/odishatv-khabar/media/post_attachments/uploadimage/library/16_9/16_9_0/enclosure_1625089428.jpg)
enclosure
ଭୁବନେଶ୍ୱର: କାହିଁକି ଏନ୍କ୍ଲୋଜରରେ ବାଘୁଣୀ ସୁନ୍ଦରୀ ? ସାତକୋଶିଆରେ ବାଘ ବଂଶ ବିସ୍ତାର ପାଇଁ କରାଯାଇଥିବା ଯୋଜନା କାହିଁକି ଫେଲ୍ ମାରିଲା? ଦୀର୍ଘଦିନ ପରେ ବି ସୁନ୍ଦରୀ ବାବଦରେ କାହିଁକି ନିଆଯାଇ ପାରୁନାହିଁ କୌଣସି ନିଷ୍ପତ୍ତି? ବାଘୁଣୀ ସୁନ୍ଦରୀର ଏଭଳି ଅବସ୍ଥା ସମ୍ପର୍କରେ ମଧ୍ୟପ୍ରଦେଶ ହାଇକୋର୍ଟରେ ରେଡ୍ ଲିଙ୍କସ୍ କନଫେଡେରେସନ୍ ନାମକ ସଂସ୍ଥା ପକ୍ଷରୁ ଏକ ଜନସ୍ୱାର୍ଥ ମାମଲା ଦାଏର କରାଯାଇଛି। ମାମଲାର ଶୁଣାଣି କରି ଏ ସମ୍ପର୍କିତ ରିପୋର୍ଟ ସହ ବାଘୁଣୀ ସୁନ୍ଦରୀର ବର୍ତ୍ତମାନର ସ୍ଥିତି ଜଣାଇବା ପାଇଁ ରାଜ୍ୟ ବନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମଧ୍ୟପ୍ରଦେଶ ହାଇକୋର୍ଟI
ନିର୍ଦ୍ଦେଶ ଅନୁଯାୟୀ ଆସନ୍ତା ସପ୍ତାହରେ ଓଡ଼ିଶା ବନ ବିଭଗ ପକ୍ଷରୁ ଅନୁଗୁଳ ଡିଏଫ୍ଓ ମଧ୍ୟପ୍ରଦେଶ ହାଇକୋର୍ଟରେ ହାଜର ହୋଇ ପକ୍ଷ ରଖିବେ I ତେବେ ବାରମ୍ବାର ପତ୍ର ଲେଖିବା ପରେ ବି ମଧ୍ୟପ୍ରଦେଶ ବନ ବିଭାଗ ସୁନ୍ଦରୀକୁ ଫେରାଇ ନେବାରେ ବିଳମ୍ବ କରୁଥିବା ଅଭିଯୋଗ କରିଛି ଓଡ଼ିଶା ବନ ବିଭାଗI
ସେପଟେ ବାଘୁଣୀ ସୁନ୍ଦରୀକୁ ନେଇ ମତ ରଖିଛନ୍ତି ଜାତୀୟସ୍ତରରେ ବାଘ ସ୍ଥାନାନ୍ତରଣ କରି ସଫଳତା ପାଇଥିବା ବିଶେଷଜ୍ଞ ଖଗେଶ୍ୱର ନାଏକ। ବିନା କ୍ଷେତ୍ର ପ୍ରସ୍ତୁତିରେ ଯେଉଁଭଳି ଢଙ୍ଗରେ ବାଘୁଣୀକୁ ମଧ୍ୟପ୍ରଦେଶରୁ ସାତକୋଶିଆ ଅଣାଗଲା ଓ ଏହାପରେ ଯେପରି ଭାବେ ଏଠାକାର ପ୍ରକଳ୍ପ ପରିଚାଳନା ହେଲା, ସେଥିରୁ ବାଘୁଣୀର ଭବିଷ୍ୟତ ଅନ୍ଧକାରମୟ ଜଣାପଡୁଥିବା ସେ କହିଛନ୍ତି।
ଯଦି ବାଘୁଣୀର ଜଙ୍ଗଲୀ ପ୍ରବୃତ୍ତି ଫେରାଇ ଆଣିବା ପାଇଁ ଯୋଜନା ଅଛି, ତେବେ ତୁରନ୍ତ ତାକୁ ସ୍ଥାନାନ୍ତର କରାଯାଉI ତେବେ ସୁନ୍ଦରୀର ବ୍ୟବହାର, ବିଚରଣ, ଲକ୍ଷଣକୁ ଅନୁଧ୍ୟାନ କଲେ, ତାର ଭବିଷ୍ୟତ କେବଳ ଚିଡ଼ିଆଖାନାରେ ବୋଲି ସେ ମତ ରଖିଛନ୍ତି।
ଜୈବ ବିବିଧତା ରକ୍ଷା ପାଇଁ ବାଘ ବଂଶ ବୃଦ୍ଧି କରିବାକୁ କରାଯାଇଥିଲା ଯୋଜନା। ତେବେ ଏହା ସଫଳ ହେବା ପରିବର୍ତ୍ତେ ଯେଉଁଭଳି ବିବାଦ ଭିତରକୁ ଚାଲିଗଲା, ତାହା ଆଗାମୀ ଦିନରେ ଏହି ପ୍ରକଳ୍ପକୁ କେଉଁ ଦିଶା ଦେଉଛି ଓ ବାଘୁଣୀ ସୁନ୍ଦରୀର ଭବିଷ୍ୟତ କଣ ହେଉଛି, ଏବେ ତା ଉପରେ ନଜର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)