/odishatv-khabar/media/media_files/2026/02/17/panchayat-election-2026-02-17-09-05-05.jpg)
Panchayat Election Photograph: (OTV)
ଆସନ୍ତା ୨୦୨୭ରେ ଓଡ଼ିଶାରେ ବହୁ ପ୍ରତୀକ୍ଷିତ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ୨୦୨୯ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ନିର୍ବାଚନ ରାଜନୈତିକ ଦଳମାନଙ୍କ ଲାଗି ଏକ ବାରୋମିଟର ଯନ୍ତ୍ର ଭଳି ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ । ନିର୍ବାଚନର ଫଳାଫଳ ସେମାନଙ୍କର ସଦ୍ୟ ଲୋକପ୍ରିୟତାର ଗଭୀରତା ସମ୍ପର୍କରେ ସଠିକ୍ ସୂଚନା ପ୍ରଦାନ କରିପାରିବ । ସେମାନଙ୍କ ନିଜ ଦଳର କେଉଁ ଜିଲ୍ଲାରେ କିଭଳି ଅଛି, ସେ ସମ୍ପର୍କରେ ସେମାନେ ଜାଣିପାରିବେ । ଏହି ତଥ୍ୟ ଓ ସୂଚନା ସେମାନଙ୍କୁ ୨୦୨୯ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରସ୍ତୁତ ହେବାକୁ ଅଧିକ ସହାୟକ ହେବ ।
ପଞ୍ଚାୟତ ନିର୍ବାଚନରେ ଜନସାଧାରଣଙ୍କ ସମର୍ଥନ ପାଇଁ ରାଜନୈତିକ ଦଳମାନଙ୍କୁ ଏବେ ଠାରୁ ରୀତିମତ କସରତ କରିବାକୁ ପଡ଼ିବ । ତୃଣମୂଳସ୍ତରେ କର୍ମୀମାନଙ୍କୁ ଏକଜୁଟ୍ କରି ଭୋଟରମାନଙ୍କ ଦ୍ୱାରରେ ନିୟମିତ ଭାବରେ ଦାଖିଲ ହୋଇ ସେମାନଙ୍କର ଭଲମନ୍ଦ ବୁଝିବା ପାଇଁ ପଡ଼ିବ । ଏକ ପ୍ରକାର କହିବାକୁ ଗଲେ ଏ କାର୍ଯ୍ୟ ସବୁଦଳ ତରଫରୁ ଅଳ୍ପବହୁତେ ଆରମ୍ଭ ହୋଇସାରିଛି ।
ଯଦି କାହା ପାଇଁ ପଞ୍ଚାୟନ ନିର୍ବାଚନର ଫଳ ଅଧିକ ମହତ୍ୱ ରଖୁଛି, ସେହି ଦଳ ହେଉଛି ରାଜ୍ୟ ଶାସନରେ ଥିବା ଭାରତୀୟ ଜନତା ପାର୍ଟି (ବିଜେପି) । କାରଣ ଏହି ଦଳକୁ ସର୍ବାଧିକ ଜିଲ୍ଲା ପରିଷଦ ଆସନ ଜିତି ନିଜର ଲୋକପ୍ରିୟତାର ପୁନଃ ପ୍ରମାଣ ଦେବାକୁ ପଡ଼ିବ । ସେହିପରି ମୁଖ୍ୟ ବିରୋଧି ଦଳ ବିଜୁ ଜନତା ଦଳ ବା ବିଜେଡ଼ି ପାଇଁ ଏହା ମଧ୍ୟ ଏକ ଅଗ୍ନିପରୀକ୍ଷା । ୨୦୨୪ରେ କ୍ଷମତାରୁ ଗଲା ପରେ ଦଳ ଏବେ ନିଜର ସ୍ଥିତିରକ୍ଷା ନେଇ ନିଜର ସଂଘର୍ଷ ଜାରିରଖିଛି । ସମସ୍ତ ଅନ୍ତଃକନ୍ଦଳ ସତ୍ତ୍ୱେ ଦଳ ଏବେ ବି ୩୦ଟି ଜିଲ୍ଲାରେ ନିଜର ପରିଷଦ ଧରି ରଖିବାରେ ସମର୍ଥ ରହିଛି ।
