/odishatv-khabar/media/post_attachments/uploadimage/library/16_9/16_9_0/corona-testing-11_1621269480.jpg)
corona testing
ଭୁବନେଶ୍ୱର: ବିଏମସିର ଆଉ ଏକ ନୂଆ ପଦକ୍ଷେପ । ଏଣିକି ଗର୍ଭବତୀ ମହିଳାଙ୍କ ଘରକୁ ଯାଇ କରିବ କରୋନା ଟେଷ୍ଟିଂ । ପୂର୍ବରୁ ବରିଷ୍ଠ ନାଗରିକଙ୍କ ଟିକାକରଣ ଏବଂ କରୋନା ଟେଷ୍ଟିଂ ପାଇଁ ଡୋର୍ ଷ୍ଟେପ୍ ବ୍ୟବସ୍ଥା ନେଇ ବିଏମସି ଘୋଷଣା କରିଥିବା ବେଳେ ସୋମବାର ଆଉ ଏକ ପଦକ୍ଷେପ ନେଇଛି ।
ଏବେ ଗର୍ଭବତୀଙ୍କ ଲାଗି ବି ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଛି ଭୁବନେଶ୍ୱର ମହାନଗର ନିଗମ । BMC ଅଞ୍ଚଳରେ ଗର୍ଭବତୀଙ୍କର କୋଭିଡ୍ ଟେଷ୍ଟ ଲାଗି ଘରକୁ ଯିବ ଟିମ୍ । ଘରକୁ ଯାଇ କୋଭିଡ୍ ଟେଷ୍ଟ ପାଇଁ ନମୁନା ସଂଗ୍ରହ କରିବ ଟିମ୍ । ଏଥିପାଇଁ ୧୯୨୯ ନମ୍ବରରେ ଫୋନ୍ କରିପାରିବେ ଗର୍ଭବତୀ କିମ୍ବା ତାଙ୍କ ସମ୍ପର୍କୀୟ । ଏନେଇ ଟୁଇଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ ।
ଏହା ପୂର୍ବରୁ ବରିଷ୍ଠ ନାଗରିକଙ୍କ ପାଇଁ ଡୋର ଷ୍ଟେପରେ ଟିକାକରଣ ସହ ଟେଷ୍ଟିଂ ସୁବିଧା ଦିଆଯିବ ବୋଲି ବିଏମସି ଘୋଷଣା କରିଥିଲା । ଅର୍ଥାତ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗଙ୍କୁ ଘରୁ ଆଣି ଟିକା ଦିଆଯିବ ଏବଂ ପୁଣି ଘରେ ଛଡ଼ାଯିବ । ଭୁବନେଶ୍ୱର ମହାନଗର ନିଗମ କମିଶନର ସଞ୍ଜୟ ସିଂ ଏହି ସୂଚନା ଦେଇଥିଲେ । ସଂକ୍ରମଣ ସନ୍ଦେହ କରୁଥିବା ଭୁବନେଶ୍ୱରର ଯେ କୌଣସି ବରିଷ୍ଠ ନାଗରିକ ୧୯୨୯କୁ ଫୋନ୍ କରି ନିଜର ତଥ୍ୟ ଜଣାଇବେ । କେବଳ ଟିକାକରଣ ନୁହେଁ, ଘରକୁ ଯାଇ ସାମ୍ପଲ ମଧ୍ୟ ସଂଗ୍ରହ କରାଯିବ ବୋଲି କହିଥିଲେ । ବରିଷ୍ଠ ନାଗରିକଙ୍କୁ ଟେଷ୍ଟିଂ ସେଣ୍ଟରକୁ ଆସିବାରେ ସମସ୍ୟା ଥିବାରୁ ଏହି ବ୍ୟବସ୍ଥା କରାଯାଇଥିବା ବିଏମସି କମିଶନର କହିଥିଲେ ।
ସେହିପରି ବ୍ରହ୍ମପୁର ସହରରେ ମଧ୍ୟ ୭୫ ବର୍ଷ ବୟସରୁ ଅଧିକ ବୟସ୍କ ବ୍ୟକ୍ତି ଓ ଦିବ୍ୟାଙ୍ଗଙ୍କୁ ଘରକୁ ଆସି ଟିକା ଦିଆଯିବ । ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏନେଇ ଟ୍ୱିଟ୍ କରି ସୂଚନା ଦିଆଯାଇଥିଲା ।
ଅନ୍ୟପଟେ କରୋନା ମୁକାବିଲା ପାଇଁ ରବିବାର ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । କମିଟି ଗଠନ ସଂପର୍କରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଥିଲେ । ବିଶିଷ୍ଟ ଚିକିତ୍ସା ବିଜ୍ଞାନୀ ଡାକ୍ତର ଶ୍ରୀନାଥ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଏହି କମିଟି କାର୍ଯ୍ୟ କରିବ । କମିଟିରେ ବହୁ ବରିଷ୍ଠ ଡାକ୍ତର, ବୈଜ୍ଞାନିକ ସଦସ୍ୟ ରହିଥିବା କହିଛନ୍ତି ମୁଖ୍ୟ ସଚିବ ।
ଡାକ୍ତର ଦେବୀ ସେଟ୍ଟୀ, ରମାକାନ୍ତ ପଣ୍ଡା କମିଟିରେ ସାମିଲ ଅଛନ୍ତି । କମିଟି ରାଜ୍ୟରେ କରୋନା ପରିଚାଳନା ନେଇ ପରାମର୍ଶ ଦେବେ । ଖାଲି ସେତିକି ନୁହେଁ ଏହି କମିଟି ଟିକାକରଣ ଓ ପରବର୍ତ୍ତୀ ଲହର ସମ୍ଭାବନା ବିଷୟରେ ମଧ୍ୟ ପରାମର୍ଶ ଦେବ । କମିଟିର ପରାମର୍ଶ ଅନୁସାରେ ରାଜ୍ୟ ସରକାର ପଦକ୍ଷେପ ନେବେ । କମିଟି ଯେଉଁ ପରାମର୍ଶ ଦେବେ, ତାହା ଶୀଘ୍ର କାର୍ଯ୍ୟକାରୀ କରାଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)