/odishatv-khabar/media/post_attachments/uploadimage/library/16_9/16_9_0/raghu-12_1626759555.jpg)
raghu
ଭୁବନେଶ୍ୱର: ବିଜେଡି ଉପସଭାପତି ତଥା ବରିଷ୍ଠ ନେତା ରଘୁନାଥ ମହାନ୍ତି ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି। ବିଜେଡିର ପ୍ରାଥମିକ ସଦସ୍ୟତା ସହ ଉପସଭାପତି ପଦରୁ ସେ ଇସ୍ତଫା ଦେଇଛନ୍ତି। ଗତକାଲି ରଘୁନାଥ ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ତେବେ ଇସ୍ତଫା ପତ୍ରରେ ବ୍ୟକ୍ତିଗତ କାରଣ ଦର୍ଶାଇଥିଲେ।
ସେ ବସ୍ତାରୁ ବିଜେଡି ଟିକେଟ୍ ପାଇଁ ଆଶାୟୀ ଥିବା କୁହାଯାଉଥିଲା।
ବାଲେଶ୍ୱର ଜିଲ୍ଲା ବସ୍ତା ନିର୍ବାଚନମଣ୍ଡଳୀରୁ ରଘୁନାଥ ୫ ଥର ବିଧାୟକ ଥିଲେ। ଏଥିସହ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ବହୁ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦରେ ଅବସ୍ଥାପିତ ହୋଇଥିଲେ। ତେବେ ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେବା ପରେ ସେ ବିଜେଡି ସରକାର ବିରୋଧରେ ବର୍ଷିଛନ୍ତି।
ସେ କହିଛନ୍ତି,“ଯେଉଁ ଆଦର୍ଶରେ ଦଳ ଗଢ଼ା ହୋଇଥିଲା, ଏବେ ସେହି ଦଳ ପଥଭ୍ରଷ୍ଟ ହୋଇଛି। କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କ ଚକ୍ରାନ୍ତରେ ଦଳ ପଥଭ୍ରଷ୍ଟ ହୋଇଛି।”
କର୍ମୀଙ୍କ ସ୍ୱାଭିମାନକୁ ଦୃଷ୍ଟିରେ ରଖି ଇସ୍ତଫା ଦେଇଥିବା ସେ କହିଛନ୍ତି। ତେବେ କେଉଁ ଦଳକୁ ଯିବେ, ସେ ସମ୍ପର୍କରେ ନିଷ୍ପତ୍ତି ନେଇ ନଥିବା ରଘୁନାଥ ସୂଚନା ଦେଇଛନ୍ତି।
ବିଜେଡିର ଜଣେ ପୁରୁଖା ନେତା ଥିଲେ ରଘୁନାଥ ମହାନ୍ତି। ବିଜୁ ପରିବାରର ଅନ୍ୟତମ ବରିଷ୍ଠ ସଦସ୍ୟ ଥିଲେ। ୧୯୯୦ ମସିହାରୁ ସେ ଲଗାତର ଭାବେ ୫ ଥର ବାଲେଶ୍ୱର ଜିଲ୍ଲା ବସ୍ତା ନିର୍ବାଚନମଣ୍ଡଳୀରୁ ଜିତି ଥିଲେ। ୧୯୯୦ ଓ ୧୯୯୫ରେ ଜନତା ଦଳ ତରଫରୁ ଜିତିଥିବା ବେଳେ ୨୦୦୦, ୨୦୦୪ ଓ ୨୦୦୯ରେ ବିଜୁ ଜନତା ଦଳ ତରଫରୁ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।
ନବୀନ ସରକାରରେ ସେ ଆଇନ, ସଂସଦୀୟ ବ୍ୟାପାର, ଖଣି ଓ ଇସ୍ପାତ ଏବଂ ଶିଳ୍ପ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ସମ୍ଭାଳିଥିଲେ। ବୋହୂ ବର୍ଷା ସୋନି ନିର୍ଯାତନା ମାମଲାରେ ପୁଲିସ ତାଙ୍କୁ ଗିରଫ କରିବା ପରେ ୨୦୧୩ରେ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା। ୨୦୧୪ ତାଙ୍କୁ ଟିକେଟ ମଧ୍ୟ ମିଳିନଥିଲା।
ପରେ ପୁଅ-ବୋହୂଙ୍କ ମଧ୍ୟରେ ଥିବା ବିବାଦର ସମାଧାନ ହୋଇଥିଲା। ଏହା ପରେ ୨୦୧୭ ଜୁନ୍ରେ ରଘୁନାଥ ମହାନ୍ତିଙ୍କ ଉପରୁ ଉଠିଥିଲା ନିଲମ୍ବନ। ୨୦୧୮ରେ ତାଙ୍କୁ ଦଳର ଉପସଭାପତି ଭାବେ ନିଯୁକ୍ତ କରିଥିଲେ ନବୀନ ପଟ୍ଟନାୟକ।
ବିଜେଡି ଛାଡିବା ପରେ ରଘୁନାଥ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଛି। ଏହାକୁ ନେଇ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶ୍ନ କରାଯିବାରେ ସେ ମନା କରି ନଥିଲେ ବି ହଁ କହିନାହାନ୍ତି। ସେ କହିଛନ୍ତି, “ଯିଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ଗ୍ରହଣ କରିବେ, ତାଙ୍କୁ ଦଳ ସ୍ୱାଗତ କରିବ।”
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)