Advertisment

Rourkela Plane Crash: ଦୁର୍ଘଟଣା ସତ୍ତ୍ୱେ ଜୀବନ ବଞ୍ଚାଇଥିବା ପାଇଲଟଙ୍କୁ ସାବାସୀ; ପଡ଼ିଆରେ ଫୋର୍ସ ଲ୍ୟାଣ୍ଡିଂ କରି ଚର୍ଚ୍ଚାରେ

ସାହସିକତା ଦେଖାଇଲେ ପାଇଲଟ୍। ଉପସ୍ଥିତି ବୁଦ୍ଧି ଖଟାଇଲେ, ବଞ୍ଚାଇଦେଲେ ୬ ଜୀବନ। ନା ପାହାଡ଼ରେ ପିଟିହେଲା ନା ଗଛ କି ଘରେ ମାଡ଼ ହେଲା। ଫୋର୍ସ ଲ୍ୟାଣ୍ଡିଂ କରାଇ ଯାତ୍ରୀଙ୍କୁ ଦେଇଥିଲେ ନୂଆ ଜୀବନ।

author-image
Pramod Behera
Rourkela Plane Crash

ଦୁର୍ଘଟଣା ସତ୍ତ୍ୱେ ଜୀବନ ବଞ୍ଚାଇଥିବା ପାଇଲଟଙ୍କୁ ସାବାସୀ Photograph: (OTV)

ରାଉରକେଲାରେ ବିମାନ ଦୁର୍ଘଟଣାର କାରଣ ଖୋଜା ଭିତରେ ପାଇଲଟଙ୍କୁ ନେଇ ସବୁଠି ସାବାସୀ, ସମସ୍ତଙ୍କ ମୁହଁରେ ତାଙ୍କର ସାହସିକତାର ତାରିଫ। ଉପସ୍ଥିତ ବୁଦ୍ଧି ଖଟାଇ ଯାତ୍ରୀଙ୍କ ଜୀବନ ବଞ୍ଚାଇଦେଲେ। ତାଙ୍କୁ ଦୂରଦୃଷ୍ଟି ପାଇଁ ପାଖରେ ଥିବା ଘର ଓ ଚାଷ ଜମିରେ କାମ କରୁଥିବା ଲୋକ ବି ବପଦ ମୁହଁରୁ ବର୍ତ୍ତିଗଲେ। 

Advertisment

ଓଟିଭି କ୍ୟାମେରା ସାମ୍‌ନାରେ ଦୁର୍ଘଟଣାସ୍ଥଳକୁ ଲାଗି ରହୁଥିବା ପରିବାର ବଖାଣିଛନ୍ତି ଅଙ୍ଗେନିଆ ଅନୁଭୂତି। ପାଇଲଟ ସେମାନଙ୍କୁ ଦେଖି ପାରିବାରୁ ପାଖ ପଡ଼ିଆରେ ଫୋର୍ସ ଲାଣ୍ଡିଂ ପାଇଁ ବିମାନକୁ ମୋଡ଼ି ଦେଇଥିବା କହିଛନ୍ତି। ଅନ୍ୟପଟେ ଦୁର୍ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରିବା ସହ ହସ୍ପିଟାଲରେ ଆହତଙ୍କୁ ଭେଟିଛନ୍ତି ପରିବହନ ମନ୍ତ୍ରୀ।

ରାଉରକେଲା ବିମାନ ଦୁର୍ଘଟଣା ପରେ ପାଲଟଲ ନବୀନ କାଡ଼ାଙ୍ଗାଙ୍କୁ ନେଇ ସବୁଠି ଚର୍ଚ୍ଚା। ସମସ୍ତଙ୍କ ମୁହଁରୁ ଗୋଟିଏ କଥା ବାହାରୁଛି ସାବାସ୍ ପାଇଲଟ୍। ସେଦିନ ତାଙ୍କର ଉପସ୍ଥିତ ବୁଦ୍ଧି ଓ ଅଦ୍ୟମ ସାହସ ଯୋଗୁଁ ବିମାନ କୌଣସି ପାହାଡ଼ କି ଘରେ ବାଡ଼େଇ ହେବାରୁ ବର୍ତ୍ତିଗଲା। ଯେନତେନ ହେଉ ଫୋର୍ସ ଲ୍ୟାଣ୍ଡିଂ କରି ଯାତ୍ରୀଙ୍କୁ ବଞ୍ଚାଇବାକୁ ଆପ୍ରାଣ ଉଦ୍ୟମ କରି ସଫଳ ହୋଇଥିଲେ। ଆକାଶରୁ ବିମାନ ଖସୁଥିବା ଦୃଶ୍ୟକୁ ଚର୍ମଚକ୍ଷୁରେ ଦେଖିଥିବା ପ୍ରତ୍ୟକ୍ଷଦର୍ଶୀ ଯାହା କହିଛନ୍ତି ଶୁଣିଲେ ଛାତି ଧଡ଼ଧଡ଼ ହେବ। ଆଉ ପାଇଲଟ କେମିତି ଜୀବନହାନୀକୁ ଟାଳିଦେଲେ ଜାଣିଲେ ଯେକେହି ବି ତାଙ୍କୁ ସାଲ୍ୟୁଟ୍ କରିବେ। 

