/odishatv-khabar/media/media_files/2026/01/23/ama-bus-drivers-carelessness-sparks-2026-01-23-19-49-59.jpg)
‘ଆମ ବସ୍’ ଆତଙ୍କରେ ଥରହର ଜନତା, Photograph: (OTV)
ଆଉ ପାରି ହେଉନି ‘ଆମ ବସ୍’କୁ। ଯେତେ କାର୍ଯ୍ୟାନୁଷ୍ଠାନ ହେଉ କି ଯେତେ ସତର୍କ କରାଯାଉ। ରାଜରାସ୍ତାରେ ମଣିଷଙ୍କୁ ଦଳି ଚକଟି ପକାଉଛି ପଶୁ ଭଳି। ଆଜି ପୁଣି ଭୁବନେଶ୍ବରରେ ବାଇକକୁ ପିଟିଲା, ପୁରୀରେ ଜଣେ ମହିଳାଙ୍କୁ ଏମିତି ଦଳିଦେଲା ଯେ ତାଙ୍କ ବାମ ଗୋଡ଼ ଛିନଛତ୍ର ହୋଇଗଲା। ଲଗାମହୀନ ‘ଆମ ବସ୍’ର ଏଭଳି ଆତଙ୍କରାଜକୁ ନେଇ ଭୁବନେଶ୍ୱର ଓ ପୁରୀରେ ଉପୁଜିଥିଲା ପ୍ରବଳ ଉତ୍ତେଜନା।
ହେଲେ କାହିଁକି ‘ଆମ ବସ୍’ ଡ୍ରାଇଭରଙ୍କ ଏଭଳି ଆଚରଣ ? ରାଜ୍ୟ ସରକାରଙ୍କ ନାଲି ଆଖି ପରେ ବି ‘ଆମ ବସ୍’ ପରିଚାଳନା ଦାୟିତ୍ବରେ ଥିବା କ୍ରୁଟ୍ କ’ଣ କରୁଛି ? ଏଭଳି ନାନା ପ୍ରଶ୍ନ ଉଠୁଥିବାବେଳେ ଘଟଣା ସଂପର୍କରେ ମୁହଁ ଖୋଲୁନାହାଁନ୍ତି କ୍ରୁଟ୍ କର୍ତ୍ତୃପକ୍ଷ।
‘ଆମ ବସ୍’ର ଆତଙ୍କରାଜରୁ ଆଉ ତ୍ରାହି ନାହିଁ। ରାତି ପାହିଲେ ରକ୍ତମୁଖା ସାଜୁଛି, ଯେଉଁଠି ପାରିଲେ ସେଇଠି ଦଳିଚକଟି ପକାଉଛି। କେବେ ମୁଣ୍ଡ ନେଉଛି ତ ପୁଣି କେବେ ବିକଳାଙ୍ଗ କରି ଛାଡ଼ିଦେଉଛି ପଥଚାରୀଙ୍କୁ। କଟକ-ଭୁବନେଶ୍ବର-ପୁରୀ। ୩ଟି ସହରର ଲାଇଫଲାଇନ୍ ସାଜିଥିବା ‘ଆମ ବସ୍’ ଶ୍ରକ୍ରବାର ପୁଣି ଭିଆଇଛି ଦୁର୍ଘଟଣା, ବାଇକକୁ ପିଟିଛି ଭୁବନେଶ୍ୱରରେ। ପୁରୀରେ ମହିଳାଙ୍କ ଗୋଡ଼କୁ ଦଳି ଛିନଛତ୍ର କରିଦେଇଛି।
ସମୟ ଅପରାହ୍ନ ପ୍ରାୟ ୨ଟା। ଲୋକଙ୍କ ମୁହଁରେ ଯମର ଆଖ୍ୟା ପାଇଥିବା ‘ଆମ ବସ୍’ ଆଜି ମାଷ୍ଟରକ୍ୟାଣ୍ଟିନ ନିକଟରେ ଏମିତି ଚାପି ଦେଇଥିଲା ବାଇକକୁ। ମାଷ୍ଟରକ୍ୟାଣ୍ଟିନରୁ ରାଜମହଲ ଅଭିମୁଖେ ଯାଉଥିଲା ‘ଆମ ବସ୍’। ୟୁକୋ ବ୍ୟାଙ୍କ ନିକଟରେ ଡାହାଣକୁ ୟୁ ଟର୍ଣ୍ଣ ନେଉଥିଲେ ବାଇକ ଚାଳକ। ଠିକ୍ ସେତିକିବେଳେ ସଂପୃକ୍ତ ବାଇକକୁ ପିଟିଲା ଆମ ବସ୍। ଛିଟିକି ପଡ଼ିଥିଲେ ବାଇକ୍ ଆରୋହୀ, ସୌଭାଗ୍ୟକୁ ବଞ୍ଚିଗଲା ଜୀବନ। କିନ୍ତୁ ପୋଲିସ ଆସି ଦୁର୍ଘଟଣା ଭିଆଇଥିବା ଆମ ବସକୁ ଘଟଣାସ୍ଥଳରୁ ଛାଡ଼ିଦେବା ପରେ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ କିଛି ବ୍ୟକ୍ତି। ସେହି ରାସ୍ତାଦେଇ ଯାଉଥିବା ‘ଆମ ବସ’ ଗୁଡ଼ିକୁ କରିଥିଲେ ଟାର୍ଗେଟ୍। ଯିଏ ଯେମିତି ପାରିଲେ ଭାଙ୍ଗିଚାଲିଲେ ୩ଟି ‘ଆମ ବସ୍’କୁ।
