/odishatv-khabar/media/post_attachments/uploadimage/library/16_9/16_9_0/toilet-scam_1625212173.jpg)
toilet-scam
ପୁରୀ: ପୁରୀ ଜିଲ୍ଲାରେ ପରିମଳ ନାଁରେ ହୋଇଛି ହଜାର ହଜାର ଟଙ୍କାର ଜାଲିଆତି। କେଉଁଠି ଗୋଟିଏ ବି ପାଇଖାନା ନଥିବା ଗାଁକୁ ବାହ୍ୟ ମଳମୁକ୍ତ ଗାଁ ଘୋଷଣା କରାଯାଇ ଫଳକ ଲଗାଯାଇଛି ତ ଆଉ କେଉଁଠି ହିତାଧିକାରୀଙ୍କ ନାଁରେ ବିଲ୍ ହୋଇଛି। ପୁଣି କେଉଁଠି ଗୋଟିଏ ପାଇଖାନାରେ ଏକାଧିକ ହିତାଧିକାରୀଙ୍କ ନାଁ ଲେଖାଯାଇ ବିଲ୍ ହୋଇ ଟଙ୍କା ହଡ଼ପ ହୋଇଛି। ପୁରୀ ଜିଲ୍ଲା ଗୋପ ବ୍ଲକ୍ରେ ସାମ୍ନାକୁ ଆସିଛି ପାଇଖାନା ଦୁର୍ନୀତିର ଏଭଳି ସାଙ୍ଘାତିକ ଚିତ୍ର। ଲୋକେ ପାଇଖାନାଟିଏ ନପାଇ ଏବେ ବି ଖୋଲାପଡ଼ଇାକୁ ଦଉଡୁଥିବା ବେଳେ କାଗଜ କଲମରେ ହିତାଧିକାରୀଙ୍କ ନାଁରେ ବିଲ୍ କରି ଲକ୍ଷ ଲକ୍ଷ ଟଙ୍କା ହଡ଼ପର ଅଭିଯୋଗ ଆସିଛି।
ଅଲଣା ଗାଁରେ ଆର୍ତ୍ତବନ୍ଧୁ ପାତ୍ରଙ୍କ କଥା ଜାଣନ୍ତୁ। ଏଠି ପାଇଖାନା ଗୋଟିଏ, ହିତାଧିକାରୀ ଦୁଇଜଣ। ଆଗ କାନ୍ଥରେ ବିପିଏଲ୍, ସାଇଡ୍ କାନ୍ଥରେ ଏପିଏଲ୍। ଆଗ କାନ୍ଥରେ କାହ୍ନୁଚରଣ ପାତ୍ର, ସାଇଡ୍ କାନ୍ଥରେ ଆର୍ତ୍ତବନ୍ଧୁ ପାତ୍ର। ପୁରୀ ଜିଲ୍ଲା ବଉଲାଙ୍ଗ ପଞ୍ଚାୟତର ଅଲଣା ଗାଁରେ ସ୍ୱଚ୍ଛ ଭାରତ ମିଶନ୍ରେ ତିଆରି ହୋଇଥିବା ଏ ପାଇଖାନା ହିଁ ବଖାଣୁଛି, କେତେ ସ୍ୱଚ୍ଛ ଏଠି ମିଶନ୍? କେମିତି ଆଖିରେ ଆଙ୍ଗୁଠି ଗେଂଜି ଏଠି ହରିଲୁଟ୍ ହେଉଛି ଅର୍ଥ।
ହେଲେ ଆହୁରି ଚକିତ କଲାଭଳି ଅଭିଯୋଗ ହେଉଛି -ଏ ପାଇଖାନା କାନ୍ଥରେ ହିତାଧିକାରୀ ଥିବା ଅଲଣା ଗାଁର କାହ୍ନୁଚରଣ ପାତ୍ରଙ୍କ ପାଇଖାନାର ବିଲ୍ ହୋଇଛି ବଡ଼ମାଛପୁର ଗାଁରେ। କେବଳ ଏ ଗୋଟିଏ ନୁହେଁ, ମିଥ୍ୟା ବିଲ୍ କରି ଟଙ୍କା ହଡ଼ପର ପୁଳାପୁଳା ଅଭିଯୋଗ ଆଖପାଖ ପ୍ରାୟ ପଞ୍ଚାୟତରେ।
ବଡ଼ମାଛମରା ଗାଁର ଲାଗିଥିବା ସୂଚନା ଫଳକ ଉପରେ ୬ ଅଗଷ୍ଟ ୨୦୧୯ରୁ ଗାଁ ବାହ୍ୟମଳମୁକ୍ତ ଗାଁ ଘୋଷଣା ହୋଇଛି। ସତ ପରଖିବାକୁ ଗାଁର ଏ ପଡ଼ାକୁ ଯାଇଥିଲୁ। ହେଲେ ବୁଝୁ ବୁଝୁ ଲୋକଙ୍କ ଅଭିଯୋଗ ଅନୁଯାୟୀ ପଡ଼ାରେ ବସବାସ କରୁଥିବା କାହାରି ଜଣଙ୍କର ପାଇଖାନା ନାହିଁ। ହେଲେ ଆର୍ଟିଆଇରୁ ମିଳିଥିବା ତଥ୍ୟ କିନ୍ତୁ କହୁଛି ଦେବକୀ କାଣ୍ଡି ଓ ଗଙ୍ଗା କାଣ୍ଡି ଏ ଦୁଇଜଣଙ୍କ ନାଁରେ ପାଇଖାନା ବିଲ୍ ହୋଇଛି।
କିନ୍ତୁ ଗଙ୍ଗା କାଣ୍ଡିଙ୍କ ମାଆ ମନୋରମା କାଣ୍ଡି କହୁଛନ୍ତି ତାଙ୍କ ନାଁରେ ବିଲ୍ ହୋଇଛି କିନ୍ତୁ ସେ ଜାଣି ନାହାଁନ୍ତି କି ତାଙ୍କ ଘରେ ପାଇଖାନା ନାହିଁ। ସମାନ ଅଭିଯୋଗ ବାହ୍ୟମଳମୁକ୍ତ ଘୋଷିତ ବଡ଼ଗାଁ ପଞ୍ଚାୟତର ପୁଟୁପଡ଼ା ଗାଁରେ। ଏଠି ବି ଅଧିକାଂଶଙ୍କ ଘରେ ପାଇଖାନା ନାହିଁ, କିନ୍ତୁ ଚଞ୍ଚକତା କରି ବିଲ୍ ହୋଇଛି।
ଗୋପ ବ୍ଲକ୍ର ଶହ ଶହ ଲୋକଙ୍କ ନାଁରେ ମିଥ୍ୟା ପାଇଖାନା ବିଲ୍ କରାଯାଇ ଟଙ୍କା ହଡ଼ପର ଅଭିଯୋଗ ଆସିଥିଲା ବେଳେ ସ୍ଥାନୀୟ ବିଡିଓଙ୍କ କହିବା କଥା ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)