/odishatv-khabar/media/post_attachments/uploadimage/library/16_9/16_9_0/health-specialist_1620317199.jpg)
health-specialist
ଭୁବନେଶ୍ୱର: ମେ୧ରେ ୧୦, ୪୧୩, ୨ରେ ୮୦୧୫, ୩ରେ ୮୯୧୪, ୪ରେ ୮୨୧୬, ୫ରେ ୯୮୮୯ ଓ ଆଜି ୧୦, ୫୨୧। ମେ ମାସର ପ୍ରଥମ ୬ ଦିନରେ ଚିହ୍ନଟ ହେଲେଣି ୫୫ ହଜାର ୯୬୮ କୋଭିଡ୍ ଆକ୍ରାନ୍ତ। ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲା ସ୍ଥିତି ସଙ୍ଗୀନ। ସେପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ ଯାଇଛି ୧୭ ଜୀବନ। ଆଗକୁ ସ୍ଥିତି ଆହୁରି ବିଗିଡିପାରେ। ଦେଶର ଅନ୍ୟ ଭାଗରେ ତାଣ୍ଡବ ରଚିବା ପରେ ପୂର୍ବ ଭାରତରେ ବି କରୋନା ଧିରେ ଧିରେ ଏହାର କରାଳ ରୂପ ଦେଖାଇବା ଆରମ୍ଭ କଲାଣି। ତେଣୁ କେନ୍ଦ୍ର ସରକାରଙ୍କ ଫୋକସ୍ରେ ଏବେ ପୂର୍ବ ଭାରତ ରାଜ୍ୟ ସମୂହ।
ସେଥିପାଇଁ ଗତକାଲି ଓଡ଼ିଶା,ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର ଓ ଆସାମର ସ୍ଥିତି ନେଇ ସମୀକ୍ଷା କରିଥିଲେ କେନ୍ଦ୍ର ସରକାର। ଅଧିକ ମାନବ ସମ୍ବଳ ସହ ଭିତ୍ତିଭୂମି ସଜାଡିବା ଏବଂ କ୍ଲିନିକାଲ ମ୍ୟାନେଜମେଣ୍ଟ ନେଇ ପରାମର୍ଶ ଦେଇଛି କେନ୍ଦ୍ର। MBBS ଓ ନର୍ସିଂର ଅନ୍ତିମ ବର୍ଷ ଛାତ୍ରଛାତ୍ରୀମାନଙ୍କୁ କାମରେ ଲଗାଇବାକୁ କୁହାଯାଇଛି। ୨୦ ପ୍ରତିଶତ ପଜିଟିଭ୍ ହାର ଥିବା ଜିଲ୍ଲାଗୁଡ଼ିକ ଉପରେ ରହିବ ଫୋକସ୍। ପରୀକ୍ଷଣ, ସଙ୍ଗରୋଧ,ଚିକିତ୍ସା, ଅଧିକ ଭିଡ଼ ନଜମାଇବା ଓ ଆବଶ୍ୟକ ଦେଖି କଣ୍ଟେନମେଣ୍ଟ କରିବାକୁ ବି କୁହାଯାଇଛି।
ସେପଟେ କୋଭିଡ୍ ମୁକାବିଲା ଲାଗି ରାଜ୍ୟ ସରକାର ୩୦ ହଜାର ଅକ୍ସିଜେନ ସିଲିଣ୍ଡର, ଅଧିକ ଟେଷ୍ଟିଂ କିଟ୍ ଓ ୪୫ ବର୍ଷରୁ ଅଧିକ ବୟସ୍କଙ୍କ ଲାଗି ୧୫ ଲକ୍ଷ ଡୋଜ୍ ଯୋଗାଇଦେବାକୁ ଦାବି କରିଛନ୍ତି। ସେପଟେ ରାଜ୍ୟରେ କୋଭିଡ୍ ପରିଚାଳନା ଓ ଭିତ୍ତିଭୂମି ନେଇ କେନ୍ଦ୍ର-ରାଜ୍ୟ ଅଧିକାରମାନଙ୍କୁ ନେଇ ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। RMRC ଓ Institute of Life scienceକୁ ଟେଷ୍ଟିଂ ବଢ଼ାଇବାକୁ ପରାମର୍ଶ ଦେବା ସହ କେନ୍ଦ୍ରୀୟ PSUଗୁଡ଼ିକ ଟିକା କିଣି ୧୮ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି ଦେବାକୁ ସେ ପରାମର୍ଶ ଦେଇଛନ୍ତି। ରାଜ୍ୟର ସର୍ବାଧିକ କୋଭିଡ୍ ପ୍ରଭାବିତ ଅଞ୍ଚଳକୁ ପ୍ରାଥମିକତା ଦେବାକୁ ଏଥିରେ ଆଲୋଚନା ହୋଇଥିଲା।
ସେପଟେ ଦ୍ୱିତୀୟ ଲହର ପ୍ରକୋପ କମିନଥିବା ବେଳେ କରୋନାର ତୃତୀୟ ଲହର ଅବଶ୍ୟମ୍ଭାବୀ ବୋଲି ଗତକାଲି କେନ୍ଦ୍ର ସରକାରଙ୍କ ପ୍ରମୁଖ ବିଜ୍ଞାନ ପରାମର୍ଶଦାତା କେ. ବିଜୟ ରାଘବନ କହିଥିଲେ। ଏହା ଉପରେ ପ୍ରତିକ୍ରିୟା ରଖି ଭୁବନେଶ୍ୱର ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ର କହିଛନ୍ତି, ବର୍ତ୍ତମାନ ଆମେ ତୃତୀୟ ଲହର କଥା ଚିନ୍ତା ନକରି ଆକ୍ରାନ୍ତଙ୍କ ଚିକିତ୍ସା ଉପରେ ଧ୍ୟାନ ଦେବା ଉଚିତ୍। କେରଳ ଓ ଛତିଶଗଡ଼ ଭଳି ରାଜ୍ୟରେ ଦୈନିକ ହଜାର ହଜାର ପଜିଟିଭ୍ ଚିହ୍ନଟ ହେଉଥିବାରୁ ଓଡ଼ିଶାରେ ବି ସେଭଳି ମାତ୍ରାରେ ପଜିଟିଭ୍ ଚିହ୍ନଟ ହୋଇପାରନ୍ତି ବୋଲି ସେ ଆକଳନ କରିଛନ୍ତି।
ରାଜ୍ୟରେ ନାଇଟ୍ କର୍ଫ୍ୟୁ, ସପ୍ତାହାନ୍ତ ସଟଡାଉନ୍ ପରେ ଏବେ ୧୪ ଦିନିଆ ଲକଡାଉନ୍ ଜାରି ହୋଇଛି। ହେଲେ ସଂକ୍ରମଣ ଥମୁନାହିଁ। କୋଭିଡ୍ ମୃତ୍ୟୁ ସଂଖ୍ୟା ବି ବଢୁଛି। ତେଣୁ ସମସ୍ତଙ୍କୁ ଟିକା ନେବା ସହିତ କୋଭିଡ୍ ନିୟମ ମାନି ସତର୍କ ହୋଇ ଚଳିବାକୁ ପଡ଼ିବ।
ରିପୋର୍ଟ: ହରିହର ଚାନ୍ଦ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)