Advertisment

ଆଧୁନିକ ପରିଧାନରେ ସମ୍ବଲପୁରୀ ପୋଷାକର ଚାହିଦା

(ଲିପ୍‌ସା ପଟେଲ) ଓଡ଼ିଶାର କଳା, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ଉତ୍କର୍ଷତା ପାଇଁ ହିଁ ଓଡ଼ିଶାର ଅନ୍ୟ ନାମ ଉତ୍କଳ। ଯଦି ହସ୍ତଶିଳ୍ପ କଳାର ଆଲୋଚନା କରାଯାଏ ତେବେ ଓଡିଶାର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ପ୍ରକାରର ବୟନଶିଳ୍ପ ଦେଖିବାକୁ ମିଳେ। କିଛି ଉଲ୍ଲେଖଯୋଗ୍ୟ ବୟନଶିଳ୍ପ ମଧ୍ୟରେ ସମ୍ବଲପୁରୀ, ସୋନପୁରୀ ପାଟ, ବ୍ରହ୍ମପୁରୀ ପାଟ ଯୋଡ, ଖୋର୍ଦ୍ଧା ଲୁଙ୍ଗି ଗାମୁଛା, ହବସପୁରୀ, ବୋମକାଇ, ଖଣ୍ଡୁଆ, ମାଣିଆବନ୍ଧ,ଖଦି ପୋଷାକ, ଉତ୍ତର ଓଡ଼ିଶାର ଟସର ଲୁଗା, ଧଳାପଥର ପରଦା ଇତ୍ୟାଦି ରହିଛି। […]

ଅଦ୍ୟତନ ହୋଇଛି
ଆଧୁନିକ ପରିଧାନରେ ସମ୍ବଲପୁରୀ ପୋଷାକର ଚାହିଦା

thumb

Advertisment

(ଲିପ୍‌ସା ପଟେଲ) ଓଡ଼ିଶାର କଳା, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ଉତ୍କର୍ଷତା ପାଇଁ ହିଁ ଓଡ଼ିଶାର ଅନ୍ୟ ନାମ ଉତ୍କଳ। ଯଦି ହସ୍ତଶିଳ୍ପ କଳାର ଆଲୋଚନା କରାଯାଏ ତେବେ ଓଡିଶାର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ପ୍ରକାରର ବୟନଶିଳ୍ପ ଦେଖିବାକୁ ମିଳେ। କିଛି ଉଲ୍ଲେଖଯୋଗ୍ୟ ବୟନଶିଳ୍ପ ମଧ୍ୟରେ ସମ୍ବଲପୁରୀ, ସୋନପୁରୀ ପାଟ, ବ୍ରହ୍ମପୁରୀ ପାଟ ଯୋଡ, ଖୋର୍ଦ୍ଧା ଲୁଙ୍ଗି ଗାମୁଛା, ହବସପୁରୀ, ବୋମକାଇ, ଖଣ୍ଡୁଆ, ମାଣିଆବନ୍ଧ,ଖଦି ପୋଷାକ, ଉତ୍ତର ଓଡ଼ିଶାର ଟସର ଲୁଗା, ଧଳାପଥର ପରଦା ଇତ୍ୟାଦି ରହିଛି।

Advertisment

ଏଥିମଧ୍ୟରୁ ସମ୍ବଲପୁରୀ ବୟନ ଶିଳ୍ପ କେବଳ ଓଡ଼ିଶା ନୁହେଁ ବିଦେଶରେ ମଧ୍ୟ ବେଶ୍ ଆଦୃତ। ଏବେ ଆଧୁନିକ ପରିଧାନରେ ସମ୍ବଲପୁରୀର ନୂତନୀକରଣ ଏହାର ଚାହିଦାକୁ ବହୁଗୁଣିତ କରିପାରିଛି। କେବଳ ମହିଳାଙ୍କ ପାଇଁ ନୁହେଁ ଏବେ ସମ୍ବଲପୁରୀର ଅନେକ ଡିଜାଇନ୍‌ର ପୋଷାକ ପୁରୁଷ ତଥା ପିଲାମାନଙ୍କ ପାଇଁ ମଧ୍ୟ ବଜାରରେ ଉପଲବ୍ଧ ହେଉଛି।

ସମ୍ବଲପୁରୀରେ ମହିଳାଙ୍କ ପାଇଁ ଆଧୁନିକ ପରିଧାନ :

