Advertisment

Rebel Voices Refuse to Fade in BJD: ମେଳି ଥମୁନି କି ବିଦ୍ରୋହର ସ୍ବର ଦବୁନି, ବିଜେଡିରେ ବଢୁଛି ଅମାନିଆଙ୍କ ସଂଖ୍ୟା

ଶୃଙ୍ଖଳା କମିଟି ଭୟ ବି କାଟୁ କରୁନାହିଁ। ମୁନା ଖାଁ, ଦେବାଶିଷ ସାମନ୍ତରାୟ, ବଦ୍ରି ପାତ୍ର, ଭୂପିନ୍ଦର ସିଂ, ସମ୍ବିତ ରାଉତରାୟଙ୍କ ଭଳି ନେତା ଏବେ ଅପ୍ରିୟ ସତ କହି ବିଜେଡିକୁ ଅଡୁଆରେ ପକାଉଛନ୍ତି।

author-image
Tapan Swain
BJD

BJD Photograph: (OTV)

ଦିନ ଥିଲା ବିଜୁ ଜନତା ଦଳରେ ପାଟି ଖୋଲିବାକୁ କାହାର ସାହସ ହେଉ ନ ଥିଲା। କିନ୍ତୁ ଏବେ ଏହି ଡର ଭୟ ଆଉ ନାହିଁ। ଯିଏ ପାରିଲା ସିଏ ବୟାନ ଦେଉଛନ୍ତି। ଏପରିକି ଦଳର ନେତୃତ୍ବକୁ ନେଇ ପ୍ରଶ୍ନ ଉଠାଉଛନ୍ତି । ୨୪ ବର୍ଷ ପରେ ଅମାନିଆଙ୍କୁ ସାବାଡ ପାଇଁ ଶୃଙ୍ଖଳା କମିଟି ଗଢିଥିଲେ ସୁପ୍ରିମୋ। ହେଲେ ଟାଣୁଆ ନେତାଙ୍କ ଉପରେ ଆକସନ୍ ନେବାକୁ ସାହସ ଜୁଟାଇପାରୁ ନାହିଁ କମିଟି । ଅନ୍ୟପକ୍ଷରେ କମିଟି ସଦସ୍ୟ କହିଛନ୍ତି, ବିଶୃଙ୍ଖଳାକାରୀଙ୍କ ଉପରେ ନଜର ରଖାଯାଇଛି। ...

Advertisment

ବୋଲ ମାନୁନାହାଁନ୍ତି ଅମାନିଆ। ବଢୁଛି ବିଦ୍ରୋହୀଙ୍କ ସଂଖ୍ୟା, ରହୁନି ଶୃଙ୍ଖଳା ଛାଟ ଭୟ। ଦୁର୍ବଳ ନେତୃତ୍ବ ଓ କନ୍ଦଳ ପାଇଁ ବିଜେଡି ଏବେ ଏକପ୍ରକାର ବିଭାଜିତ। ୨୪ ବର୍ଷ ପରେ ଅମାନିଆଙ୍କୁ ତୁଣ୍ଡି ବାନ୍ଧିବା ପାଇଁ ସଭାପତି ନବୀନ ପଟ୍ଟନାୟକ ଗଢିଥିଲେ ଶୃଙ୍ଖଳା କମିଟି। ହେଲେ ଶୃଙ୍ଖଳା କମିଟି ଏବେ ଯେମିତି ଦାନ୍ତ ହୀନ। 

ବିଦ୍ରୋହୀଙ୍କ ସ୍ବର ଏତେ ଶକ୍ତିଶାଳୀ ହୋଇଯାଇଛି ଯେ ଶୃଙ୍ଖଳା କମିଟି ଭୟ ବି କାଟୁ କରୁନାହିଁ। ମୁନା ଖାଁ, ଦେବାଶିଷ ସାମନ୍ତରାୟ, ବଦ୍ରି ପାତ୍ର, ଭୂପିନ୍ଦର ସିଂ, ସମ୍ବିତ ରାଉତରାୟଙ୍କ ଭଳି ନେତା ଏବେ ଅପ୍ରିୟ ସତ କହି ବିଜେଡିକୁ ଅଡୁଆରେ ପକାଉଛନ୍ତି। ଯଦିଓ ସେମାନେ ନବୀନଙ୍କ ନେତୃତ୍ବକୁ ସ୍ବୀକାର କରୁଛନ୍ତି କିନ୍ତୁ ପାଣ୍ଡିଆନଙ୍କୁ ଜୋରଦାର ବିରୋଧ କରୁଛନ୍ତି। 

Advertisment

ସୁଜାତାଙ୍କ ଏଣ୍ଟ୍ରିକୁ ଚେକ୍ ଦେବାକୁ ମେଳି !

