Advertisment

ପରୀକ୍ଷା ଦେବେନି କିନ୍ତୁ ମିଳିବ ମାର୍କ। କେମିତି ଜାଣିଛନ୍ତି ?

ମାଟ୍ରିକ୍ ପରୀକ୍ଷାକୁ ରହିଲା ମାସେରୁ କମ୍ ସମୟ। ଶୃଙ୍ଖଳିତ ପରୀକ୍ଷା ପରିଚାଳନା ପାଇଁ ସରକାର ପ୍ରସ୍ତୁତି ଚଳାଇଛନ୍ତି। ଛାତ୍ରଛାତ୍ରୀ ବି ନିଜକୁ ପ୍ରସ୍ତୁତ କରୁଛନ୍ତି

author-image
Sarbeswar
ପରୀକ୍ଷା ଦେବେନି କିନ୍ତୁ ମିଳିବ ମାର୍କ। କେମିତି ଜାଣିଛନ୍ତି ?

exam

  • ପାଖେଇ ଆସୁଛି ମାଟ୍ରିକ୍ ପରୀକ୍ଷା
  • ଛାତ୍ରଛାତ୍ରୀଙ୍କ ଶଙ୍କା, କରୋନା ପଜିଟିଭ୍ ହେଲେ କେମିତି ଦେବେ ଏକଜାମ୍
  • ପରୀକ୍ଷା ପାଇଁ ବିକଳ୍ପ ବ୍ୟବସ୍ଥା କଲା ସିବିଏସ୍ଇ
  • ଗଣଶିକ୍ଷାମନ୍ତ୍ରୀ କହିଲେ ସରକାର ଖୁବଶୀଘ୍ର ନେବେ ପଦକ୍ଷେପ
  • ୩୦ ପରେ ନବମ ପରୀକ୍ଷା ନେଇ ହେବ ନିଷ୍ପତ୍ତି
Advertisment

ଭୁବନେଶ୍ୱର: ମାଟ୍ରିକ୍ ପରୀକ୍ଷାକୁ ରହିଲା ମାସେରୁ କମ୍ ସମୟ। ଶୃଙ୍ଖଳିତ ପରୀକ୍ଷା ପରିଚାଳନା ପାଇଁ ସରକାର ପ୍ରସ୍ତୁତି ଚଳାଇଛନ୍ତି। ଛାତ୍ରଛାତ୍ରୀ ବି ନିଜକୁ ପ୍ରସ୍ତୁତ କରୁଛନ୍ତି। ମାତ୍ର ମନରେ ଶଙ୍କା କେହି ଯଦି କରୋନା ପଜିଟିଭ ବାହାରନ୍ତି ତେବେ ପରୀକ୍ଷା ଦେବେ କେମିତି ? ଏଭଳି ଆଶଙ୍କାକୁ ଦେଖି ସିବିଏସ୍ଇ ବିକଳ୍ପ ବ୍ୟବସ୍ଥା କରି ସାରିଛି। ଅନ୍ୟପକ୍ଷରେ ରାଜ୍ୟ ସରକାର ମଧ୍ୟ ଏନେଇ ଖୁବ୍ ଶୀଘ୍ର ନିଷ୍ପତ୍ତି ନେବେ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।

କରୋନା ଆକ୍ରାନ୍ତ ହେଲେ ବରବାଦ ହେବନି ଗୋଟିଏ ବର୍ଷ। ଏଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ସିବିଏସ୍ଇ। ପରୀକ୍ଷା ପୂର୍ବରୁ କି ଦେଉଥିବା ସମୟରେ ପରୀକ୍ଷାର୍ଥୀ ପଜିଟିଭ ଚିହ୍ନଟ ହେଲେ ପରୀକ୍ଷା ଦେବେନି କିନ୍ତୁ ମିଳିବ ମାର୍କ। ପୂର୍ବ ପରୀକ୍ଷା ଓ ଯେତୋଟି ପେପର ଦେଇଥିବେ ସେଇ ବିଷୟରେ ରଖିଥିବା ମାର୍କକୁ ଆଧାର କରି ଅନ୍ୟ ବିଷୟରେ ନମ୍ବର ଦିଆଯିବ। ନଚେତ ଆଉ ଥରେ ପରୀକ୍ଷା ଦେବାର ସୁଯୋଗ ମିଳିବ। ମହାମାରୀ ପାଇଁ କ୍ୟାରିୟରର ଗୋଟିଏ ବର୍ଷ ଯେପରି ନଷ୍ଟ ନହେବ ସେଥିଲାଗି ଏଭଳି ବିକଳ୍ପ ବ୍ୟବସ୍ଥା କରିଛି ସିବିଏସଇ।

