Advertisment

SCB Medical ICU Negligence: ସୀମା ଟପିଲା ଦାୟିତ୍ୱହୀନତା; ଆଇସିୟୁରେ ବେଡ୍ ବାଡ଼ା ଭାଙ୍ଗି ତଳକୁ ଖସି ପଡ଼ିଲେ ରୋଗୀ

SCBରେ ସୀମା ଟପିଲା ଦାୟିତ୍ବହୀନତା। କଟକ ବଡ଼ ମେଡିକାଲ ମେଡିସିନ୍ ବିଭାଗ ଆଇସିୟୁରେ ଅଘଟଣ। ବେଡ୍ ର ବାଡ଼ା ଭାଙ୍ଗି ତଳକୁ ଖସିପଡ଼ିଲେ ଗୁରୁତର ରୋଗୀ। ଭିଡିଓ ଭାଇରାଲ୍ ପରେ ଦାୟିତ୍ବରୁ ହଟିଲେ ଦାୟୀ କର୍ମଚାରୀ। କର୍ତ୍ତୃପକ୍ଷ କହିଲେ, ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ।

author-image
Pramod Behera
SCB Medical ICU Negligence

ସୀମା ଟପିଲା ଦାୟିତ୍ୱହୀନତା Photograph: (OTV)

ସୀମା ଟପିଲା ଦାୟିତ୍ବହୀନତା। ଆଇସିୟୁରେ ବେଡ୍ ବାଡ଼ା ଭାଙ୍ଗି ତଳକୁ ଖସି ପଡ଼ିଲେ ଚିକିତ୍ସାଧୀନ ଗୁରୁତର ରୋଗୀ। ରାଜ୍ୟର ସବୁଠୁ ବଡ଼ ମେଡିକାଲ ଏସସିବିରେ ଗଲା ୮ ତାରିଖରେ ଘଟିଥିବା ଏଭଳି ଅଭାବନୀୟ ଘଟଣାକୁ ନେଇ ଉଦବେଗ। ଭିଡିଓ ଭାଇରାଲ୍ ପରେ ଆଜି ଆଇସିୟୁ ଦାୟିତ୍ବରେ ଥିବା କର୍ମଚାରୀଙ୍କୁ କର୍ତ୍ତୃପକ୍ଷ ହଟାଇ ଦେଇଛନ୍ତି ସତ, ହେଲେ ଏଘଟଣା ବିଶ୍ବସ୍ତରୀୟ ମେଡିକାଲର ସ୍ବପ୍ନ ଦେଖାଉଥିବା ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି।

Advertisment

ବିଶ୍ବାସ ଭାଙ୍ଗିଯିବା ଭଳି ଦୃଶ୍ୟ... ଭରସା ତୁଟିଯିବା ଭଳି ଚିତ୍ର... ଆଇସିୟୁ ଭିତରେ ଛଟପଟ ହୋଇ ବେଡ୍ ବାଡ଼ା ଭାଙ୍ଗି ତଳକୁ ଖସିପଡୁଛନ୍ତି ଜଣେ ମହିଳା ରୋଗୀ।କିନ୍ତୁ କାହାରି ନିଘା ନାହିଁ। ଏ ଦୃଶ୍ୟ ହୁଏତ ଆପଣଙ୍କୁ ବିଚଳିତ କରିପାରେ, ବିବ୍ରତ କରିପାରେ, ହେଲେ ବ୍ୟବସ୍ଥା ଆଖିର ଅନ୍ଧପୁଟୁଳି ଖୋଲିବାକୁ ବ୍ଲର କରି ହେଉ ପଛେ ଆମେ ଦେଖାଇବାକୁ ବାଧ୍ୟ। 