ଦିନ ଥିଲା ତୁଣ୍ଡ ଖୋଲିଲେ ମୁଣ୍ଡ ଗଡାଉଥିଲେ ନବୀନ। ଆଜି କିନ୍ତୁ ଶୃଙ୍ଖଳା କମିଟିକୁ ଦଳରେ କେହି ଯେମିତି ଭୟ କରୁନାହାଁନ୍ତି। ପ୍ରତିଷ୍ଠା ଦିବସ ମଞ୍ଚରୁ ମୁନା ଖାଁ ଓ ବଦ୍ରି ପାତ୍ର ବିପର୍ଯ୍ୟୟ ପାଇଁ ବବି ଦାସ, ଭି.କେ. ପାଣ୍ଡିଆନ୍ଙ୍କୁ ଟାର୍ଗେଟ କରିଥିଲେ। ପ୍ରତିଷ୍ଠା ଦିବସରେ ପାଣ୍ଡିଆନଙ୍କ ପତ୍ନୀ ସୁଜାତାଙ୍କ ଏଣ୍ଟ୍ରିକୁ ଚେକ୍ ଦେବାକୁ ମେଳି ବି କରି ପାୱାର ସୋ କରିଥିଲେ ୫୦ରୁ ଅଧିକ ପୂର୍ବତନ ବିଧାୟକ। ସାଂସଦ ଦେବାଶିଷ ସାମନ୍ତରାୟ ଭୋଜି ଭାତ ଆଳରେ ନିଜ ଫାର୍ମ ହାଉସରେ ଏକାଧିକ ବାର ମେଳି କରି ଶକ୍ତି ପ୍ରଦର୍ଶନ କରୁଛନ୍ତି।

ଅନ୍ୟପଟେ ଯୁବଛାତ୍ର କମିଟି ଘୋଷଣା ପରେ ବାଦ ପଡିଥିବା ଛାତ୍ର ନେତା ବି ମୁହଁ ଖୋଲି ଦଳର ନିଷ୍ପତ୍ତି ବିରୋଧରେ ବର୍ଷିଲେଣି। ମେଳି ଥମୁନି କି ବିଦ୍ରୋହର ସ୍ବର ଦବୁନି। ସବୁଠୁ ବିଡ଼ମ୍ବନାର ବିଷୟ ହେଲା ଦଳର ନିଷ୍ପତ୍ତି ଓ ପରିଚାଳନାକୁ ସିଧାସଳଖ ବିରୋଧ କରି ଶୀର୍ଷ ନେତୃତ୍ବକୁ ଚାଲେଞ୍ଜ ଦେଉଥିଲେ ବି ଏସବୁ ଟାଣୁଆ ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ସାହସ ଜୁଟାଇ ପାରୁନି ଶୃଙ୍ଖଳା କମିଟି। କାରଣ ହାତ ମାରିଲେ, ଖେଳ ଖତମ ହେବାର ଭୟ ରହିଛି ନବୀନଙ୍କୁ। ସେପଟେ ଶୃଙ୍ଖଳା କମିଟି ସଦସ୍ୟ କହିଛନ୍ତି, ଯେଉଁ ବିଶୃଙ୍ଖଳାକାରୀମାନେ ଦଳର କ୍ଷତି କରୁଛନ୍ତି, ସେମାନଙ୍କ ଉପରେ ନଜର ରଖିଛି କମିଟି । …

କିଛି ଦିନ ତଳେ ପାଣ୍ଡିଆନ ଓ ନବୀନଙ୍କୁ ଟାର୍ଗେଟ କରି ବୟାନ ଦେଇଥିବା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ଶ୍ରୀମୟୀଙ୍କୁ ସସପେଣ୍ଡ କରିଛି ବିଜେଡି। ଏହି କାର୍ଯ୍ୟାନୁଷ୍ଠାନ ଆଳରେ ଦଳ ବିଶୃଙ୍ଖଳିତ ନେତାଙ୍କୁ ସାବାଡ କରିବାକୁ ନାଲି ଆଖି ଦେଖାଇଥିଲା। ମାତ୍ର ଅମାନିଆଙ୍କୁ ନବୀନଙ୍କ ସେ ମନ୍ତ୍ର ବି କାଟୁ କଲାନି। ଦଳର ସବୁ ଛାମୁଆ ସଂଗଠନରେ ସ୍ଥିତି ଏବେ ଭୟଙ୍କର। ଏଭଳି ସ୍ଥଳେ ନା ଶୃଙ୍ଖଳା ଛାଟ ଦଳପତି ପକାଇପାରୁଛନ୍ତି ନାଁ କାହାକୁ ବୁଝାଇ ପାରୁଛନ୍ତି। ପ୍ରୋ ପାଣ୍ଡିଆନ୍ ଓ ଆଣ୍ଟି ପାଣ୍ଡିଆନ ଗ୍ରୁପ୍ ମଧ୍ୟରେ ଓପନ୍ ୱାର ବି ଘୋଷଣା ହୋଇଗଲାଣି। କିନ୍ତୁ ନବୀନ କୌଣସି ଦୃଢ ନିଷ୍ପତ୍ତି ନେଇ ପାରୁନାହାନ୍ତି।...

ଏବେ ଦେଖିବାର କଥା ମାଳ ମାଳ ଅମାନିଆଙ୍କୁ ନବୀନ ଶୃଙ୍ଖଳା ଛାଟ ପକାଉଛନ୍ତି ନା ମାନଭଞ୍ଜନ କରି ଦଳକୁ ଠିକ୍ ଟ୍ରାକ୍ କୁ ଆଣୁଛନ୍ତି। ଏହା ନ ହେଲେ ଆସନ୍ତା ବର୍ଷ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପୂର୍ବରୁ ଦଳରେ ବଡ଼ ବିସ୍ଫୋରଣ ଘଟିପାରେ ବୋଲି ଚର୍ଚ୍ଚା ହେଉଛି।... 

Naveen Patnaik BJD
Advertisment
Related Articles
Advertisment