Advertisment

Road Accidents Continue to Rise: ରାସ୍ତାରେ ଜୀବନ ଶସ୍ତା; ଦିନକରେ ସଡ଼କ ଦୁର୍ଘଟଣା ନେଉଛି ୧୭ ଜୀବନ

ରାସ୍ତାରେ ଜୀବନ ଶସ୍ତା। ୨୪ ଘଣ୍ଟାରେ ରାଜ୍ୟରେ ଦୁର୍ଘଟଣାରେ ୧୪ ମୃତ। କେଉଁଠି ଛାତିଥରା ତ କେଉଁଠି ମର୍ମନ୍ତୁଦ ଦୁର୍ଘଟଣା। ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ୧୦ ବର୍ଷର ତଥ୍ୟକୁ ନେଇ ଉଦବେଗ। ଦିନକରେ ସଡ଼କ ଦୁର୍ଘଟଣା ନେଉଛି ୧୭ ଜୀବନ। ସଚେତନା ସତ୍ତ୍ବେ ଦୁର୍ଘଟଣାରେ ଲାଗୁନି ବ୍ରେକ୍।

author-image
Pramod Behera
Road Accidents Continue to Rise

ରାସ୍ତାରେ ଜୀବନ ଶସ୍ତା; ଦିନକରେ ସଡ଼କ ଦୁର୍ଘଟଣା ନେଉଛି ୧୭ ଜୀବନ Photograph: (OTV)

କାମ ଦେଉନି କି ସଚେତନତା ମନ୍ତ୍ର। ରାଜ୍ୟରେ ସଡ଼କ ସୁରକ୍ଷା ମାସ ପାଳନକୁ ମାତ୍ର ସପ୍ତାହେ ବିତିନି। ହେଲେ ନନଷ୍ଟପ୍ ରାସ୍ତା ଦୁର୍ଘଟଣାରେ ଲାଗୁନି ବ୍ରେକ୍। ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣାରେ ୧୪ଜଣଙ୍କ ମୃତ୍ୟୁ ଘଟିଛି। ଏଣେ ବିଧାନସଭାରେ ଖୋଦ୍ ମୁଖ୍ୟମନ୍ତ୍ରୀ ରଖିଥିବା ରୋଡ୍ ଆକ୍ସିଡେଣ୍ଟ ତଥ୍ୟ ବି ଆଖି ତରାଟିଲା ଭଳି। ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି- ଗତ ୧୦ ବର୍ଷରେ ୧ ଲକ୍ଷ ୧୩ ହଜାର ୩୨୫ଟି ରାସ୍ତା ଦୁର୍ଘଟଣା ମାମଲା ରୁଜୁ ହୋଇଛି, ଯେଉଁଥିରେ ୫୩ ହଜାରରୁ ଅଧିକ ଲୋକଙ୍କର ଜୀବନ ଯାଇଛି। ସେମିତି ଦୈନିକ 

Advertisment

କେଉଁଠି ଛାତିଥରା ତ କେଉଁଠି ମର୍ମନ୍ତୁଦ। ଆଖି ପିଛୁଳାକେ ଲିଭି ଯାଉଛି ଜୀବନ ଦୀପ। ନନଷ୍ଟପ୍ ରୋଡ୍ ଆକ୍ସିଡେଣ୍ଟରେ ଲାଗୁନି ବ୍ରେକ୍।

ଗତ ୨୪ ଘଣ୍ଟାରେ ରାଜ୍ୟରେ ଭିନ୍ନ ଭିନ୍ନ ସ୍ଥାନରେ ଅବେଳରେ ଯାଇଛି ୧୪ ଜଣଙ୍କ ପ୍ରାଣ। ଯାହା ଭିତରୁ ଇଏ ଏକ ଦୁଃଖଦ ଦୁର୍ଘଟଣା। କେନ୍ଦୁଝର ସଦର ଥାନା ତେନ୍ତୁଳି ନିକଟରେ ଆଜି ଘଟିଥିବା ଏ ଆକ୍ସିଡେଣ୍ଟ ସମୟର ଚିତ୍ର ବିନା ବ୍ଲରରେ ଦେଖାଇବା ସମ୍ଭବ ନୁହେଁ। ଡାଇନୋମା ମିସ୍ତ୍ରୀ ଭାବେ ଦୋକାନ କରିଥିବା ଏମଡି ନୁର୍, ପତ୍ନୀ ଓ ୫ବର୍ଷର ପୁଅକୁ ବାଇକ୍ ରେ ବସାଇ ଘରକୁ ଯାଉଥିବାବେଳେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ ସହ ପଛ ପଟୁ ଧକ୍କା ହୋଇଥିଲେ। 

Advertisment

ନୁର୍ ଓ ୫ବର୍ଷିୟ ପୁଅର ସ୍ପଟ୍ ଡେଥ୍ ହୋଇଥିବାବେଳେ ପତ୍ନୀ ମେଡିକାଲରେ ମରଣ ସହ ସଂଘର୍ଷ କରୁଛନ୍ତି। ସେମିତି ବରଗଡ଼ ଜିଲ୍ଲା ମେହନା ଗାଁ ନିକଟରେ ଏକ ଲୋମଟାଙ୍କୁରା ଦୁର୍ଘଟଣାରେ ଗୋଟିଏ ପରିବାରର ଲିଭି ଯାଇଛି ୪ଜଣଙ୍କ ଜୀବନ ଦାପ। ଖଇରପାଲିରୁ ଏକ ବାହାଘର ଭୋଜି ଖାଇ ଆଗ ପଛ ହୋଇ ୨ଟି ବାଇକରେ ୬ଜଣ ସଦସ୍ୟ ବିନିକା ଥାନା ଜାମପାଲି ଗାଁକୁ ଫେରୁଥିବାବେଳେ ବାଟରେ ଛକିଥିଲା ଯମ। 

