/odishatv-khabar/media/post_attachments/uploadimage/library/16_9/16_9_0/PHOTO_1626691983.jpg)
PHOTO
ଭୁବନେଶ୍ୱର : ଏକ ସଫଳ ଲେଖାର ମୂଲ୍ୟାୟନ କେବଳ ଦୁଇଜଣ ବ୍ୟକ୍ତି କରିପାରନ୍ତି। ଜଣେ ସ୍ରଷ୍ଟା ଓ ଆଉଜଣେ ବିଦଗ୍ଧ ପାଠକ। ଆଜି ଭୁବନେଶ୍ୱରସ୍ଥିତ ରେଡକ୍ରସ୍ ଭବନରେ ଅନୁଷ୍ଠିତ, ଜଣାଶୁଣା କଥାକାର ଅମରେଶ ବିଶ୍ୱାଳଙ୍କ ଦୁଇଟି ଉପନ୍ୟାସିକା ଉନ୍ମୋଚନ ଉତ୍ସବରେ ଯୋଗଦେଇ ଏହିପରି ମନ୍ତବ୍ୟ ଦେଇଛନ୍ତି ଅତିଥିମାନେ। ଏହି ଅବସରରେ ଅମରେଶଙ୍କ ଲିଖିତ ଦୁଇଟି ଉପନ୍ୟାସିକା- ‘ପାପ’ ଓ ‘ପ୍ରଣତିର ପ୍ରେମିକମାନେ’ ଅତିଥିମାନେ ଉନ୍ମୋଚନ କରିଥିଲେ।
ବିଶିଷ୍ଟ କବି ଓ ଗାଳ୍ପିକ ଡକ୍ଟର ଅଜୟ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ଅତିଥି ଭାବେ ଯୋଗଦେଇଥିଲେ ପ୍ରସିଦ୍ଧ ଔପନ୍ୟାସିକ ଡକ୍ଟର ବିଭୂତି ପଟ୍ଟନାୟକ, ବରିଷ୍ଠ କବି ତଥା ଆଇଏଏସ୍ ଅଫିସର ପ୍ରଦୀପ ବିଶ୍ୱାଳ, ବିଶିଷ୍ଟ କଥାକାର ତଥା ବରିଷ୍ଠ ଆଇପିଏସ୍ ଅଧିକାରୀ ଦେବାଶିଷ ପାଣିଗ୍ରାହୀ ଏବଂ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର। ପ୍ରାରମ୍ଭରେ ଯୁବ ଲେଖକ ତଥା ଦୂରଦର୍ଶନ ସମ୍ବାଦ ପାଠକ ବଳଭଦ୍ର ରଥଙ୍କ ସ୍ୱାଗତ ଭାଷଣ ପରେ ଅତିଥିମାନେ ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ଏହାପରେ ଶ୍ରୀଜଗନ୍ନାଥଙ୍କ ଭଜନ ଗାନ କରିଥିଲେ ଶଶିପ୍ରଭା ଦାସ।
ନିଜ ଅଭିଭାଷଣରେ ଡକ୍ଟର ବିଭୁତି ପଟ୍ଟନାୟକ କହିଥିଲେ ଯେ, ଏବେ ବଜାରକୁ ଚାହିଁ ପାଠକମାନେ ପଢ଼ିବାକୁ ଭଲ ପାଉଥିବା ଉପନ୍ୟାସ ପ୍ରକାଶ ପାଉନାହିଁ। ଅମରେଶଙ୍କର ଏହି ଦୁଇଟି ଉପନ୍ୟାସିକା ଏହାର ଅଭାବ ପୂରଣ କରିବ। ତାଙ୍କୁ ଯଥୋଚିତ ଭାବେ ଓଡ଼ିଶାର ଚେତନ ଭଗତ ବୋଲି କହିହେବ। ତାଙ୍କ ଉପନ୍ୟାସ ଗୁଡ଼ିକ ସେହି ଧରଣର।
ସେହିପରି କବି ପ୍ରଦୀପ ବିଶ୍ୱାଳ, ପୁସ୍ତକ ଦୁଇଟିର ସଂପୂର୍ଣ୍ଣ କାହାଣୀ ଦର୍ଶକମାନଙ୍କୁ କହିଥିଲେ। ଅମରେଶଙ୍କ ଉପନ୍ୟାସ ଦୁଇଟି ଓଡ଼ିଆ ସାହିତ୍ୟରେ ପାଠକୀୟତା ଲାଭ କରିବା ସହ ଭଲ ବିକ୍ରି ହେବ ବୋଲି ଆଶା ପ୍ରକାଶ କରିଥିଲେ।
ସେହିପରି ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ଅତିଥି ଭାବେ ଯୋଗଦେଇ ନିଜ ଅଭାଭାଷଣରେ ଅମରେଶଙ୍କ ଉପନ୍ୟାସ ଦୁଇଟିର ସୁନ୍ଦର ଆକଳନ କରିଥିଲେ। ଜଣେ ବିଦଗ୍ଧ ପାଠକ ଭାବରେ ଉପନ୍ୟାସ ଦୁଇଟି ତାଙ୍କୁ କିପରି ଲାଗିଲା ସେ ସଂପର୍କରେ ସୁନ୍ଦର ଭାବରେ ଶ୍ଳୋକ ଗାନ କରି ସେ ବର୍ଣ୍ଣନା କରିଥିଲେ।
ଶେଷରେ ସଭାପତିତ୍ୱ କରୁଥିବା କଥାକାର ଡ. ଅଜୟ ସ୍ୱାଇଁ ଅମରେଶଙ୍କ ଲେଖା ଷ୍ଟାଇଲ୍ ସଂପର୍କରେ ଆଲୋକପାତ କରିଥିଲେ। ଅମରେଶଙ୍କର ଅନେକ ଗପ ଓ କବିତାର ବର୍ଣ୍ଣନା କରି ସେ ତାଙ୍କ ଅଭିଭାଷଣ ପ୍ରଦାନ କରିଥିଲେ।
ଶେଷରେ ବଳଭଦ୍ର ରଥ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)