Advertisment

ବିବାହ-ଶୁଦ୍ଧିକ୍ରିୟା ହେବ, ହେଲେ ଖୋଲିବନି ଲୁଗା ଦୋକାନ ! ଲୋକଙ୍କ ମନରେ ବଢ଼ିଲାଣି ଅସନ୍ତୋଷ

ଭୁବନେଶ୍ୱର: ବିବାହ ଓ ଶୁଦ୍ଧିକ୍ରିୟା ହେବ, ହେଲେ ଖୋଲିବନି ଲୁଗା ଦୋକାନ । ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଅସନ୍ତୋଷ । କାରଣ ଉଭୟ କାର୍ଯ୍ୟ ଲାଗି ନୂଆ ଲୁଗା ଅପରିହାର୍ଯ୍ୟ । ଏଣେ ଲକ୍‌ଡାଉନ୍‌ ଓ ସଟ୍‌ଡାଉନରୁ ଫାଇଦା ନେଉଛନ୍ତି…

author-image
Satyendu Shekher Mishra
ଅଦ୍ୟତନ ହୋଇଛି
ବିବାହ-ଶୁଦ୍ଧିକ୍ରିୟା ହେବ, ହେଲେ ଖୋଲିବନି ଲୁଗା ଦୋକାନ ! ଲୋକଙ୍କ ମନରେ ବଢ଼ିଲାଣି ଅସନ୍ତୋଷ

Marrege

ଭୁବନେଶ୍ୱର: ବିବାହ ଓ ଶୁଦ୍ଧିକ୍ରିୟା ହେବ, ହେଲେ ଖୋଲିବନି ଲୁଗା ଦୋକାନ । ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଅସନ୍ତୋଷ । କାରଣ ଉଭୟ କାର୍ଯ୍ୟ ଲାଗି ନୂଆ ଲୁଗା ଅପରିହାର୍ଯ୍ୟ । ଏଣେ ଲକ୍‌ଡାଉନ୍‌ ଓ ସଟ୍‌ଡାଉନରୁ ଫାଇଦା ନେଉଛନ୍ତି କିଛି ହାତ ଗଣତି ବ୍ୟବସାୟୀ ।ପଛପଟୁଆ ଗ୍ରାହକଙ୍କଠାରୁ ଚଢା ଦର ହାଙ୍କୁଛନ୍ତି । ଏଣେ କଟକଣାକୁ ନେଇ ରାଜ୍ୟର ୫ ଲକ୍ଷରୁ ଅଧିକ ଲୁଗା ବ୍ୟବସାୟୀ ଏବେ ହାତବାନ୍ଧି ବସିଛନ୍ତି । ତେଣୁ ଉଭୟ ଗ୍ରାହକ ଓ ବ୍ୟବସାୟୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି କଟକଣା ଭିତରେ ଦୋକାନ ଖୋଲିବା ଲାଗି ଅନୁମତି ଦେବା ଲାଗି ରାଜ୍ୟ ଟେକ୍ସଟାଇଲ ମର୍ଚ୍ଚାଣ୍ଟ ଆସୋସିଏନ ଦାବି କରିଛି ।

Advertisment

ଭୁବନେଶ୍ୱର ବାଲିଅନ୍ତାରେ ଚାଲିଥିବା ଏକ ଦଶାହ ତୁଠର ଶୁଦ୍ଧିକ୍ରିୟାରେ ସାମିଲ ବନ୍ଧୁ ପରିଜନ ନୂଆ ବସ୍ତ୍ର ପିନ୍ଧିଥିଲେ । ତେବେ ଲକଡାଉନରେ ଦୋକାନ ବନ୍ଦ ଥିବା ବେଳେ ନୂଆ ଲୁଗା ଆସିଲା କେଉଁଠୁ ? କେବଳ ଏହି ପରିବାର ନୁହନ୍ତି ଲକ୍‌ଡାଉନ୍ ବେଳେ ଶୁଦ୍ଧିକ୍ରିୟା କରୁଥିବା ସବୁ ପରିବାର ପାଇଁ ସେଇ ଗୋଟିଏ ପ୍ରଶ୍ନ । କାରଣ ବିନା ନୂଆ ଲୁଗାରେ ବିବାହ ସିନା ହେଇଯିବ ଶୁଦ୍ଧିକ୍ରିୟା ଅସମ୍ଭବ । କୋଡିଏ ଲୋକଙ୍କୁ ନେଇ ସରକାର ଶୁଦ୍ଧିକ୍ରିୟା କରିବାକୁ ସରକାର ଯଦି ଅନୁମତି ଦେଲେ, ତେବେ ଏଥିପାଇଁ ଆବଶ୍ୟକ ଲୁଗାପଟା କେଉଁଠୁ ମିଳିବ । ସେ ବ୍ୟବସ୍ଥା କଲେନି କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଜନସାଧାରଣ ।

