/odishatv-khabar/media/post_attachments/uploadimage/library/16_9/16_9_0/vlcsnap-error464_1625494678.jpg)
vlcsnap-error464
ଭୁବନେଶ୍ୱର: ପୌର ନିର୍ବାଚନ ଭଳି ସମାନ ଦଶା ଭୋଗିବନି ତ ପଂଚାୟତ ନିର୍ବାଚନ ? ରାଜ୍ୟ ନିର୍ବାଚନ କମିଶନଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ସରକାର ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପ୍ରକ୍ରିୟା ସାରୁନଥିବାରୁ ସୃଷ୍ଟି ହୋଇଛି ଏଭଳି ପ୍ରଶ୍ନ । ତାସହିତ ଅନିଶ୍ଚିତତା ଭିତରେ ରହିଛି ଫେବୃୟାରୀ ୨୦୨୨ରେ ହେବାକୁ ଥିବା ପଂଚାୟତ ନିର୍ବାଚନ । ଲୋକାଲ ବଡି ଇଲେକସନ୍ରେ ଆସନ ସଂରକ୍ଷଣ ୫୦ ପ୍ରତିଶତ ଭିତରେ ରଖିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସରକାରଙ୍କୁ ଏବେ ଅଡୁଆରେ ପକାଇଛି ।
ମାର୍ଚ୍ଚ ୧୦ ତାରିଖରେ ରାଜ୍ୟ ନିର୍ବାଚନ କମିଶନ ପଂଚାୟତିରାଜ ବିଭାଗକୁ ଲେଖିଥିଲେ ଚିଠି । ସେଥିରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଲାଗି ଓ୍ୱାର୍ଡ ସୀମା ପୁନନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପ୍ରକ୍ରିୟା ଗତ ଏପ୍ରିଲ୍ ୩୦ ତାରିଖ ସୁଦ୍ଧା ସାରିବାକୁ କୁହାଯାଇଥିଲା । ପୂର୍ବରୁ ଏନେଇ ଜାନୁଆରୀ ମାସରେ କମିସନ ମଧ୍ୟ ଦୁଇ ଥର ଚିଠି ଲେଖିଥିଲେ । ଏହାସତ୍ତ୍ୱେ ଏସଂପର୍କରେ ସରକାରଙ୍କଠାରୁ କୌଣସି ଇଣ୍ଟିମେସନ୍ ମିଳିନଥିବା କମିଶନ ଜଣାଇଛନ୍ତି ।
ଆହୁରି ପଢନ୍ତୁ : ରାଜ୍ୟରେ ସରିବାକୁ ଯାଉଛି ଲକ୍ଡାଉନ୍ : କିପରି ରହିବ ଅନ୍ଲକ୍ ପ୍ରକ୍ରିୟା?
ଏବେ ପ୍ରଶ୍ନ ଉଠୁଛି ନିର୍ବାଚନ କମିଶନ ବାରମ୍ବାର ଚିଠି ଲେଖିବା ସତ୍ତ୍ୱେ କାହିଁକି ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପ୍ରକ୍ରିୟା ସାରୁନାହାନ୍ତି ରାଜ୍ୟ ସରକାର ? କେଉଁଠି ରହିଛି ଅସୁବିଧା ? ଆସନ ସଂରକ୍ଷଣକୁ ନେଇ ସରକାର ଅଡୁଆରେ ପଡିଥିବାରୁ ନିଷ୍ପତ୍ତି ନେବାରେ ଜାଣିଶୁଣି ବିଳମ୍ବ କରୁଥିବା କୁହାଯାଉଛି । ପୌର ଓ ପଂଚାୟତ ନିର୍ବାଚନରେ ଆଗରୁ ୬୪ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଥିଲା । ତେବେ ଲୋକାଲ ବଡି ଇଲେକସନ୍ରେ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ହରଡଘଣାରେ ପଡିଛନ୍ତି ରାଜ୍ୟ ସରକାର । ଅନ୍ୟପଟେ ବିଶେଷଜ୍ଞଙ୍କ ମତରେ, ପ୍ରତି ୫ ବର୍ଷରେ ନିର୍ବାଚନ ହେବାର ବ୍ୟବସ୍ଥା ରହିଛି, ସରକାର ଚାହିଁଲେ ବି ଘୁଞ୍ଚାଇ ପାରିବେ ନାହିଁ ବୋଲି ସେମାନେ କହିଛନ୍ତି ।
ସେପଟେ ରାଜ୍ୟ ସରକାର ପୌର ନିର୍ବାଚନ କରାଉନଥିବା ବେଳେ ପଞ୍ଚାୟତ ନିର୍ବାଚନ ଅନିଶ୍ଚିତତାକୁ ନେଇ ବର୍ଷିଛନ୍ତି ବିଜେପି ଓ କଂଗ୍ରେସ । ତେବେ ବିଜେଡି କହିଛି ଆଇନ ଅନୁସାରେ ନିର୍ବାଚନ ହେବ ।
ରାଜ୍ୟରେ କରୋନାର ଭୟଙ୍କର ସ୍ଥିତିକୁ ଦେଖି ନିର୍ବାଚନ କମିଶନ ଏବେ ନିରବ ରହିଥିଲେ ମଧ୍ୟ ଆଗାମୀ ଦିନରେ ଏସଂପର୍କରେ ରାଜ୍ୟ ସରକାରଙ୍କୁ ପୁଣି ଚିଠି ଲେଖିବେ । ତେବେ ଆସନ ସଂରକ୍ଷଣ ୫୦ ପ୍ରତିଶତକୁ ଖସାଇବାକୁ ହେଲେ ପଞ୍ଚାୟତିରାଜର ୩ଟି ଆଇନରେ ସଂସୋଧନ କରିବାକୁ ପଡିବ । ସରକାର କେବେ ଏସବୁ ପ୍ରକ୍ରିୟା ସାରୁଛନ୍ତି, ତା ଉପରେ ପଞ୍ଚାୟତ ନିର୍ବାଚନର ଭବିଷ୍ୟତ ନିର୍ଭର କରୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)