ନୂତନ ଧରଣର ପରିଧାନ ପିନ୍ଧିବାକୁ ପ୍ରାୟତଃ ମହିଳାମାନେ ବେଶ୍ ଉତ୍ସାହିତ ଥାଆନ୍ତି। ଏହା କେବଳ ବ୍ୟକ୍ତିତ୍ୱକୁ ବିକଶିତ କରେ ତାହା ନୁହେଁ, ଆତ୍ମବିଶ୍ୱାସ ବୃଦ୍ଧି କରିଥାଏ। ଆଜିକାଲିର ଫେସନରେ କେବଳ ସମ୍ବଲପୁରୀ ଶାଢୀ ନୁହେଁ, ଅନ୍ୟ ତନ୍ତୁଜାତୀୟ ଶାଢୀରେ ସମ୍ବଲପୁରୀ ଧଡି, କାନି ଏମିତି କିଛି ମିଶ୍ରଣ କରାଯାଇ ଫ୍ୟୁଜନ୍ ଟେକ୍ନୋଲୋଜି କରାଯାଉଛି। ଏତଦ୍ ବ୍ୟତୀତ ସ୍କଟ୍, ଗାଉନ୍,କୁର୍ତ୍ତି, ଓଢଣୀରେ ମଧ୍ୟ ସମ୍ବଲପୁରୀର କିଛି କପଡା ସହ ଅନ୍ୟ କପଡା ଯୋଡି ଏକ ଭିନ୍ନ କଳେବର  ଦିଆଯାଉଛି।  ପ୍ରତ୍ୟେକ ବର୍ଗର ମହିଳାଙ୍କ ପାଇଁ ଏହା ବେଶ ଆକର୍ଷଣୀୟ ଲାଗୁଛି। ଏହାର ଆଦୃତି ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କର୍ମଜୀବୀ ମହିଳାଙ୍କଠାରୁ ଆରମ୍ଭ କରି ଗୃହିଣୀ ତଥା କଲେଜ ପଢୁଆ ଝିଅମାନେ ମଧ୍ୟ ଏହାକୁ ପସନ୍ଦ କରୁଛନ୍ତି।

Advertisment

ସମ୍ବଲପୁରୀରେ ପୁରୁଷଙ୍କ ଆଧୁନିକ ପରିଧାନ ...

ଯଦିଓ ପୁରୁଷଙ୍କ କ୍ଷେତ୍ରରେ ଏମିତି କିଛି ଆଖିଦୃଶିଆ ପରିଧାନ ପ୍ରାୟତଃ ବଜାରରେ ଦେଖିବାକୁ ମିଳେ ନାହିଁ, ତଥାପି ସେହି ପାରମ୍ପରିକ ସାର୍ଟ, ଢିଲା ପଞ୍ଜାବୀ, କୁର୍ତ୍ତା, ୱେଷ୍ଟ କୋଟ୍, ଜ୍ୟାକେଟ୍ ଏସବୁରେ ସମ୍ବଲପୁରୀର ଛାପ ଦେଖିବାକୁ ମିଳିଥାଏ। ସମ୍ବଲପୁରୀର ସ୍ପର୍ଶ ଅନେକ ମାତ୍ରାରେ ପରିଧାନର ଭାବମୂର୍ତ୍ତିକୁ ଆକର୍ଷଣୀୟ କରିଦିଏ। ରାଜନେତାଙ୍କଠାରୁ ଆରମ୍ଭ କରି ଅଭିନେତା, ଶିକ୍ଷକ, ପ୍ରଶାସକ, ସାମ୍ବାଦିକ,ବ୍ୟବସାୟୀ ସବୁ ବର୍ଗର ପୁରୁଷମାନେ ଏହି ପୋଷାକକୁ ପସନ୍ଦ କରୁଛନ୍ତି।

ସମ୍ବଲପୁରୀ ମାସ୍କ ...

ଏବେ କରୋନା ସମୟରେ ସମ୍ବଲପୁରୀ ମାସ୍କ (ମୁଖା)ର ଚାହିଦା ବେଶ୍ ବଢିଛି। ସୂତାଲୁଗାର ଏହି ମାସ୍କକୁ ଅନେକ ସମୟ ଧରି ପିନ୍ଧିଲେ ମଧ୍ୟ ଅଣନିଶ୍ଵାସୀ ଲାଗେ ନାହିଁ। ତେଣୁ କର୍ମଜୀବୀଙ୍କ ମଧ୍ୟରେ ଏହାର ଆଦୃତି ବଢିଛି। ପୁରୁଣା ସମ୍ବଲପୁରୀ କପଡାକୁ ଭଲ ଭାବରେ ସଫା କରି ବ୍ୟକ୍ତିଗତ ବ୍ୟବହାର ପାଇଁ ମାସ୍କ ତିଆରି କରାଯାଇପାରେ। ତେଣୁ ଏବେ ଏହି ବିଶ୍ୱ ମହାମାରୀ ସମୟରେ ସମ୍ବଲପୁରୀ ମାସ୍କ ଘରେ ଘରେ ନିଜ ଛାପ ଛାଡି ପାରିଛି।

