ରାତି ପାହିଲେ ମହାପ୍ରଭୁଙ୍କ ରଥଯାତ୍ରା । ରତ୍ନସିଂହାସନ ଛାଡ଼ି ଭକ୍ତଙ୍କ ଗହଣକୁ ଚାଲି ଆସିବେ କାଳିଆ ସାଆନ୍ତ । ଭାଇଭଉଣୀଙ୍କ ଘେନି ରଥରେ ବିଜେକରି ନବଦିନ ଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିର ଯିବେ । ସାଆନ୍ତଙ୍କ ଅପେକ୍ଷାରେ ସିଂହଦ୍ବାର ଆଗରେ ତିନି ରଥ । ଏବେଠୁ ଶ୍ରୀକ୍ଷେତ୍ରକୁ ଛୁଟିଲାଣି ଭକ୍ତଙ୍କ ସୁଅ । ଭକ୍ତି ଭାବରେ ଭିଜିଲାଣି ବଡଦାଣ୍ଡ ।
Published By: Namita Biswal
Last updated: 26 June 2025, 09:47 PM IST
ରଥଯାତ୍ରା
ଆଜ୍ଞାମାଳ ବିଜେ ପରେ ରଥଖଳାରୁ ୩ ରଥ ନନ୍ଦିଘୋଷ, ତାଳଧ୍ୱଜ, ଦେବଦଳନ ଟଣାଯାଇ ସିଂହଦ୍ୱାର ସମ୍ମୁଖକୁ ନିଆଯାଇଛି । ପ୍ରଥମେ ନନ୍ଦିଘୋଷ ଦକ୍ଷିଣମୋଡ଼ ହୋଇ ସିଂହଦ୍ୱାର ନିକଟକୁ ଗଡ଼ିଥିଲା । ଏହା ପଛକୁ ଦେବଦଳନ ଓ ତାଳଧ୍ୱଜ ରଥକୁ ପୋଲିସ୍ କର୍ମଚାରୀ ଟାଣି ନେଇଥିଲେ ।
ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ରଥଖଳାକୁ ସେବାୟତମାନେ ଯାଉଛନ୍ତି । ରଥରେ ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାରକୁ ହେବ ୩ ରଥ ଟଣା ।
ଆକୁଳ ଭକ୍ତ... ବ୍ୟାକୁଳ ଭକ୍ତ... ଭକ୍ତିରେ ଗଦ୍-ଗଦ ଭକ୍ତପ୍ରାଣ । ରଥ ପ୍ରସ୍ତୁତ, ପଥ ପ୍ରସ୍ତୁତ... କେତେବେଳେ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ବିରାଜିବେ କାଳିଆ ସାଆଁନ୍ତ ସେଇ ଅପେକ୍ଷାରେ ଭକ୍ତ ।
ଶ୍ରୀମନ୍ଦିରରୁ ଆଜ୍ଞାମାଳ ନେଇ ବାଇଶି ପାହାଚରେ ଆସୁଛନ୍ତି ସେବାୟତ । ସାଙ୍ଗରେ ଅଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ତିନି ରଥରେ ଆଜ୍ଞାମାଳ ବିଜେ ପରେ ରଥ ଆସି ଲାଗିବ ସିଂହଦ୍ୱାରରେ ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଙ୍ଗୀନ ଆଲୋକମାଳାରେ ଝଲସୁଛି ବଡଦାଣ୍ଡ । ରଥ, ପଥ ସବୁ ପ୍ରସ୍ତୁତ ।
ରତ୍ନବେଦି ଛାଡ଼ି ଜନ୍ମବେଦି ଯାତ୍ରାରେ ବାହାରିବାକୁ ଉଚ୍ଛନ୍ନ ହେଲେଣି ଚତୁର୍ଦ୍ଧା ମୂର୍ତ୍ତି । ସେଇଥିପାଇଁ ଶ୍ରୀମନ୍ଦିରରେ ପ୍ରସ୍ତୁତି ବି ଜୋରଦାର । ରାତି 12ଟାରୁ ସକାଳ 5ଟା ଭିତରେ ହେବ ସେନାପଟା ଲାଗି । 6ଟାରେ ମଙ୍ଗଳା ଆଳତୀ । ଅପରାହ୍ଣ 4ଟାରୁ ଆରମ୍ଭ ହେବ ରଥଟଣା ।
ରତ୍ନବେଦି ଛାଡ଼ି ଭାଇ-ଭାଉଣୀଙ୍କୁ ସାଙ୍ଗରେ ଘେନି ଜନ୍ମବେଦି ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବେ ମହାପ୍ରଭୁ ଜଗନ୍ନାଥ । ସେଥିପାଇଁ ଆଲୋକମାଳାରେ ସଜେଇ ହୋଇଛି ଗୁଣ୍ଡିଚା ମନ୍ଦିର ।