ଏକ ଦୃତଗାମୀ ବୋଲେରୋ ବାଇକ୍ ଦୁଇଟିକୁ ଧକ୍କା ଦେବାରୁ ସମସ୍ତେ ଛିଟିକି ପଡ଼ିଥିଲେ। ଘଟଣା ସ୍ଥଳରେ ତିନିଜଣ ବୟସ୍କଙ୍କ ସହ ଜଣେ ନାବାଳକ ନାତିର ଶୋଚନୀୟ ମୃତ୍ୟୁ ଘଟିଥିଲା। ଅନ୍ୟ ଦୁଇ ନାବାଳକଙ୍କୁ ବୁର୍ଲା ମେଡିକାଲ ନିଆଯାଇଛି। ମୃତକମାନେ ସମସ୍ତେ ଜାମପାଲି ଗାଁର। ଏଣେ ଜଟଣୀ ଥାନା ନାଇଜର ଛକରେ ଆଜି ଅପରାହ୍ନରେ ଏକ ଅଟୋକୁ ଦ୍ରୁତଗାମୀ କାର୍ ପିଟିବାରୁ ଜଣଙ୍କର ପ୍ରାଣ ଯାଇଛି। ୩ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

କାର୍ ଓ ଅଟୋର ଅବସ୍ଥାକୁ ଦେଖିଲେ ଠିକ୍ ଜାଣି ହେଉଛି- କେତେ ଶକ୍ତିଶାଳୀ ହୋଇଥିବ ଦୁର୍ଘଟଣା। ସେମିତି ବଣାଇରେ ୨ ଓ ବଲାଙ୍ଗିରରେ ବି ଜଣଙ୍କର ରୋଡ୍ ଆକ୍ସିଡେଣ୍ଟରେ ଯାଇଛି ଜୀବନ।

ଗୋଟିଏ ପଟେ ରାଜ୍ୟରେ ନନଷ୍ଟପ୍ ରାସ୍ତା ଦୁର୍ଘଟଣାରେ ବ୍ରେକ୍ ଲାଗୁନଥିବାବେଳେ ଏଣେ ସଡ଼କ ଦୁର୍ଘଟଣା ସଂପର୍କିତ ସରକାରଙ୍କ ତଥ୍ୟ ବି ବଢ଼ାଇଛି ଚିନ୍ତା। ଗତ ୧୦ ବର୍ଷରେ ୧ ଲକ୍ଷ ୧୩ ହଜାର ୩୨୫ଟି ସଡ଼କ ଦୁର୍ଘଟଣା ଜନିତ ମାମଲା ରୁଜୁ ହୋଇଥିବା ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ ରଖିଛନ୍ତି ଲିଖିତ ଉତ୍ତର। ଯାହା ଭିତରୁ ଗତ ୪ବର୍ଷର ତଥ୍ୟ ଚମକାଇଲା ଭଳି। 

ଗତବର୍ଷ ସର୍ବାଧିକ ୧୨ ହଜାର ୩୭୫ଟି ମାମଲା ରୁଜୁ ହୋଇଥିବା ବେଳେ ୬ହଜାର ୪୩୮ ଜଣଙ୍କ ଜୀବନ ଯାଇଛି। ସେମିତି ଗତ ୧୦ ବର୍ଷରେ ମୋଟ୍ ୫୩ ହଜାର ୪୫୧ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି ଓ ୫୫ ହଜାର ୭୮୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆଉ ଦିନକୁ ମରୁଛନ୍ତି ୧୭। ତାହାଲେ ଏଠି ପ୍ରଶ୍ନ-ଏତେ ସଚେତନତା ସତ୍ତ୍ବେ କାହିଁକି ବଢ଼ି ବଢ଼ି ଚାଲିଛି ରାସ୍ତା ଦୁର୍ଘଟଣା। 

ସଡ଼କ ସୁରକ୍ଷା ବିଶେଷଜ୍ଞ-ଏଥିପାଇଁ କେତେବେଳେ ମଦ୍ୟପାନ ଜନିତ ଡ୍ରାଇଭିଂ ତ କେତେବେଳେ ବେପରୁଆ ଗାଡ଼ି ଚାଳନାକୁ ଦାୟୀ କରିଛନ୍ତି। ତାସହ ଖରାପ ରାସ୍ତା, କୁହୁଡ଼ି ଓ ରାସ୍ତା କଡ଼ରେ ବେଆନ୍ ପାର୍କିଂକୁ ବି ଦୁର୍ଘଟଣାର ଅନ୍ୟତମ ପ୍ରମୁଖ କାରଣ ଭାବେ ଦର୍ଶାଇଛନ୍ତି।

ରାଜ୍ୟରେ ସଡ଼କ ସୁରକ୍ଷା ମାସ ପାଳନକୁ ମାତ୍ର ସପ୍ତାହେ ବିତିନି। ବହୁ ସଚେତନତା ଓ ସାବଧାନତା ମନ୍ତ୍ର ସତ୍ତ୍ବେ ରାସ୍ତା ଦୁର୍ଘଟଣା ସଂଖ୍ୟା ହ୍ରାସ ପରିବର୍ତ୍ତେ ମାତ୍ରାଧିକ ବୃଦ୍ଧି ବଡ଼ ଚିନ୍ତାର କାରଣ ପାଲଟିଛି।

Road Safety Odisha Accidents Odisha News
Advertisment
Advertisment