Advertisment

Violence Over Ama Bus: ‘ଆମ ବସ୍’ ଆକ୍ସିଡେଣ୍ଟରେ ନୋ ବ୍ରେକ୍; ବେପରୁଆ ଡ୍ରାଇଭିଂର ସିସିଟିଭି ଫୁଟେଜ୍

‘ଆମ ବସ୍’ ଆକ୍ସିଡେଣ୍ଟରେ ନୋ ବ୍ରେକ୍। ଦୁର୍ଘଟଣା ମାତ୍ରେ ଜନତା ହିଂସା ଆପଣାଉଥିବାରୁ ଚିନ୍ତା। ଶୁକ୍ରବାରର ଦୁର୍ଘଟଣା ପାଇଁ ବାଇକ୍ ଚାଳକ ହିଁ ଦାୟୀ। ବେପରୁଆ ଡ୍ରାଇଭିଂର ସିସିଟିଭି ଫୁଟେଜ୍ ଦେଖି ଉଦବେଗ। ୨ ବିଶୃଙ୍ଖଳାକାରୀଙ୍କୁ ବାନ୍ଧିଲା କମିଶନରେଟ୍ ପୋଲିସ।

author-image
Pramod Behera
Violence Over Ama Bus

‘ଆମ ବସ୍’ ଆକ୍ସିଡେଣ୍ଟରେ ନୋ ବ୍ରେକ୍ Photograph: (OTV)

ଟ୍ୱିନସିଟି ସହ ରାଜ୍ୟର ୮ ସହରର ଲାଇଫଲାଇନ୍ ‘ଆମ ବସ୍’। କିନ୍ତୁ ସେହି ପରିବହନ ବ୍ୟବସ୍ଥା ବିରୋଧରେ ରୀତିମତ ଆକ୍ରୋଶ। ରାସ୍ତାର ଭିଡ଼ ଭିତରେ କେଉଁଠି କେତେବେଳେ କୌଣସି ଏକ ଭୁଲ୍ ପାଇଁ ‘ଆମ ବସ୍’ ସହ ଦୁର୍ଘଟଣା ଘଟୁଛି ସତ। ହେଲେ କିଛି ନବୁଝି ନଶୁଣି ଗୁଣ୍ଡାଗର୍ଦ୍ଦି କରୁଛନ୍ତି ଅସାମାଜିକ। କାଲି ଭୁବନେଶ୍ୱର ଅଶୋକନଗର ଦୁର୍ଘଟଣାରେ ଭୁଲ୍ ଥିଲା ବାଇକ୍ ଚାଳକଙ୍କର, ଯାହାର ପ୍ରମାଣ ଏବେ ସାମ୍ନାକୁ ଆସିଛି। କିନ୍ତୁ ମାଡ଼ ଖାଇଲେ ବସ୍ ଚାଳକ, ଗୁଣ୍ଡ ହୋଇଗଲା ୩ଟି ବସ୍। 

Advertisment

ତେବେ ଦୁର୍ଘଟଣାକୁ ଆଳ କରି ଯେଭଳି ହିଂସା ଭିଆଇଲେ ଦୁର୍ବୃତ୍ତ, ତାକୁ ନେଇ ଉଠିଛି ନାନା ପ୍ରଶ୍ନ। ଆକ୍ସନ ମୋଡକୁ ଆସି ୨ ବିଶୃଙ୍ଖଳାକାରୀଙ୍କୁ ବାନ୍ଧିଛି କମିଶନରେଟ୍ ପୋଲିସ।


ରାଜ୍ୟର ୮ଟି ସହରର ଲାଇଫଲାଇନ୍ ସାଜିଥିବା ‘ଆମ ବସ୍’ ଉପରେ କାହିଁକି ଏତେ ଆକ୍ରୋଶ ? ଦୁର୍ଘଟଣା ଘଟିବା କ୍ଷଣି ଆଇନକୁ ହାତକୁ ନେଇ କାହା ଇସାରାରେ ଗୁଣ୍ଡାଗର୍ଦ୍ଦି କରୁଛନ୍ତି ଅସାମାଜିକ ? ଭୁଲ୍ ଠିକ୍ କିଛି ନବୁଝି, ‘ଆମ ବସ୍’କୁ ଗୁଣ୍ଡ ତ କରିପକାଉଛନ୍ତି, ଚାଳକଙ୍କୁ ବି ବିଚ୍ ରାସ୍ତାରେ ଧୂଲେଇ କରୁଛନ୍ତି। ୟେ ଗତକାଲିର ଦୃଶ୍ୟ।

Advertisment

ଭୁବନେଶ୍ୱର ଅଶୋକନଗରରେ ଯେଉଁ ‘ଆମ ବସ’ ସହ ବାଇକ୍ ଧକ୍କାକୁ ନେଇ କେମିତି ତୁମୁଳକାଣ୍ଡ ଘଟିଥିଲା ତାର ଦୃଶ୍ୟ ଦେଖିଥିଲେ ଆପଣ। ଆଜି ଦେଖନ୍ତୁ ସେହି ଦୁର୍ଘଟଣାବେଳର ସିସିଟିଭି ଫୁଟେଜ୍। ବାଇକ୍ ଚାଳକ ଜଣକ କେମିତି ରଙ୍ଗରୁଟରେ ଆସୁଛନ୍ତି, ଯାନବାହନର ଭିଡ଼ ଭିତରେ ଯେଉଁଠି ସୋରିଶ ପକାଇବାକୁ ଜାଗା ନାହିଁ, ତାହାରି ଭିତରେ ଗଳି ପଶି ମାଡ଼ି ଆସୁଛନ୍ତି ବସ୍ ମୁହଁକୁ। ଆଉ ଚଳନ୍ତା ବସ୍ ସହ ଧକ୍କା ଖାଇ ଗଳିପଡୁଛନ୍ତି। 

