/odishatv-khabar/media/media_files/2026/01/24/republic-day-non-veg-ban-2026-01-24-20-41-09.jpg)
ଜାନୁଆରୀ ୨୬ରେ ଆମିଷ ଦ୍ରବ୍ୟ ଓ ଖାଦ୍ୟପଦାର୍ଥ ବିକ୍ରି ଉପରେ ଲାଗିଛି ପ୍ରାଶାସନିକ କଟକଣା Photograph: (OTV)
ସାଧାରଣତନ୍ତ୍ର ଦିବସରେ ଆମିଷ ବିକ୍ରି ବନ୍ଦ ନିଷ୍ପତ୍ତି ନେଇ ଚର୍ଚ୍ଚାରେ କୋରାପୁଟ ଜିଲ୍ଲାପାଳ। ଜାନୁଆରୀ ୨୬ରେ ସାରା କୋରାପୁଟରେ ଆମିଷ ଦ୍ରବ୍ୟ ଓ ଖାଦ୍ୟପଦାର୍ଥ ବିକ୍ରି ଉପରେ ଲାଗିଛି ପ୍ରାଶାସନିକ କଟକଣା। ତେବେ କେଉଁ ଆଧାରରେ ଜିଲ୍ଲାପାଳ ଏଭଳି ନିଷ୍ପତ୍ତି ନେଲେ, ତାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା। କେହି କେହି ନିଷ୍ପତ୍ତିକୁ ସ୍ବାଗତ କରୁଥିବାବେଳେ ଅନେକ ପ୍ରଶ୍ନ ଉଠାଇଛନ୍ତି । ସେପଟେ ପୂର୍ବତନ ପ୍ରଶାସନିକ ଅଧିକାରୀଙ୍କ କହିବା କଥା, ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ସମ୍ପୂର୍ଣ୍ଣ ବେଆଇନ।
କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ତରଫରୁ ଜାରି ହୋଇଛି ଏମିତି ଚର୍ଚ୍ଚିତ ଚିଠି। ଯେଉଁଥିରେ ସ୍ପଷ୍ଟ ଭାବେ ଲେଖାଯାଇଛି, ଆସନ୍ତା ଜାନୁଆରୀ ୨୬ ଅର୍ଥାତ ସାଧାରଣତନ୍ତ୍ର ଦିବସରେ ସାରା ଜିଲ୍ଲାରେ ଆମିଷ ବିକ୍ରି ମନା। ସୋମବାର ଦିନ କୋରାପୁଟର ସବୁ ଅଞ୍ଚଳରେ ଅଣ୍ଡା, ମାଛ, ଚିକେନ୍, ମଟନ୍ ଏବଂ ଅନ୍ୟାନ୍ୟ ଆମିଷ ଜାତୀୟ ଖାଦ୍ୟ ବିକ୍ରି ଉପରେ ରୋକ୍ ଲାଗିବ।
ଏହା ସହିତ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସମସ୍ତ ତହସିଲଦାର, ବିଡିଓ ଓ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ପ୍ରଥମ ଥର ପାଇଁ ଏଭଳି ଏକ ନିୟମକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗିରହିଛି । ପ୍ରଶାସନର ନିର୍ଦ୍ଦେଶାନାମାକୁ ନେଇ ଲୋକଙ୍କ ମଧ୍ୟରେ ପ୍ରକାଶ ପାଇଛି ମିଶ୍ର ପ୍ରତିକ୍ରିୟା। କେହିକେହି ନିଷ୍ପତ୍ତିକୁ ନାପସନ୍ଦ କରିଥିବାବେଳେ ଆଉ କିଛି ସ୍ୱାଗତ ମଧ୍ୟ କରିଛନ୍ତି।
ତେବେ କାହିଁକି ଜାନୁଆରୀ ୨୬ରେ ଆମିଷ ବନ୍ଦ ନିଷ୍ପତ୍ତି? କେଉଁ ଉଦ୍ଦେଶ୍ୟରେ ଏଭଳି ଚିଠି ଜାରି କଲେ ଜିଲ୍ଲାପାଳ? ସାଧାରଣତନ୍ତ୍ର ଦିବସ ଓ ଆମିଷ ବନ୍ଦ ମଧ୍ୟରେ କଣ ରହିଛି ସମ୍ପର୍କ? ଆସନ୍ତା ସୋମବାରରେ ପଡ଼ୁଛି ଗଣତନ୍ତ୍ର ଦିବସ। ସୋମବାରରେ ଅନେକ ଲୋକ ଆମିଷ ଖାଇ ନଥାନ୍ତି। କିନ୍ତୁ ପ୍ରଶାସନିକ ସ୍ତରରେ ନନଭେଜ୍ ବିକ୍ରି ବନ୍ଦ କରିବା ନିର୍ଦ୍ଦେଶ କେତେ ଯୁକ୍ତିଯୁକ୍ତ? ସେପଟେ ଜିଲ୍ଲାରେ ସାଧାରଣତନ୍ତ୍ର ଦିବସ ଆୟୋଜନ ବୈଠକରେ କିଛିଜଣ ଆମିଷ ବନ୍ଦ ପାଇଁ ପ୍ରସ୍ତାବ ଦେଇଥିଲେ। ପରେ ଜିଲ୍ଲାପାଳ ଏଭଳି ଚିଠି ଜାରି କରିଥିବା ସୂଚନା ମିଳିଛି।
ତେବେ ସାଧାରଣତନ୍ତ୍ର ଦିବସ ଭଳି ଜାତୀୟ ପର୍ବରେ ଏଭଳି ପ୍ରଶାସନିକ ନିଷ୍ପତ୍ତି ଆବଶ୍ୟକ ଥିଲା କି ? ତାହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଲାଗିରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)