/odishatv-khabar/media/post_attachments/uploadimage/library/16_9/16_9_0/snanapurnima_1622794203.jpg)
snanapurnima
ପୁରୀ: ସରିଲା ଭଉଁରୀ, ଆସୁଛି ସ୍ନାନ ପୂର୍ଣ୍ଣମୀ । ଏଠି ପ୍ରଶ୍ନ କରୋନା କହର ଲାଗି ରହିଥିବାବେଳେ କଣ ଏଥର ବି ବିନା ଭକ୍ତରେ ହେବ ଶ୍ରୀଜିଉଙ୍କ ସ୍ନାନଯାତ୍ରା । ଘୋଷ ଯାତ୍ରାରେ ବି ରଥ ଉପରେ ସିଧାସଳଖ ସାନିଧ୍ୟ ପାଇବେନି ଭକ୍ତ । ଏହାକୁ ନେଇ ସଂଶୟ ବଢୁଥିବା ବେଳେ ପ୍ରଶାସନ କହିଛି ଅବସ୍ଥା ଦେଖି ବ୍ୟବସ୍ଥା ହେବ ।
ପରମ୍ପରା, ପଟୁଆରରେ ଶ୍ରୀମନ୍ଦିରରୁ ଶ୍ରୀଜୀଉଙ୍କ ସକାଳ ଧୂପ ପରେ ରଥଖଳାକୁ ବିଜେ ହୋଇଛନ୍ତି ଆଜ୍ଞାମାଳ । ଆଜି ଭଉଁରୀ ତିଥିରେ ଶ୍ରୀନଅର ଆଗରେ ପୂଜାପଣ୍ଡା ସାମନ୍ତଙ୍କଠାରୁ ମହାପ୍ରଭୁଙ୍କ ଏ ଶ୍ରୀଅଙ୍ଗ ଲାଗି ଆଜ୍ଞାମାଳ ରୂପୀ ସନ୍ଦେଶ ପାଇବା ପରେ ସଂଯୋଗ ହୋଇଛି ତିନି ରଥର ନାହାକା ସହ ଚକ-ଅଖ । ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ, ତାପରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ଓ ଶେଷରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥର ୨ଟି ଲେଖାଏଁ ଚକ ଡେରା ନୀତି ସମ୍ପନ୍ନ ବେଳେ ସୃଷ୍ଟି ହୋଇଥିଲା ଭାବମୟ ପରିବେଶ । ରଥ ନିର୍ମାଣରେ ଲାଗିଥିବା ବିଶ୍ୱକର୍ମା ମହାରଣାମାନେ ସୂଚାଇ ଦେଇଥିଲେ । ଆଜି ପ୍ରଥମ ପର୍ଯ୍ୟାୟ ରଥ ନିର୍ମାଣ କାର୍ଯ୍ୟ ଏଇଠି ସମ୍ପନ୍ନ ହେଲା । ଆଗକୁ ଦେବସ୍ନାନ ପୂର୍ଣ୍ଣମୀରେ ପ୍ରତି ରଥର ଚାରି ନାହାକା ଉଠିବ ।
ସେପଟେ ଆଜି ଭଉଁରୀ ତିଥି ସହ ଶେଷ ହୋଇଛି ଶ୍ରୀଜିଉଙ୍କ ବାହାର ଚନ୍ଦନ ଯାତ୍ରା । ଆଗକୁ ଆସୁଛି ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ । ଜୁନ୍ ୨୪ରେ ସ୍ନାନଯାତ୍ରା ବେଳକୁ ରାଜ୍ୟରେ କରୋନା ସ୍ଥିତି କମିଥିବ କି ନାହିଁ ତାହା ଏବେଠୁ କହି ହେବନି । ହେଲେ ଆଶଙ୍କା, ଯଦି କରୋନା କହର ଲାଗି ରହେ ତାହାଲେ କେମିତି ଶୃଙ୍ଖଳିତ ହେବ ଠାକୁରଙ୍କ ସ୍ନାନ ନୀତି ? ଏବର୍ଷ ଭକ୍ତଙ୍କୁ ଦିବ୍ୟ ସ୍ନାନ ଦର୍ଶନ ସୁଯୋଗ ମିଳିବ ନା ଗତବର୍ଷ ଭଳି ବଞ୍ଚିତ ହେବେ ? ସ୍ନାନ ଯାତ୍ରା ସହ ହାତୀବେଶ ବେଳେ ଭକ୍ତଙ୍କୁ ରୋକିବାକୁ କି ପ୍ରକାର କଡ଼ା କଟକଣା ଜାରି ହେବ ?
ଗତବର୍ଷ ଭଳି ସେଦିନ ପୁରୀ ସହରରେ ୧୪୪ ଧାରା ଜାରି ହେବ ନା ଆଉ କିଛି ନୂଆ ଏସଓପି ଜାରି ହେବ । ତାକୁ ନେଇ ବଢୁଛି ସଂଶୟ । ତାସହ ଆଗକୁ ଜୁଲାଇ ୧୨ ତାରିଖ ରଥଯାତ୍ରା ପାଇଁ ବି ଆରମ୍ଭ ହେଲଣି କାଉଣ୍ଟ ଡାଉନ୍ । ତେଣୁ ଏଥର ବି କେବଳ ସେବାୟତ ରଥ ଟାଣିବେ ନା ଭକ୍ତଙ୍କୁ ସୁଯୋଗ ମିଳିବ ? ତାହା ବି ଅସ୍ପଷ୍ଟ । ଏସବୁ ଭିତରେ ପ୍ରଶାସନ କହିଛି ଶ୍ରୀମନ୍ଦିର ପ୍ରଶାସନ, ଛତିଶା ନିଯୋଗ ଓ ସେବାୟତଙ୍କ ସହ ମିଳିତ ଭାବେ ବୈଠକ ପରେ ଯାହା ନିଷ୍କର୍ସ ବାହାରିବ । ସେତେବେଳେ ଅବସ୍ଥା ଦେଖି ବ୍ୟବସ୍ଥା ହେବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)