Advertisment

ଏହି ସୂଚନା ଦେଇଛନ୍ତି ସିବିଏସ୍ଇର ପରୀକ୍ଷା ନିୟନ୍ତ୍ରକ ସ୍ୱୟମ୍‌ ଭରଦ୍ୱାଜ। ଏହାସହ ପରୀକ୍ଷା କେନ୍ଦ୍ରଗୁଡିକୁ ନିୟମିତ ସାନିଟାଇଜ କରିବା ଲାଗି ସ୍ୱତନ୍ତ୍ର ଅର୍ଥରାଶି ମଧ୍ୟ ଦିଆଯାଇଛି। ସିବିଏସ୍ଇର ଏଭଳି ପଦକ୍ଷେପକୁ ଛାତ୍ରଛାତ୍ରୀ ସ୍ୱାଗତ କରିଛନ୍ତି। ପରୀକ୍ଷା ପରିଚାଳନା ଓ ମାର୍କିଂ ଲାଗି ସିବିଏସ୍ଇ ବିକଳ୍ପ ସ୍ଥିର କରିଥିବା ବେଳେ ଏଭଳି ସ୍ଥିତି ପାଇଁ ରାଜ୍ୟ ସରକାର କି ବ୍ୟବସ୍ଥା କରୁଛନ୍ତି ଏବେ ତା ଉପରେ ନଜର। କାରଣ ପରୀକ୍ଷାକୁ ମାସେ ଥିବା ମାଧ୍ୟମିକ ଶିକ୍ଷା ପରିଷଦ କିମ୍ବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେଇ କୌଣସି ଗାଇଡଲାଇନ୍ ଆସିନାହିଁ।

ଓଡ଼ିଶାରେ କୋଭିଡର ଦ୍ୱିତୀୟ ଲହର କ୍ରମଶଃ ବେକାବୁ ହେବାରେ ଲଗିଛି। ଏପ୍ରିଲ ତୃତୀୟ ସପ୍ତାହରୁ ମେ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ସମୟ ସଂକ୍ରମଣ ପିକରେ ରହିବା ଆଶଙ୍କା କରାଯାଉଛି। ଏହି ସମୟରେ ପରୀକ୍ଷା ପଡୁଥିବାରୁ ଛାତ୍ରଛାତ୍ରୀ ଅଭିଭାବକଙ୍କ ଚିନ୍ତା ବଢିଛି। ତେଣୁ ପରୀକ୍ଷା ପୂର୍ବରୁ ହେଉ କି ପରୀକ୍ଷା ଦେବା ସମୟରେ କେହି ଯଦି କୋଭିଡ୍‌ ପଜିଟିଭ୍ ହୁଅନ୍ତି ତାହେଲେ ସଂପୃକ୍ତ ପରୀକ୍ଷାର୍ଥୀଙ୍କ ଲାଗି କି ବ୍ୟବସ୍ଥା ହେବେ ତାକୁ ନେଇ ବଢିଛି ଉତ୍କଣ୍ଠା। ତେବେ ଏ ସଂପର୍କରେ ଖୁବ୍ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ।

ମେ ୩ରୁ ମାଟ୍ରିକ ପରୀକ୍ଷା ଓ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା କରାଇବାକୁ ସ୍ଥିର ହୋଇଛି। ନିର୍ଦ୍ଧାରିତ ତାରିଖରେ ପରୀକ୍ଷା ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ ସ୍ପଷ୍ଟ କରିସାରିଛନ୍ତି। ତେବେ ସରକାର ସମ୍ଭାବ୍ୟ ସ୍ଥିତିର ମୁକାବିଲା ଲାଗି କି ବ୍ୟବସ୍ଥା କରୁଛନ୍ତି ଏବେ ତା ଉପରେ ନଜର ରହିଛି।

ବାଲେଶ୍ୱରରୁ ରଶ୍ମିରଞ୍ଜନ ଦାସ ଓ ଭୁବନେଶ୍ୱରରୁ ଜଗଦୀଶ ଦାସଙ୍କ ରିପୋର୍ଟ

Advertisment
Advertisment