୨୦୨୨ ରାଜ୍ୟରେ ୮୫୨ଟି ଜିଲ୍ଲା ପରିଷଦ ଆସନ ଲାଗି ମତଦାନ ହୋଇଥିଲା । ଏଥିରୁ ବିଜେଡ଼ି ୭୬୬ଟିରେ ଜିତିଥିବା ବେଳେ ଭାରତୀୟ ଜନତା ପାର୍ଟି ୪୨ଟିରେ ଏବଂ କଂଗ୍ରେସ ଅ୩୭ଟି ଆସନ ଜିତିଥିଲା । ଏହି ଦୃଷ୍ଟିରୁ ବିଚାର କଲେ ବିଜେଡ଼ିର ତୃଣମୂଳସ୍ତରରେ ସେତେବେଳେ ଯେଉଁ ଅଖଣ୍ଡ ପ୍ରଭାବ ରହିଥିଲା, ତାହାକୁ ବଜାୟ ରଖି ପୁଣିଥରେ ଦଳର ଲୋକପ୍ରିୟତାକୁ ପ୍ରମାଣିତ କରିବାକୁ ପଡ଼ିବ ।
ନୂଆପଡ଼ା ବିଧାସଭା ଉପନିର୍ବାଚନରେ ବିଜେଡ଼ିକୁ ତୃତୀୟ ସ୍ଥାନକୁ ଠେଲି ଦ୍ୱିତୀୟ ସ୍ଥାନ ହାସଲ କରିଥିବା କଂଗ୍ରେସ ପାଇଁ ମଧ୍ୟ ପଞ୍ଚାୟତ ନିର୍ବାଚନ ଏକ ବିରାଟ ଆହ୍ୱାନ । ଦଳ ଯଦି ନୂଆପଡ଼ା ଭଳି ଏଠାରେ ନିଜର ଦକ୍ଷତା ପ୍ରତିପାଦିତ ନକରିପାରେ ତେବେ ପ୍ରମାଣିତ ହେବ ଯେ ସେହି ଉପନିର୍ବାଚନର ଫଳାଫଳ ଏକ ବ୍ୟତିକ୍ରମ ଥିଲା ଏବଂ ଏହି ବ୍ୟତିକ୍ରମ କେବଳ ଘାସିରାମ ମାଝିଙ୍କ ଭଳି ଜଣେ ଟାଣୁଆ ତଥା ଦକ୍ଷ ତୃଣମୂଳସ୍ତରର ନେତାଙ୍କ ଯୋଗୁ ସମ୍ଭବ ହୋଇଥିଲା ।
ଏବେ ଆସିବା ଏକ ଗୁରତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରକୁ । ପ୍ରସଙ୍ଗଟି ହେଲା ପଞ୍ଚାୟତ ନିର୍ବାଚନରେ ସମ୍ବଳର ଆବଶ୍ୟକତା । ଏହି ସମ୍ବଳଟି କ’ଣ? ଅର୍ଥ ସମ୍ବଳ ନା ମାନବ ସମ୍ବଳ ? ସମୀକ୍ଷକମାନଙ୍କରେ କେବଳ ପଞ୍ଚାୟତ ନିର୍ବାଚନ କାହିଁକି, ପ୍ରତ୍ୟେକ ନିର୍ବାଚନରେ ଏହି ଦୁଇଟି ସମ୍ବଳର ଆନୁପାତିକ ଭାବରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହି୍ଥାଏ । ଆବଶ୍ୟକ ପରିମାଣର ଅର୍ଥ ସହିତ ଯଦି ଉପଯୁକ୍ତ ତଥା ସମର୍ପିତ କର୍ମୀମାନେ ତୃଣମୂଳ ସ୍ତରରେ କାମ କରିବେ, ତେବେ ଦଳ ସଫଳତା ପାଇବାରେ ସେମିତି କିଛି ଅଭାବ ରହିବ ନାହିଁ ।
୨୦୦୨ ମସିହା ପଞ୍ଚାୟତ ନିର୍ବାଚନରୁ ଆମେ ଦେଖିଆସିଛୁ ଯେ ରାଜ୍ୟ ଶାସନରେ ଥିବା ଦଳମାନେ ପଞ୍ଚାୟତ ନିର୍ବାଚନରେ ଆବଶ୍ୟକ ହେଉଥିବା ଆର୍ଥିକ ଆବଶକତାକୁ ମେଣ୍ଟାଇବା ପାଇଁ ଏକ ଭଲ ମାଧ୍ୟମର ଉପଯୋଗ କରିଥାନ୍ତି । ଏହି ମାଧ୍ୟମଟି ହେଉଛି ବାର୍ଷିକ ବଜେଟ୍ରେ ଏମତି କିଛି ବ୍ୟବସ୍ଥା କରିବା ଯାହା ସିଧାସଳଖ ଗ୍ରାମାଞ୍ଚଳରେ ଥିବା କର୍ମୀମାନଙ୍କ ନିକଟରେ ଆର୍ଥିକ ଲାଭ ପହଞ୍ଚାଇପାରିବ । ଅତୀତରେ କାଳିଆ, ପିଠା ଯୋଜନା, ବିଜୁ ଯୁବ ବାହିନୀ ଭଳି ଯୋଜନା ବିଧାନସଭା ତଥା ପଞ୍ଚାୟତ ନିର୍ବାଚନ ପୂର୍ବରୁ ଘୋଷଣା ହୋଇ ବିଜେଡ଼ି ଦଳକୁ ବେଶ୍ ନିର୍ବାଚନୀ ଫାଇଦା ଦେଇଥିଲା । ଯୋଜନାଗୁଡ଼ିକ ଘୋଷଣା ପରେ ସେଗୁଡ଼ିକ ଲାଗି ପରବର୍ତ୍ତି ଅବସ୍ଥାରେ ବଜେଟ୍ରେ ବ୍ୟୟବରାଦ କରାଯାଇଥିଲା ।
ଆସନ୍ତା ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି । ଆସନ୍ତା ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହି ବଜେଟ୍ରେ ନିଶ୍ଚିତ ଭାବରେ କିଛି ସ୍ୱତନ୍ତ୍ର ଅର୍ଥ ନିଦ୍ଦିଷ୍ଟ କିଛି ଯୋଜନା ମାଧ୍ୟମରେ ନିର୍ବାଚନକୁ ଆଖି ବ୍ୟବସ୍ଥା କରାଯିବା ବହୁ ସମ୍ଭାବନା ରହିଛି । ଗତ ୨୦୨୪ ବିଧାନସଭା ନିର୍ବାଚନ ପୂର୍ବରୁ ବରିଷ୍ଠ ନାଗରିକମାନଙ୍କର ଭତ୍ତା ୩ହଜାର ୫୦୦ ଟଙ୍କାକୁ ବଢାଇବା ପାଇଁ ବିଜେପି ଘୋଷଣା କରିଥିଲା । ହେଲେ ନିର୍ବାଚନ ପରେ ଦଳର ଏହି ଘୋଷଣା ସଠିକ୍ ରୂପରେ କାର୍ଯ୍ୟକାରୀ ହୋଇପାରିନାହିଁ । ଦଳ କେବଳ ୮୦ ବର୍ଷରୁ ଉର୍ଦ୍ଧ ନାଗରିକମାନଙ୍କୁ ଏବେ ୩ହଜାର ୫୦୦ ଟଙ୍କା ଭତ୍ତା ଦେଉଛି । ଯଦି ନିର୍ବାଚନ ର୍ପୂବରୁ ୬୦ ବର୍ଷରୁ ଉର୍ଦ୍ଧ ନାଗରିକମାନଙ୍କର ଭତ୍ତା ବୃଦ୍ଧି ନକରେ, ତେବେ ଏହା ପଞ୍ଚାୟତ ନିର୍ବାଚନରେ ବେଶ୍ ଘାତକ ସାବ୍ୟସ୍ତ ହୋଇପାରେ ।
ଦୀର୍ଘ ଦୁଇବର୍ଷ ହେଲା ଦଳ କ୍ଷମତାକୁ ଆସଥିଲେ ମଧ୍ୟ ଭାରତୀୟ ଜନତା ପାର୍ଟି ଏପର୍ଯ୍ୟନ୍ତ ଯୁବବର୍ଗର ଯେଉଁଭଳି ଭାବେ ବିଶ୍ୱାସଭାଜନ ହେବା କଥା, ସେହିଭଳି ହୋଇପାରିନାର୍ହି । ଯେହେତୁ ସେମାନେ ବିଜେଡ଼ିର ଏକଛତ୍ରବାଦ ଶାସନ ତଳେ ପେଶିହୋଇଯାଉଥିଲେ, ତେଣୁ ସେମାନେ ବିଜେପିକୁ ବିକଳ୍ପ ଭାବେ ବାଛିଥିଲେ । ଏବେ ଦେଖିବାର କଥା ଯେ ମୋହନ ତାଙ୍କ ବଜେଟ୍ ନଥିରେ ଯୁବବର୍ଗଙ୍କୁ ଆକୃଷ୍ଟ କରିବା ପାଇଁ କ’ଣ ବ୍ୟୟବରାଦ ଓ ବ୍ୟବସ୍ଥା ରଖୁଛନ୍ତି ।
