/odishatv-khabar/media/media_files/2026/01/31/speeding-truck-crushes-three-bikes-2026-01-31-20-05-29.jpg)
୫ ଜଣଙ୍କୁ ଦଳିଦେଲା କିଲର୍ ଟ୍ରକ୍ Photograph: (OTV)
ଭୟଙ୍କର ସଡ଼କ ଦୁର୍ଘଟଣା ସହ ସରିଲା ସଡ଼କ ସୁରକ୍ଷା ମାସ। ବ୍ରହ୍ମପୁର ଗୋଷାଣୀ ନୂଆଗାଁରେ ରଙ୍ଗ୍ ସାଇଡକୁ ଆସି ଯେଭଳି ୩ଟି ବାଇକକୁ ଘୋଷାଡ଼ି ୫ ଜଣଙ୍କୁ ମାରିଦେଲା କିଲର୍ ଟ୍ରକ୍, ତାକୁ ନେଇ ସବୁଠି ଉଦବେଗ। ଅକାଳରେ ଚାଲିଗଲା ୨୦ରୁ ୪୩ ବର୍ଷ ବୟସର ପାଞ୍ଚ ପାଞ୍ଚ ଜଣ ଯୁବକଙ୍କ ଜୀବନ। ତାଙ୍କ ମଧ୍ୟରୁ କିଏ କୋରିୟର ବୟ୍ ତ ଆଉ କିଏ ଥିଲେ ସରକାରୀ ଚାକିରିଆ।
ଏହି ଘଟଣାରେ ସଂପୃକ୍ତ ଟ୍ରକ୍ ଡ୍ରାଇଭରଙ୍କୁ ଧରିଛି ପୋଲିସ। ଟ୍ରକଟି ଦ୍ରୁତଗତିରେ ଓଭରଟେକ କରୁଥିବାବେଳେ ଭାରସାମ୍ୟ ହରାଇ ଡ୍ରାଇଭର ଦୁର୍ଘଟଣା ଘଟାଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି। ସେପଟେ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଶୋକବ୍ୟକ୍ତ କରିବା ସହ ମୃତକଙ୍କ ପରିବାରୁ ୪ ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି।
ଦ୍ରୁତଗତି ଆପଣଙ୍କ ମନରେ ରୋମାଞ୍ଚ ଆଣିବ ସତ, କିନ୍ତୁ ରକ୍ତପାତ ହେବ ନିଶ୍ଚୟ... ମୁଣ୍ଡ ଗଡ଼ିବ ମଝି ରାସ୍ତାରେ... ଆପଣଙ୍କୁ ହରାଇବେ ଆତ୍ମୀୟ ସ୍ବଜନ... ଟନେଲ୍ ଅଫ୍ ଟ୍ରୁଥ୍ ଶୀର୍ଷକ ଏଭଳି ଏକ ଭିଡ଼ିଓ ବାର୍ତ୍ତା ଜାରି କରି ଗୋପାଳପୁର ବେଳାଭୂମି ମହୋତ୍ସବରେ ସଚେତନ କରାଇଥିଲା ରାଜ୍ୟ ପରିବହନ ବିଭାଗ। କିନ୍ତୁ ରାତି ପାହିବା କ୍ଷଣି ୧୬ ନମ୍ବର ଜାତୀୟ ରାଜପଥ ଗୋଷାଣୀ ନୂଆଗାଁକୁ ସଂଯୋଗ କରୁଥିବା ହଳଦିଆପଦର ଛକ ରେଲୱେ ଓଭରବ୍ରିଜରେ ଟ୍ରକଟି ଯେଭଳି ଦୁର୍ଘଟଣା ଘଟାଇଲା, ଯିଏ ଦେଖୁଛନ୍ତି ଛାତି ଥରିଯାଉଛି, ଲୋମଟାଙ୍କୁରି ଉଠୁଛି।
