/odishatv-khabar/media/post_attachments/uploadimage/library/16_9/16_9_0/corona-vaccine_1622891031.jpg)
corona vaccine
ଭୁବନେଶ୍ୱର: କରୋନା ଟିକା ପାଇଁ ଗ୍ଲୋବାଲ ଟେଣ୍ଡର ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, ଗ୍ଲୋବାଲ ଟେଣ୍ଡରରେ ୨ଟି କମ୍ପାନୀ ଆସିଥିଲେ, ସେମାନଙ୍କର ଡକୁମେଣ୍ଟ ଭେରିଫିକେସନ ଚାଲିଛି । କିନ୍ତୁ ଯେପର୍ଯ୍ୟନ୍ତ ଟେକ୍ନିକାଲ କ୍ଲିଅରାନ୍ସ ଆସିନାହିଁ, ସଫଳ ହେବ କି ନାହିଁ ତାହା କହିହେବ ନାହିଁ ।
ସେହିପରି ଲକଡାଉନ୍ କୋହଳ ନେଇ ମଧ୍ୟ ସେ ମତ ରଖିଛନ୍ତି । ବର୍ତ୍ତମାନ ୧୦ ପ୍ରତିଶତ ପାଖାପାଖି ଅଛି ସଂକ୍ରମଣ ହାର ଯଦି ଆଗକୁ ଏହି ଧାରା ଜାରି ରୁହେ, ତେବେ ଲକ୍ଡାଉନ କ୍ରମଶଃ କୋହଳ କରାଯିବ ବୋଲି ବିଜୟ ମହାପାତ୍ର ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ଗତକାଲି ରାଜ୍ୟ ସରକାରଙ୍କ ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟାରେ ୨ଟି ଆବେଦନ ଆସିଥିଲା । ଏନେଇ ସୂଚନା ଦେଇଥିଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଟେଣ୍ଡରରେ ୨ଟି ବିଡ୍ ମିଳିଥିବା ଏବଂ ତାହା ଉପରେ ତର୍ଜମା ଚାଲିଥିବା କହିଥିଲା ସ୍ୱାସ୍ଥ୍ୟ ବିଭାଗ ।
କିଛି ଦିନ ପୂର୍ବରୁ ରାଜ୍ୟ ସରକାର ଗ୍ଲୋବାଲ ଟେଣ୍ଡର ପାଇଁ ଆହ୍ୱାନ ଦେଇଥିଲେ । ହେଲେ ଟେଣ୍ଡର ପ୍ରକ୍ରିୟାରେ ସାମିଲ ହେବାକୁ ଆଗ୍ରହ ଦେଖାଇନଥିଲେ କୌଣସି ଟିକା କମ୍ପାନୀ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ରାଜ୍ୟସ୍ୱାସ୍ଥ୍ୟ ମନ୍ତ୍ରୀ ଚିଠି ଲେଖିଥିଲେ । ଚିଠିରେ ଉଲ୍ଲେଖ ଥିଲା ଯେ, ଟିକା କମ୍ପାନୀମାନେ ଟେଣ୍ଡରରେ ଅଂଶଗ୍ରହଣ କରିବାକୁ ଚାହୁଁନାହାନ୍ତି । ଏପରିକି ପ୍ରି-ବିଡ଼ିଂ ମିଟିଂକୁ ବି ଆସି ନାହାନ୍ତି ସେରମ୍ ଓ ଭାରତ ବାୟୋଟେକ୍ । ତେବେ କମ୍ପାନୀମାନେ କେନ୍ଦ୍ର ସରକାରଙ୍କ ସହ ଡିଲ୍ କରିବାକୁ ଚାହୁଁଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଚିଠିରେ ଉଲ୍ଲେଖ କରିଥିଲେ ।
ରାଜ୍ୟ ସରକାରଙ୍କ ଗ୍ଲୋବାଲ ଟେଣ୍ଡର ଫେଲ୍ ହେବା ପରେ ସବୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟିକା ସଙ୍କଟ ଦୂର କରିବା ନେଇ ଚିଠିରେ ସମସ୍ତଙ୍କ ସହମତି ଲୋଡ଼ିଥିଲେ । ଟିକା ପାଇଁ ପରସ୍ପର ଭିତରେ ନ ଲଢ଼ି, ଏକାଠି ଲଢ଼ିବାକୁ ଆହ୍ୱାନ ଦେଇଥିଲେ । ଲୋକଙ୍କୁ ସୁରକ୍ଷା ଦେବାର ଏକମାତ୍ର ମାଧ୍ୟମ ହେଉଛି ଟିକା । ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ ନକଲେ କୌଣସି ରାଜ୍ୟ ସୁରକ୍ଷିତ ନୁହେଁ ବୋଲି ନବୀନ ଚିଠିରେ ଉଲ୍ଲେଖ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)