Advertisment

ବଜାରରେ ଚାହିଦା ଥିବା ସମ୍ବଲପୁରୀ ଡିଜାଇନ ...
ବର୍ତ୍ତମାନର ଫେସନ୍ ଦୁନିଆରେ ଅଧିକ ଚାହିଦା ରଖିଥିବା ଡିଜାଇନ ଭିତରେ ପଶାପାଲି, ବିଚିତ୍ରାପଲ୍ଲୀ, ଆଇକଟ୍, ଆଲପନା,କୁମ୍ଭ ଓ ବାନ୍ଧକାମ ଅନ୍ୟତମ। ଏହା ପୋଷାକକୁ ଏକ ସ୍ବତନ୍ତ୍ର ପରିପାଟୀ ଦେଇଥାଏ। ଏହାକୁ ନେଇ ଫ୍ୟୁଜନ୍ ଟେକ୍ନୋଲୋଜି ସହିତ ଅନେକ ରକମର ପରିଧାନ ତିଆରି କରାଯାଇ ପାରୁଛି। ସୂତା ଲୁଗା ସହ ପାଟ ବସ୍ତ୍ରର ଏହିସବୁ ଡିଜାଇନ ସବୁ ସମୟ ଓ ସୁଯୋଗ ପାଇଁ ଆକର୍ଷଣୀୟ ଲାଗୁଛି। ଏହାର ଆଦୃତି ଦେଶ ବାହାରେ ମଧ୍ୟ ବଢୁଛି।

ସମ୍ବଲପୁରୀ ସମ୍ମିଶ୍ରଣର କାରଣ :

ପରିଧାନର ଏପରି ନୂତନୀକରଣ ଉଭୟ ଆଧୁନିକ ଓ ପାରମ୍ପରିକ ବେଶଭୂଷାକୁ ଉପସ୍ଥାପନ କରୁଛି। ଏହାଛଡା ସମ୍ବଲପୁରୀ ସମ୍ମିଶ୍ରଣରେ ପୋଷାକର ଦାମ୍ ଅପେକ୍ଷାକୃତ ଭାବରେ କମ୍ ହୋଇପାରୁଛି ଯାହା ସମାଜର ସବୁ ଶ୍ରେଣୀର ଲୋକଙ୍କ ପାଇଁ ଗ୍ରହଣୀୟ ହେଉଛି। ସମ୍ବଲପୁରୀ ଲୁଗା ପ୍ରାକୃତିକ ତନ୍ତୁଜାତୀୟ ହୋଇଥିବାରୁ ଏହା ଶରୀର କିମ୍ବା ଚର୍ମ ଉପରେ କୌଣସି କୁପ୍ରଭାବ ପକାଏ ନାହିଁ। ଆବାଳବୃଦ୍ଧ ବନିତା ଏହାକୁ ବ୍ୟବହାର କରିପାରିବେ। ଏହି ପୋଷାକସବୁ ବଜାରର ଅନ୍ୟ କିସମର ପୋଷାକଠାରୁ ଦୀର୍ଘସ୍ଥାୟୀ। ଏଥିପାଇଁ ଏହାର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି।

ଏହି ସମ୍ବଲପୁରୀ ପରିଧାନର ନୂତନୀକରଣ ନିଶ୍ଚିତ ରୂପେ ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବା ସହିତ ଆଗାମୀ ପୀଢି ସହ ପରମ୍ପରାକୁ ଏକ ସୂତ୍ରରେ ଯୋଡି ରଖିବ। ଏହାର ପ୍ରଚାର ଓ ପ୍ରସାର ଦିଗରେ ରାଜ୍ୟ ତଥା କେନ୍ଦ୍ର ସରକାର ଆହୁରି ଆଖିଦୃଶିଆ ପଦକ୍ଷେପ ନେବା ଆବଶ୍ୟକ।  ଏହାଦ୍ୱାରା ଏହା ବିଦେଶୀ ଗ୍ରାହକଙ୍କୁ ଆକୃଷ୍ଟ କରିବ। ନିଜ ପରିଚୟ ଓ ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଏହା ଆମ ରାଜ୍ୟକୁ ସହାୟକ ହେବା ସହ ଫେସନ୍ ଦୁନିଆରେ ମଧ୍ୟ ଏକ ଇତିହାସ ସୃଷ୍ଟି କରିପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