/odishatv-khabar/media/post_attachments/uploadimage/library/16_9/16_9_0/Sinc-pkg-1_1625186912.jpg)
Sinc-pkg
ଚୌଦ୍ୱାର (ପ୍ରକାଶ କୁମାର ନାୟକ) : ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସିଯାଏ। ଆଉ କଠିନ ପରିଶ୍ରମ ସମସ୍ତ ଅସମ୍ଭବକୁ ସମ୍ଭବ କରି ଦେଖାଏ। ଏବେ ଏକଥାକୁ ପ୍ରମାଣ କରି ଦେଖାଇଛନ୍ତି କଟକ ଜିଲ୍ଲା ଟାଙ୍ଗୀ ବ୍ଲକ ଶଙ୍କରପୁର ଗ୍ରାମର ସୁବାଶିଷ। ଆଇଜର୍ରେ ସେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ସୁବାଶିଷଙ୍କ ବାପା ଜଣେ ପାନ ଦୋକାନୀ। ସେ ଏକ ଛୋଟିଆ ପାନ ଦୋକାନ କରି ପରିବାର ଚଳାଉଥିବା ବେଳେ ପୁଅ କିନ୍ତୁ ପାଠ ପଢି ବାପାଙ୍କ ସମ୍ମାନ ରଖିପାରିଛନ୍ତି। ସେଥିଲାଗି ତାଙ୍କୁ ଆଖପାଖ ଲୋକେ ଢେର ପ୍ରଶଂସା କରୁଛନ୍ତି।
ସୁବାଶିଷଙ୍କ ବାପା ପରମାନନ୍ଦ ବେହେରାଙ୍କର ଯାହା ରୋଜଗାର ହୁଏ ସେଥିରେ ୪ପ୍ରାଣୀ ଚଳନ୍ତି। ପରମାନନ୍ଦଙ୍କ ପରିବାର କହିଲେ ତାଙ୍କ ସ୍ତ୍ରୀ ଓ ଗୋଟେ ପୁଅ ଆଉ ଗାଟେ ଝିଅ। ପୁଅ ସୁବାଶିଷ ୨୦୧୮ ମସିହାରେ ଆଗ୍ରାହାଟ ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରୁ ମାଟ୍ରିକ ପରିକ୍ଷାରେ ୯୦ପ୍ରତିଶତ ମାର୍କ ରଖି ପାସ କରିଥିଲେ। ତା’ପରେ କଟକ ରେଭେନ୍ସା କଲେଜରେ ଅଧ୍ୟୟନ କଲେ। ମେଧାବୀ ଛାତ୍ର ଭାବରେ ସେ ଶିକ୍ଷକ ମାନଙ୍କ ପ୍ରିୟ ହୋଇପାରିଥିଲେ। ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ସେ ଭଲ କୋଚିଂ ସେଣ୍ଟରରେ ପଢିପାରିନଥିଲେ।
କିନ୍ତୁ ବୈଜ୍ଞାନିକ ହେବାର ନିଶା ତାଙ୍କ ମନରୁ କେବେବି ଦୂରେଇ ଯାଇ ପାରିନଥିଲା। ସେ ଆଇନଷ୍ଟାଇନ୍ଙ୍କ ପରି ଜଣେ ଭଲ ବୈଜ୍ଞାନିକ ହେବାକୁ ଆଶା ରଖିଛନ୍ତି। ସେ ଏହି ସଫାଳତାର ଶ୍ରେୟ ତାଙ୍କ ବାପା ମା ଓ ଶିକ୍ଷକମାନଙ୍କୁ ଦେଇଛନ୍ତି।
ସେପଟେ ପୁଅର ସଫଳତାରେ ବାପା ମା’ ବହୁତ ଖୁସି। ପୁଅ ଏହି ସଫଳତା ତା ନିଜ ପରିଶ୍ରମରେ ପାଇଛି। ଆର୍ଥିକ ଅବସ୍ଥା ଖରାପ ଥିବାରୁ ଭଲ କୋଚିଂ ସେଣ୍ଟରରେ ପଢିପାରିନଥିଲା ସତ। ହେଲେ ଭଗବାନ ତାକୁ ଆଶିର୍ବାଦ କରିଛନ୍ତି ଏବଂ ତା ଡାକ ଶୁଣିଛନ୍ତି ବୋଲି ତା ବାପା ମାଆ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)