ଆଖି ସାମ୍ନାରେ ଚାଲିଗଯାଇଛି ପାଞ୍ଚ ପାଞ୍ଚ ଜଣ ଭେଣ୍ଡିଆ ଯୁବକଙ୍କ ଜୀବନ। ମୃତକମାନେ ହେଲେ ବ୍ରହ୍ମପୁର ଫୁଲଟା ଗାଁର ୨୧ ବର୍ଷିୟ ରାକେଶ ନାହାକ, ୨୦ ବର୍ଷିୟ ଜଗନ ନାହାକ, ଅଯୋଧ୍ୟାନଗରର କୋରିୟର ବୟ ୪୨ ବର୍ଷିୟ ସୂର୍ଯ୍ୟନାରାୟଣ ପଣ୍ଡା, ଦକ୍ଷିଣପୁର ଗାଁର ୪୩ ବର୍ଷିୟ ଶିବରାମ ଜେନା ଓ ଖାରିଆଗୁଡ଼ାର ୨୩ ବର୍ଷିୟ ସତ୍ୟନାଥ ବେଜ। ଶିବରାଜ ପ୍ରାଣୀଧନ ଚିକିତ୍ସକ ଏବଂ ସତ୍ୟନାଥ ମୋବାଇଲ୍ ଭେଟେରିନାରୀ ଭ୍ୟାନର ଆଟେଣ୍ଟାଣ୍ଡ।
ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟା। ଯିଏ ଯାହା ଗନ୍ତବ୍ୟସ୍ଥଳକୁ ROB ଦେଇ ଯାଉଥିଲେ ନିଜ ନିଜ ବାଇକରେ। ରାକେଶ୍ ଓ ଜଗନ୍ ଗୋଟିଏ ବାଇକରେ, ଶିବରାଜ ଓ ସତ୍ୟନାଥ ଆଉ ଏକ ବାଇକରେ ଏବଂ କୋରିୟର ବୟ ସୂର୍ଯ୍ୟନାରାୟଣ ଅନ୍ୟ ଏକ ବାଇକରେ ଯାଉଥିଲେ ଥିଲେ। ସେହି ସମୟରେ ବାମ କଡ଼ରୁ ହଠାତ୍ ଟ୍ରକଟି ଡାହାଣକୁ ଦ୍ରୁତଗତିରେ ମାଡ଼ି ଆସିଲା। ଆଉ ଆଖିବୁଜି ପଛ ପଟୁ ପିଟିବା ସହ ତିନି ତିନିଟି ବାଇକକୁ ଘୋଷାଡ଼ି ନେଲା କିଛି ବାଟ। ଫଳରେ ଘଟଣାସ୍ଥଳରେ ହିଁ ୫ ଜଣଙ୍କ ଜୀବନ ଚାଲିଯାଇଛି।
ପ୍ରତ୍ୟକ୍ଷଦର୍ଶୀଙ୍କ ଅଭିଯୋଗ, ଟ୍ରକଟି ରଙ୍ଗ ସାଇଡରେ ଆସି ପିଟିଛି। ତେବେ ଦ୍ରୁତଗତିରେ ଓଭରଟେକ୍ ବେଳେ ଭାରସାମ୍ୟ ହରାଇବାରୁ ଦୁର୍ଘଟଣା ଘଟିଥିବା ଡ୍ରାଇଭର ସ୍ୱୀକାର କରିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି। ସେହିପରି ୨୦୧୪ରେ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମିତ ଏହି ROB ନିର୍ମାଣରେ ଢାଞ୍ଚାଗତ ତ୍ରୁଟି ଯୋଗୁ ବିଭିନ୍ନ ସମୟରେ ଅଘଟଣ ଘଟୁଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକ।
ଜାନୁୟାରୀ ୧ରୁ ୩୧। ସଡ଼କ ସୁରକ୍ଷା ମାସ କ୍ରମରେ ସଭା ସମିତି ସହ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଗାଡ଼ି ଚାଳକଙ୍କଠାରୁ ପଥଚାରୀଙ୍କ ଯାଏଁ ସଚେତନ ଏବଂ ସତର୍କ କରାଇଲା ରାଜ୍ୟ ପରିବହନ ବିଭାଗ। କିନ୍ତୁ ଦୁର୍ଭାଗ୍ୟ, ଉଦଯାପନୀ ଦିବସରେ ଗଞ୍ଜାମରେ ହିଁ ଚାଲିଗଲା ପାଞ୍ଚ ପାଞ୍ଚଟି ଅମୂଲ୍ୟ ଜୀବନ। ଯାହାକୁ ନେଇ ଏବେ ସବୁଠି ଉଦବେଗ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ତା’ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)