ଖବର ପାଇ ଦଳବଳ ଧରି ପହଞ୍ଚିଥିଲେ ଭୁବନେଶ୍ବର ଡିସିପି। ସ୍ଥିତି ନିୟନ୍ତ୍ରଣ ପାଇଁ ମୃଦୁ ଲାଠିଚାଳନା ଯାଏଁ କଥା ଯାଇଥିଲା। ଆଉ ଅଧଘଣ୍ଟାର ଛକାପଞ୍ଝା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଡିସିପି ଜଗମୋହନ ମୀନା କହିଛନ୍ତି, ଦୁର୍ଘଟଣା ବାହାନାରେ ଅସାମାଜିକ କାର୍ଯ୍ୟ ଭିଆଉଥିବା ବ୍ୟକ୍ତିଙ୍କ ବିରୋଧ କାର୍ଯ୍ୟାନୁଷ୍ଠାନ ନିଆଯିବ।
‘ଆମ ବସ’ ଡ୍ରାଇଭରଙ୍କ ବେପରୁଆ ଚାଳନା ସତ୍ତ୍ବେ ଭୁବନେଶ୍ବରରେ ସିନା ଜୀବନ ବଞ୍ଚିଗଲା ବାଇକ ଚାଳକଙ୍କର। ହେଲେ ପୁରୀ ନବକଳେବର ରୋଡରେ ଯେଉଁ ମହିଳାଙ୍କୁ ଚଢ଼ିଯାଇଥିଲା ‘ଆମ ବସ୍’, ତାଙ୍କ ଜଙ୍ଘରୁ ପାଦ ଯାଏଁ ଖିନଭିନ୍ ହୋଇଯାଇଛି। ଶ୍ରୀମନ୍ଦିରଠାରୁ ମାଳତୀପାଟପୁର ବସଷ୍ଟାଣ୍ଡ ଯିବାବେଳେ ଘଟିଥିଲା ଏହି ଦୁର୍ଘଟଣା। ଯାହାକୁ ନେଇ ତାତି ଉଠିଥିଲେ ଲୋକେ। ୱାନ ୱେ ଦାବି କରି ନବକଳେବର ରୋଡରେ ରାସ୍ତାରୋକ କରିଥିଲେ।
ଶେଷରେ ସିଟି ଡିଏସପି ଏବଂ କୁମ୍ଭାରପଡ଼ା ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ପ୍ରାଥମିକ ଚିକିତ୍ସା ପାଇଁ କ୍ରୁଟ୍ ପକ୍ଷରୁ ୫୦ ହଜାର ଟଙ୍କା ଦିଆଯିବା ସହ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଆର୍ଥିକ ସହାୟତା ଏବଂ ଗମନାଗମନ ବ୍ୟବସ୍ଥା ସଂପର୍କରେ ପ୍ରତିଶ୍ରୁତି ପରେ ହଟିଥିଲା ରାସ୍ତାରୋକ।
କ୍ରୁଟ୍ ଦ୍ବାରା ପରିଚାଳିତ ‘ଆମ ବସ୍’କୁ ଟ୍ରାକକୁ ଫେରାଇ ଆଣିବାକୁ ବଡ଼ କସରତ କରିବା ସହ ଗ୍ରାଉଣ୍ଡକୁ ଓହ୍ଲାଇଥିଲେ ଖୋଦ୍ ପୋଲିସ ଓ ପରିବହନ କମିଶନର। କେଉଁଠି ବ୍ରେଥ୍ ଆନାଲାଇଜର ଟେଷ୍ଟ, ତ ପୁଣି କେଉଁଠି ଏନଫୋର୍ସମେଣ୍ଟ ଟିମ୍ ତନ୍ନ ତନ୍ନ ଯାଞ୍ଚ କରିଥିଲା। ଦୁର୍ଘଟଣା ରୋକିବାକୁ ସ୍କ୍ରିନିଂ ଟେଷ୍ଟ ପାସ୍ କଲେ ହିଁ ଡ୍ରାଇଭରଙ୍କୁ ‘ଆମ ବସ୍’ ଚଳାଇବାକୁ ଅନୁମତି ଦିଆଯିବ ବୋଲି କହିଥିଲା ପରିବହନ ବିଭାଗ।
ଡ୍ରାଇଭର ଏବଂ କର୍ମଚାରୀ ଶପଥ ପାଠ ବି କରିଥିଲେ। ତଥାପି ‘ଆମ ବସ୍’କୁ ଲାଗୁନି ଲଗାମ।କେଉଁଠି ରହୁଛି ଭୁଲ୍ ? କାହିଁକି ବେଦାୟିତ୍ବ ‘ଆମ ବସ୍’ ଚାଳକ ? କ୍ରୁଟର ଢିଲାପଣ ପାଇଁ ଲଗାମଛଡ଼ା ହେଉଛନ୍ତି କି ଆମ ବସ୍ ଡ୍ରାଇଭର ? ଉଠିଛି ନାନା ପ୍ରଶ୍ନ।
ଦୁର୍ଘଟଣା ହାର କମାଇବା ପାଇଁ ଚାଲିଛି ସଡ଼କ ସୁରକ୍ଷା ମାସ। କିନ୍ତୁ ରକ୍ତମୁଖା ‘ଆମ ବସ୍’କୁ କରାଯାଇପାରୁନି ଶାନ୍ତ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)