ସୌଭାଗ୍ୟର କଥା, ବାଇକ୍ ସାମାନ୍ୟ ନଷ୍ଟ ହୋଇଥିଲେ ବି ଚାଳକ ସୁରକ୍ଷିତ ରହିଛନ୍ତି। ପରେ ଉଠିକି ଘଟଣାସ୍ଥଳରୁ ଫେରିଯାଇଥିଲେ। ହେଲେ ଏମାନେ କିଏ ? ଯେଉଁମାନେ କିଛି ନବୁଝି ନସୁଝି ଦୁର୍ଘଟଣା ପରେ ଭିଆଇଥିଲେ ହିଂସା...ଯାତ୍ରୀ ବସିଥିବା ଅବସ୍ଥାରେ ତିନି ତିନିଟି ବସକୁ ଭାଙ୍ଗିରୁଜି ପକାଇଥିଲେ...ଚାଳକ ମାନଙ୍କୁ ଆକ୍ରମଣ କରିବାକୁ ବି ପଛାଇନଥିଲେ। ‘ଆମ ବସ୍’ର ଅନ୍ୟ ଡ୍ରାଇଭର ମାନଙ୍କ କହିବା କଥା, ଭୁଲ୍ ଯାହାର ବି ହେଉ, କେବଳ ଆମକୁ ହିଁ ମାଡ଼ ଖାଇବାକୁ ପଡୁଛି।

ଏକଥା ସତ ଯେ, ‘ଆମ ବସ୍’ ବାରମ୍ବାର ଦୁର୍ଘଟଣା ଘଟାଉଛି, କିନ୍ତୁ ୟା ବି ସତଯେ ଅନ୍ୟମାନେ ବି ‘ଆମ ବସ୍’ ସହ ପିଟି ହେଉଛନ୍ତି। ଅର୍ଥାତ ଦାୟିତ୍ୱହୀନ ଡ୍ରାଇଭିଂ ପାଇଁ ଘଟୁଛି ଅଘଟଣ। ଅନ୍ୟ ଯାନବାହନ ବି ଦୁର୍ଘଟଣା ଘଟାଉଛନ୍ତି। କିନ୍ତୁ ବିଚ୍ ରାସ୍ତାରେ ଏଭଳି ଆଚରଣ କାହିଁକି ? ଦୁର୍ଘଟଣାକୁ ଆଳ କରି ଏଭଳି ବିଶୃଙ୍ଖଳାକାରୀଙ୍କ ପଛରେ କିଏ ?

କାଲି ଓ ଆଜି ଭିତରେ ଭୁବନେଶ୍ୱର ଏବଂ ପୁରୀରେ ‘ଆମ ବସ୍’ ସହ ତିନି ତିନିଟି ଦୁର୍ଘଟଣା ଘଟିଛି। କାଲି ପୁରୀ ନବକଳେବର ରୋଡରେ ମହିଳାଙ୍କ ଗୋଡ଼ ଉପରେ ଚଢ଼ିଯାଇଥିଲା ଆମ ବସ୍, ଅଶୋକନଗରରେ ବାଇକ୍ ସହ ଧକ୍କା, ଆଉ ଶନିବାର ଭୁବନେଶ୍ୱର ପାତ୍ରପଡ଼ାରେ ସ୍କୁଟି ସହ ଧକ୍କା। ସୌଭାଗ୍ୟକୁ କାହାର ପ୍ରାଣହାନୀ ହୋଇନି।

ପୁରୀ ଏବଂ ପାତ୍ରପଡ଼ା ଦୁର୍ଘଟଣାର ତଦନ୍ତ ଜାରି ରହିଥିବାବେଳେ ଅଶୋକନଗର ଅଘଟଣକୁ ନେଇ କ୍ରୁଟ୍ କର୍ତ୍ତୃପକ୍ଷ ଉଦବେଗ ପ୍ରକାଶ କରିଛନ୍ତି। ‘ଆମ ବସ୍’ ଏବଂ କର୍ମଚାରୀଙ୍କ ଉପରେ ଆକ୍ରମଣକୁ ଦୃଢ ନିନ୍ଦା କରିବା ସହ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି। ଦୁର୍ଘଟଣା ଏବଂ ବସ୍ ସହ ଚାଳକଙ୍କୁ ଆକ୍ରମଣର ସିସିଟିଭି ଫୁଟେଜ୍ ଏବଂ ମୋବାଇଲ ଭିଡ଼ିଓକୁ ସଂଗ୍ରହ କରିଛି ପୋଲିସ। ତା’ସହ ୨ଟି ମାମଲା ରୁଜୁ କରି ୨ ଜଣଙ୍କୁ ଗିରଫ କରିଛି।

ଦୁର୍ଘଟଣା କେବଳ ଯେ ଦାୟିତ୍ବହୀନ ଡ୍ରାଇଭିଂ ପାଇଁ ତା ନୁହେଁ, ରାଜଧାନୀରେ ଯେଭଳି ଯାନବାହନ ବୃଦ୍ଧି ପାଉଛି, ସେହି ଅନୁଯାୟୀ, ରାସ୍ତାଘାଟର ପରିସୀମା କିନ୍ତୁ ବଢୁନାହିଁ। ଏ ଦିଗରେ ବି ଧ୍ୟାନ ଦେବା ଆବଶ୍ୟକ।

Odisha News Accident Road Rage Case
Advertisment
Advertisment