/odishatv-khabar/media/post_attachments/uploadimage/library/16_9/16_9_0/marriage_1625152067.jpg)
marriage
ମୁମ୍ବାଇ: ମହାରାଷ୍ଟ୍ରର ଜଣେ ୨୭ ବର୍ଷୀୟା ମହିଳାଙ୍କୁ ପୁଲିସ ଗିରଫ କରିଛି। ସେ ୩ ମାସରେ ୩ ଜଣ ପୁରୁଷଙ୍କୁ ବିବାହ କରିଛନ୍ତି । ତାଙ୍କ ବିରୋଧରେ ଅଭିଯୋଗ ହୋଇଛି, ସେ ବିବାହ ପରେ ସୁନାଗହଣା ଧରି ଫେରାର ହୋଇଯାଇଥିଲେ। ଔରଙ୍ଗାବାଦରେ ଏହି ଘଟଣା ଘଟିଛି। ଏହା ପଛରେ ଏକ ରାକେଟ କାମ କରୁଥିବା ପୁଲିସ୍ କହିଛି।
ପୁଲିସର କହିବା ଅନୁସାରେ ମୁକୁନ୍ଦୱାଡିର ବାସିନ୍ଦା ବିଜୟା ଅମୃତେ ନାମ୍ନୀ ଏହି ମହିଳାଙ୍କୁ ଗିରଫ କରାଯାଇଛି। ନାସିକର ଯୋଗେଶ ଶିରନାଥ ନାମକ ଜଣେ ଯୁବକ ଅଭିଯୋଗ କରିଥିଲେ ଯେ, ଏହି ମହିଳା ତାଙ୍କୁ ବିବାହ କରିଥିଲେ । ବିବାହର ୧୫ ଦିନ ପରେ ଘରୁ ସମସ୍ତ ଗହଣାଗାଣ୍ଠି ଧରି ସେ ଫେରାର ହୋଇଯାଇଛନ୍ତି । ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି – ଅମୃତେ ଜଣେ ବିବାହିତା ମହିଳା ଓ ତାଙ୍କର ଗୋଟିଏ ପୁଅ ଅଛି । ତେବେ ଏହି କରୋନା ସମୟରେ ଲକଡାଉନ କାରଣରୁ ସେ ଓ ତାଙ୍କ ସ୍ୱାମୀ ଚାକିରି ହରାଇଛନ୍ତି । ତେଣୁ ବିବାହ ପ୍ରଲୋଭନ ଦେଖାଇ ଲୁଟୁଥିବା ଏକ ରାକେଟରେ ସେ ଯୋଗଦେଇଛନ୍ତି । ସେ ୩ ମାସରେ ୩ଜଣଙ୍କୁ ବିବାହ କରି ଠକିଛନ୍ତି । ମୂଲ୍ୟବାନ ଅଳଙ୍କାର ନେଇ ଚାଲିଯାଇଛନ୍ତି ।
ଏହି ବିବାହିତା ମହିଳା ଠକିବା ଉଦ୍ଦେଶ୍ୟରେ ଶିରନାଥଙ୍କୁ ବିବାହ କରିଥିଲେ । ତାଙ୍କୁ ଛାଡି ରାଓଗଡର ସନ୍ଦୀପ ଦାରାଦେ ନାମକ ଯୁବକଙ୍କୁ ବାହା ହୋଇଥିଲେ । ତା ପରେ ପଶ୍ଚିମ ମହାରାଷ୍ଟ୍ରର ଅନ୍ୟ ଜଣକୁ ବିବାହ କରିଥିଲେ । ସ୍ତ୍ରୀ କେଉଁ ଆଡେ ଗଲେ ଭାବି ଶିରନାଥ ସବୁଆଡେ ଖୋଜାଖୋଜି କରିଥିଲେ । ସେ ଜାଣିଲେ ଯେ, ସେ ଅନ୍ୟ ଏକ ଜାଗାରେ ବିବବା କରିଛନ୍ତି । ଏହା ପରେ ସେ ପୁଲିସକୁ ଜଣାଇଥିଲେ ।
ଶିରନାଥ ଭାବିଥିଲେ, ଅମୃତେ ବୋଧହୁଏ ତାଙ୍କର ପ୍ରେମିକ ସହିତ ଚାଲିଯାଇଛନ୍ତି । କିନ୍ତୁ ପୁଲିସ ତଦନ୍ତରେ ଜଣାପଡିଥିଲା, ଏହା ପଛରେ ଏକ ରାକେଟ କାମ କରୁଛି ।
ଏହି ରାକେଟ ଅବିବାହିତ ଯୁବକମାନଙ୍କୁ ଟାର୍ଗେଟ୍ କରେ । ଏହି ରାକେଟର ମାଷ୍ଟରମାଇଣ୍ଡ ଦୁଇ ଜଣ ଦମ୍ପତି । ଏହି ଦମ୍ପତି ବିବାହ ପ୍ରସ୍ତାବ ଦିଅନ୍ତି । ବାହାଘର କରାଇବା ପାଇଁ ବର ପକ୍ଷରୁ ପ୍ରାୟ ୧ ଲକ୍ଷରୁ ୨ ଲକ୍ଷ ପର୍ଯ୍ୟନ୍ତ ଫି ନିଅନ୍ତି । ବାହାଘର ପରେ ଯୋଜନା କରି ଗହଣା ସବୁ କନ୍ୟା ସହାୟତାରେ ନେଇଯାଆନ୍ତି । ଏବେ ଏହି ଦମ୍ପତିଙ୍କୁ ପୁଲିସ ଖୋଜୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)