/odishatv-khabar/media/post_attachments/uploadimage/library/16_9/16_9_0/cyclone_1626259732.jpg)
cyclone
ଭୁବନେଶ୍ୱର : ଦକ୍ଷିଣ-ପୂର୍ବ ଏବଂ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ଏହାରି ପ୍ରଭାବରେ ଆଜି ପୂର୍ବ କେନ୍ଦ୍ରୀୟ ଏବଂ ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟିହେବାର ସମ୍ଭାବନା ରହିଛି। ଏହା ଉତ୍ତର ପଶ୍ଚିମ ଦିଗରେ ଗତିକରି ୨୪ ତାରିଖ ବେଳକୁ ଘନୀଭୂତ ହୋଇ ଏକ ସାମୁଦ୍ରିକ ଝଡ଼ ବା ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଉତ୍ତର-ପଶ୍ଚିମ ଦିଗରେ ଗତିକରିବା ସହିତ ଆହୁରି ଘନୀଭୂତ ହୋଇ ୨୬ ତାରିଖ ସକାଳ ସମୟରେ ଉତ୍ତର ବଙ୍ଗୋପସାଗର ତଥା ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳ ନିକଟରେ ପହଞ୍ଚିବାର ସମ୍ଭାବନା ରହିଛି।
ବାତ୍ୟା ୟାସ୍ ର ସମସ୍ତ ଲାଇଭ ଉପଡେଟ୍ ପଢନ୍ତୁ
ସେପଟେ ୨୫ ତାରିଖ ପରଠାରୁ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ବର୍ଷାର ତୀବ୍ରତା ବୃଦ୍ଧି ସହିତ ବିସ୍ତାରର ବୃଦ୍ଧି ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ କେନ୍ଦ୍ରୀୟ ବଙ୍ଗୋପସାଗରର ଗଭୀର ସମୁଦ୍ର ଅଞ୍ଚଳରେ ଏବଂ ଉତ୍ତର ବଙ୍ଗୋପସାଗର ତଥା ଓଡ଼ିଶା ଉପକୂଳ ମଧ୍ୟକୁ ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ପ୍ରବେଶ ନ କରିବାକୁ ପରାମର୍ଶ ଦିଆଯାଇଛି।
ପ୍ରାକ୍ ଆକଳନ ଅନୁସାରେ ଏହା ଉତ୍ତରଓଡ଼ିଶା- ସୁନ୍ଦରବନ ମଧ୍ୟରେ ସ୍ଥଳଭାଗ ଛୁଇଁବ। ହେଲେ ଏହାର ଗତି, ବେଗ ଓ ତୀବ୍ରତା ନେଇ ସୂଚନା ଆସି ନ ଥିଲେ ମଧ୍ୟ ଓଡ୍ରାଫ୍, ଅଗ୍ନିଶମ ଏବଂ ଏନଡିଆର୍ଅଫ୍ ଟିମକୁ ପ୍ରଭାବିତ ହେବାକୁ ଥିବା ଜିଲ୍ଲାମାନଙ୍କୁ ପଠାଯାଉଛି। ଏପଟେ ପୋଲିସ୍ ଡିଜି ଅଭୟ ମଧ୍ୟ କଟକ ଓଏମ୍ପିସ୍ଥିତ ଓଡ୍ରାଫ୍ କାର୍ଯ୍ୟାଳୟକୁ ଯାଇ ପ୍ରସ୍ତୁତିର ସମୀକ୍ଷା ସହ ମୁକାବିଲା ରଣନୀତି ପ୍ରସ୍ତୁତ କରିଛନ୍ତି।
ଏପଟେ ଓଟିଭିକୁ ଆଇଏମଡି ଡିଜିଙ୍କ ସୂଚନା ଅନୁଯାୟୀ, ସମ୍ଭାବ୍ୟ ବାତ୍ୟା ୟାସ୍ ପ୍ରଭାବରେ ୨୫ ତାରିଖରୁ ଓଡ଼ିଶା ଉପକୂଳ ବିଶେଷକରି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଆରମ୍ଭ ହେବ। ତେଣୁ ଜଳସଂପଦ ବିଭାଗ ମଧ୍ୟ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଦେଇଛି। ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ଖରାଦିନେ ବାତ୍ୟା ଆସୁଥିବାରୁ ବନ୍ୟା ହେବନି, କେବଳ ଫ୍ଲାସ୍ ଫ୍ଲଡ୍ ସ୍ଥିତି ଆସିପାରେ। ତେଣୁ ପ୍ରଭାବିତ ହେବାକୁ ଥିବା ୧୦ଟି ଜିଲ୍ଲା ପାଇଁ ପ୍ରସ୍ତୁତ ଥିବା ସେ କହିଛନ୍ତି।
ଅପରପକ୍ଷେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଉପକୂଳବର୍ତ୍ତୀ ଜିଲ୍ଲା ଓ ବ୍ଲକ୍ ସ୍ତରରେ ବି ଜୋରଦାର ଚାଲିଛି ପ୍ରସ୍ତୁତି। ବାତ୍ୟାର ରୂପରେଖ ସ୍ପଷ୍ଟ ହେବା ପରେ ପ୍ରଭାବିତ ହେବାକୁ ଥିବା ଅଞ୍ଚଳରୁ କିଭଳି ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯିବ ସେନେଇ ଯୋଜନା ପ୍ରସ୍ତୁତ ହେଉଛି। ବିଶେଷକରି ଗାଁ ଗହଳିରେ ଏବେ କରୋନା ପ୍ରକୋପ ବଢିଥିବାରୁ ଏଭଳି ସ୍ଥିତିରେ କୋଭିଡ୍ ଗାଇଡଲାଇନ୍ ମାନି ଉଦ୍ଧାରକାର୍ଯ୍ୟ ଉପରେ ଫୋକସ୍ ଦିଆଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)