ଏପଟେ ଗ୍ରାହକଙ୍କ ଅସୁବିଧାରୁ ଫାଇଦା ମାରୁଛନ୍ତି କିଛି ବ୍ୟବସାୟୀ । ପଛପଟୁଆ ଲୁଗା ଗାମୁଛା ଯୋଗାଇ ଦେଇ ମନଇଛା ଦର ଭିଡୁଛନ୍ତି ଆଉ ଯିଏ ଦେଇନପାରୁନି ତା ହାଲତ ଖରାପ । ରାଜଧାନୀର ଜଣେ ମହିଳା ସୁପ୍ରିୟା ମହାନ୍ତି ଶୁଦ୍ଧିକ୍ରିୟା ଲାଗି ଲୁଙ୍ଗି ଗାମୁଛା କିଣିବାକୁ ଭୁବନେଶ୍ୱର ସାରା ବୁଲିସାରିଲେଣି । ହେଲେ ଏଯାଏଁ ମିଳିନାହିଁ । ଯେଉଁଠି ଲୁଚାଛପାରେ ବିକ୍ରି ହେଉଛି, ବ୍ୟବସାୟୀ ମାତ୍ରାଧିକ ଦାମ କହୁଥିବାରୁ ନିରାଶ ହୋଇଛନ୍ତି ସୁପ୍ରିୟା ।

Advertisment

କେବଳ ଶୁଦ୍ଧିକ୍ରିୟା ନୁହେଁ ବାହାଘର କରୁଥିବା ଲୋକଙ୍କ ପାଇଁ ବି ସମାନ ସମସ୍ୟା । ଗୋଟିଏ ପରିବାର ଝିଅ ବାହାଘର ପାଇଁ ଲୁଗା କିଣିବାକୁ ଭୁବନେଶ୍ୱର ଆସିଥିଲେ । ତେବେ କୋଭିଡ୍ ଗାଇଡଲାଇନ ଉଲଂଙ୍ଘନ ଅଭିିଯୋଗରେ ବିଏମ୍‌ସି ଦୋକାନ ସିଲ୍ କରିଦେବାରୁ ଏମାନେ ଲୁଗା କିଣିପାରିନାହାନ୍ତି । ବନ୍ଧୁବାନ୍ଧବଙ୍କୁ ନଦେଲେ ଚଳିବ, ତେବେ ବର କନ୍ୟାଙ୍କ ଲାଗି ନୂଆ ଲୁଗା ତ ନିଶ୍ଚିତ ଦରକାର । ତେଣୁ କେମିତି କରିବେ ବାହାଘର ? ତାକୁ ନେଇ ଚିନ୍ତାରେ ଏହି ପରିବାର ।

ଏପଟେ ଦୁଇ ମାସ ଧରି ଦୋକାନ ବନ୍ଦ ଥିବାରୁ ପେଟପାଟଣାକୁ ନେଇ ଆଶାଆଶଙ୍କାରେ ରାଜ୍ୟର ୫ ଲକ୍ଷରୁ ଅଧିକ ଲୁଗା ଦୋକାନୀ । କର୍ମଚାରୀ ଓ ଫେରିବାଲା ଦୋକାନ ଭଡ଼ା, କର୍ମଚାରୀଙ୍କ ଦରମା, ବ୍ୟାଙ୍କ କିସ୍ତୀ ସହିତ ବିଦ୍ୟୁତ ବିଲ୍ ପୈଠ କରିବା ଏମାନଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଛି । ବ୍ୟବସାୟୀଙ୍କ କଷ୍ଟକୁ ଦେଖି ତୁରନ୍ତ ଦୋକାନ ଖୋଲିବା ଲାଗି ଅନୁମତି ଦେବାକୁ ଟେକ୍ସଟାଇଲ ମର୍ଚ୍ଚାଣ୍ଟ ଆସୋସିଏନ ଅଫ ଓଡ଼ିଶା ସରକାରଙ୍କୁ ନିବେଦନ କରିଛି ।

ବିବାହ ଓ ଶୁଦ୍ଧିକ୍ରିୟା ପାଇଁ ଅନୁମତି ଥିବା ବେଳେ ଲୁଗା ଦୋକାନ ଖୋଲିବାକୁ ଅନୁମତି ଦିଆନଯିବା ଲୋକଙ୍କୁ ଅଡୁଆରେ ପକାଇଛି ଗତକାଲି ଭୁବନେଶ୍ୱର କଳ୍ପନା ଛକରେ ଥିବା ମା ତାରିଣୀ ବସ୍ତ୍ରାଳୟରେ କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ବିଏମ୍ସି ପକ୍ଷରୁ ଚଢାଉ ସମୟରେ ଭିତରେ ଅନେକ ଲୋକ କିଣାକିଣି କରୁଥିଲେ । ଫଳରେ ଦୋକାନ ମାଲିକଙ୍କ ଠାରୁ ୭୫ ହଜାର ଟଙ୍କା ଫାଇନ ଆଦାୟ କରାଯାଇଥିଲା । ଆଉ ପ୍ରତି ଗ୍ରାହକଙ୍କ ଠାରୁ ମଧ୍ୟ ୫ଶହ ଟଙ୍କା ଲେଖାଏଁ ଫାଇନ୍ ଆଦାୟ କରାଯାଇଥିଲା ।

Odisha Shut Down Lock Down
Advertisment
Advertisment