କାରଣ ସୋସିଆଲ ମିଡିଆରେ ନିଆଁ ଭଳି ବ୍ୟାପି ଚାଲିଥିବା ଏ ଭିଡିଓ ଆଉ କେଉଁ ହସ୍ପିଟାଲ ନୁହେଁ ଏ ରାଜ୍ୟର ସବୁଠୁ ବଡ଼ ମେଡିକାଲ କଟକ ଏସସିବି ହସ୍ପିଟାଲର, ମେଡିସିନ୍ ବିଭାଗ ଆଇସିୟୁର।...ହସ୍ପିଟାଲର ଇଏ ଏମିତି ସ୍ଥାନ, ଯେଉଁଠି ରୋଗୀମାନେ ଜୀବନ-ମୃତ୍ୟୁର ସଂଘର୍ଷରେ ଥାଆନ୍ତି। ଯେଉଁଠି ପ୍ରତି କ୍ଷଣ, ପ୍ରତି ମୁହୂର୍ତ୍ତ ଗୁରୁତ୍ବପୂର୍ଣ୍ଣ। ହେଲେ ରୋଗୀଙ୍କ ସ୍ବାସ୍ଥ୍ୟ ଉପରେ ୨୪ ଘଣ୍ଟିଆ ନଜର ରହିବା ବଦଳରେ ଏଠି ଚାଲିଥିଲା କଣ? ଡ୍ୟୁଟିରେ ଡାକ୍ତର, ନର୍ସ କିଏ ଥିଲେ ? ନା ଭଗବାନଙ୍କ ଭରସାରେ ଚାଲୁଥିଲା ଆଇସିୟୁ? ବିଶ୍ୱସ୍ତରୀୟ ମେଡ଼ିକାଲ ହେବାକୁ ଯାଉଥିବା ଏସସିବିରେ ରୋଗୀ ସେବାର ଇଏ କି ନିଦର୍ଶନ ? 

Advertisment

ଏସସିବି ମେଡ଼ିକାଲ ଆଇସିୟୁରେ ଅବହେଳାର ଏ ଘଟଣା ନୂଆ ନୁହେଁ। ପୂର୍ବରୁ ନିୟମର ଧଜିଆ ଉଡାଇ ଆଇସିୟୁରେ କର୍ମଚାରୀ ଓ ନର୍ସଙ୍କ ରଙ୍ଗ ଖେଳଠୁ ନେଇ ସେଣ୍ଟ୍ରାଲ ଆଇସିୟୁ ଭିତରେ ଜଣେ ଗୁରୁତର ମହିଳା ରୋଗୀଙ୍କୁ ଜଣେ ଠିକା କର୍ମଚାରୀଙ୍କ ଅସଦାଚରଣର ଅଭିଯୋଗ ବି ହଇଚଇ ସୃଷ୍ଟି କରିଛି। ହେଲେ ଆଇସିୟୁ ଭଳି ସମ୍ବେଦନଶୀଳ ସ୍ଥାନରେ କାହିଁକି ବାରମ୍ବାର ଏଭଳି ଅଘଟଣ ? 

ଗରିବ ରୋଗୀଟିଏ ଆଶା ଭରସା ନେଇ ଏସସିବିକୁ ଦୌଡ଼ି ଆସୁଥିବା ବେଳେ ଏଭଳି ଘଟଣା ରୋଗୀ ଓ ସମ୍ପର୍କୀୟଙ୍କ ଭିତରେ ବଡ଼ ଡାକ୍ତରଖାନାକୁ ନେଇ କି ଛବି ତିଆରି କରିବ। ଗତ ରବିବାରର ଏ ଭିଡିଓ ଭାଇରାଲ୍ ହେବା ପରେ ଆଜି ଏସସିବି ରୋଗୀ ସୁରକ୍ଷାମଞ୍ଚ ପକ୍ଷରୁ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବା ସହ ଦାବିପତ୍ର ପ୍ରଦାନ କରାଯାଇଛି। 

ଆଜିର ଚରମ ଅବହେଳା ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆନଗଲେ ମଞ୍ଚ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ବି ଦେଇଛି। ସେପଟେ ଅଘଟଣକୁ ନେଇ ମୁହଁ ଖୋଲିଛନ୍ତି ଏସସିବି କତୃପକ୍ଷ। କହିଛନ୍ତି ଘଟଣାଦିନ ଯେଉଁ କର୍ମଚାରୀ ଆଇସିୟୁ ଦାୟିତ୍ବରେ ଥିଲେ ସେମାନଙ୍କୁ ସେଇ କାର୍ଯ୍ୟରୁ ହଟେଇ ଦିଆଯାଇଛି, ଉଚ୍ଚସ୍ତରୀୟ ତଦନ୍ତ ପରେ ଦୋଷୀ କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଟାନ ନିଆଯିବ।

Viral Video SCB Medical Odisha News
Advertisment
Advertisment