ନିର୍ବାଚନରେ କୃଷି ଓ କୃଷକମାନଙ୍କର ଏକ ପ୍ରମୂଖ ଭୂମିକା ରହିଥାଏ । ଅତୀତରେ ନବୀନ ‘କାଳିଆ’ ଓ ‘ବଳରାମ’ ଭଳି ଯୋଜନା ଘୋଷଣା କରି ସେମାନଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ ଚେଷ୍ଟା କରିଥିଲେ । ମୋହନ ସରକାର ଧାନ ସହାୟକ ମୂଲ୍ୟ ଉପରେ ୮୦୦ ଟଙ୍କା ଇନ୍ପୁଟ୍ ସବସଡି ଦେଇ ସେମାନଙ୍କର ଆର୍ଥିକ ସ୍ଥିତିରେ ବେଶ୍ ସୁଧାର ଆଣିପାରିଛନ୍ତି । ହେଲେ ଏହା ଯେ କୃଷି କ୍ଷେତ୍ରର ପ୍ରକୃତ ଉନ୍ନତି ସାଧିତ କରିପାରିଛି, ତାହା କହିହେବ ନାହିଁ । ଯେ ପର୍ଯ୍ୟନ୍ତ ଚାଷୀମାନେ ବିନା ସରକାରୀ ସହାୟତାରେ ସେମାନଙ୍କର କୃଷିଜାତ ଉତ୍ପାଦକୁ ଉପଯୁକ୍ତ ମୂଲ୍ୟରେ ବିକ୍ରି କରିପାରିନାହିଁ, ସେ ପର୍ଯ୍ୟନ୍ତ ଆମେ କହିପାରିବା ନାହିଁ ଯେ ସେମାନେ ନିଜ କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇପାରିଛନ୍ତି ।
ବଜେଟ୍ରେ କୃଷିକ୍ଷେତ୍ରର ଉନ୍ନତି ପାଇଁ କ’ର ବ୍ୟବସ୍ଥା ରହୁଛି, ତାହା ଉପରେ ସମସ୍ତଙ୍କର ନଜର ରହିବ । ଅଣୁ, କ୍ଷୁଦ୍ର ଓ ମଧ୍ୟମ ବର୍ଗର ଶିଳ୍ପକ୍ଷେତ୍ରରେ ବହୁ ସଂଖ୍ୟକ ମାନବସମ୍ବଳ ନିୟୋଜିତ ହୋଇଥାନ୍ତି । ଏହି କ୍ଷେତ୍ରକୁ କିଭଳି ସହାୟତା ଘୋଷଣା କରୁଛନ୍ତି, ତାହା ମଧ୍ୟ ସମସ୍ତଙ୍କ ନଜରରେ ରହିଛି । ସାମଗ୍ରୀକ ଭାବରେ କହିବାକୁ ଗଲେ, ବଜେଟ୍ରେ ଜନମତକୁ ହାସଲ କରିବା ପାଇଁ ମୋହନ ତାଙ୍କର ବଜେଟ୍ରେ କ’ଣ ବ୍ୟବସ୍ଥା କରୁଛନ୍ତି ଏବଂ ଏହି ନଥି ବା ଡକ୍ୟୁମେଣ୍ଟ ମାଧ୍ୟରେ ସେ କିଭଳି ମତଦାତାମାନଙ୍କର ମନ ଜିଣିପାରୁଛନ୍ତି, ତାହା ଦେଖିବାର କଥା ।
ବିଶେଷ ଦ୍ରଷ୍ଟବ୍ୟ: ଏହା ଲେଖକଙ୍କ ନିଜସ୍ବ ମତ।
Daily Horoscope 17th February 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Today Panchang 17th February 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Yoga Practice to Cure Back Pain: ଚେୟାରରେ ବସି ବସି ପିନ୍ଧୁଛି କି ଅଣ୍ଟା-ପିଠି… ୧୫ ମିନିଟର ଯୋଗ ଅଭ୍ୟାସ; ଯନ୍ତ୍ରଣା ଗାୟବ

Raseshwari Panigrahi Passes Away: ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀ ୭୯ ବର୍ଷରେ ପରଲୋକ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)