Advertisment

ସୂଚନା ମୁତାବକ, ଜଲଦାରେ ଫୋର୍ସ ଲ୍ୟାଣ୍ଡିଂ ପାଇଁ ପାଇଲଟ୍ ଜାଗା ଖୋଜୁଥିଲେ। ଏକ ଚାଷ ଜମିରେ ଅବତରଣ ଉଦ୍ୟମ ବେଳେ ତାଙ୍କର ନଜର ସେଠି କାମ କରୁଥିବା ୩-୪ ଜଣ ଲୋକ ଓ ଏକ ଘର ଉପରେ ପଡ଼ିଥିଲା। ସେମାନଙ୍କୁ ଦେଖି ହଠାତ୍ ବିମାନର ଦିଗ ମୋଡ଼ି ଦେଇଥିଲେ ପାଇଲଟ୍। ପାଖରେ ଥିବା ଗଛରେ ଘସି ହୋଇ ପଡ଼ିଆରେ ଖସିଥିଲା। 

ସବୁଠୁ ବଡ଼ କଥା ହେଉଛି ପଡ଼ିଆ ଉପରେ ଯାଇଥିବା ବିପଦଜନକ ବିଦ୍ୟୁତ ତାର ତଳେ ବିମାନକୁ ଫୋର୍ସ ଲାଣ୍ଡିଂ କରାଇଥିଲେ ପାଇଲଟ୍। ଚାଷ ଜମିରେ ଖସିଥିଲେ ବିପଦ ମୁହଁକୁ ଆସି ଥାଆନ୍ତେ ସେଠି କାମ କରୁଥିବା ଲୋକ ଓ ପାଖ ଘରେ ରହୁଥିବା ପରିବାର। କାରଣ ଦୁର୍ଘଟଣାସ୍ଥଳରୁ ମାତ୍ର କିଛି ମିଟର ଦୂରରେ ସେମାନେ ଥିଲେ।ପ୍ରତିକୂଳ ପରିସ୍ଥିତି ଭିତରେ ବିପଦକୁ ଅତି ପାଖରୁ ଦେଖୁଥିବା ପାଇଲଟ୍ ଉପସ୍ଥିତ ବୁଦ୍ଧି ଖଟାଇ ଅମୂଲ୍ୟ ଜୀବନ ବଞ୍ଚାଇଦେଲେ। ... 

ଯାତ୍ରୀ ଓ ଅନ୍ୟମାନଙ୍କୁ କେମିତି କିଛି କ୍ଷତି ନହେବ ସେଭଳି ସୁରକ୍ଷିତ ଲ୍ୟାଣ୍ଡିଂ ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ ପାଇଲଟ୍। ଦୁଇ ପାଇଲଟଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ସୁଧାର ଆସୁଛି। ସେହିପରି ସୁସ୍ଥ ହେଉଛନ୍ତି ଆହତ ଯାତ୍ରୀ। ସୋମନାର ପରିବହନ ମନ୍ତ୍ରୀ ବିଭୁତି ଜେନା ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେ ହସ୍ପିଟାଲରେ ଆହତଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଘଟଣାକୁ ଅଭାବନୀୟ କହିବା ସହ ଆଗକୁ ସେଭଳି ପୁନରାବୃତ୍ତି ନହେବେ ସେନେଇ ତଦନ୍ତ ଚାଲିଥିବା କହିଛନ୍ତି ପରିବହନ ମନ୍ତ୍ରୀ। 

ରାଉରକେଲାରେ ଇଣ୍ଡିଆ ୱାନ୍ ଏୟାର ବିମାନ ଦୁର୍ଘଟଣା ନେଇ ଅନେକ ପ୍ରଶ୍ନବାଚୀ ଠିଆ କରିଛି। ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାର କେଇ ମିନିଟ ପୂର୍ବରୁ କାହିଁକି ଫୋର୍ସ ଲାଣ୍ଡିଂ ପାଇଁ ବାଧ୍ୟ ହେଲେ ପାଇଲଟ୍ ? ଦୁଇ ଦିନ ହେବ ଦୁର୍ଘଟଣାସ୍ଥଳରେ ଦିଲ୍ଲୀ, କୋଲକାତା ଓ ଭୁବନେଶ୍ୱରରୁ ଆସିଥିବା DGCA ଓ AAIB ଟିମ୍ କାରଣ ଖୋଜୁଛନ୍ତି।

Rourkela Plane Crash Aircraft Landing
Advertisment
Advertisment