବର ହୋତା

India vs West Indies: ରୋମାଞ୍ଚକର ମୋଡ଼ରେ T-20 ବିଶ୍ବକପ୍ ଲଢ଼େଇ, ସେମିଫାଇନାଲ୍ ଯିବାକୁ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍

Police Action Sparks Debate: ଗନ୍ ପଏଣ୍ଟରେ ଅପହରଣ! ସ୍ୱାମୀକୁ ବେଲ୍, ସ୍ତ୍ରୀକୁ ଜେଲ୍

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)