/odishatv-khabar/media/post_attachments/uploadimage/library/16_9/16_9_0/pm-modi_yWLhc0d_C4N5CWs_1622191159.jpg)
Modi
- ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
- ବାତ୍ୟା କ୍ଷତି ସମୀକ୍ଷା ପାଇଁ ପହଞ୍ଚିଲେ ପ୍ରଧାନମନ୍ତ୍ରୀ
- ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ପାଇଁ ଏୟାରପୋର୍ଟରେ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ
- ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଉପସ୍ଥିତ
ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାତ୍ୟା ସମୀକ୍ଷା କରିବାକୁ ଓଡ଼ିଶା ଗସ୍ତରେ ଆସିଛନ୍ତି ମୋଦି। ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ପାଇଁ ଏୟାରପୋର୍ଟରେ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଅଛନ୍ତି। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ଉପସ୍ଥିତ ଅଛନ୍ତି। ବାତ୍ୟାକୁ ନେଇ ଏରିଏଲ ସର୍ଭେ କରିବେ ମୋଦି।
ସେପଟେ ବାତ୍ୟା ପରେ ରାଜ୍ୟରେ ବନ୍ୟା ଦେଖାଦେଇଛି। ବାତ୍ୟା ‘ୟାସ୍’ ଜନିତ ବର୍ଷା ପାଇଁ ଉଛୁଳୁଛି ସୁବର୍ଣ୍ଣରେଖା ନଦୀ। ବାଲେଶ୍ୱର ଜିଲ୍ଲା ଜାମଶୋଳାଘାଟ ଠାରେ ସୁବର୍ଣ୍ଣରେଖା ନଦୀ ବିପଦ ସଙ୍କେତ ଟପିଛି। ଜାମଶୋଳାଘାଟରେ ବିପଦ ସଙ୍କେତ ୪୯.୧୬ ମିଟର ଥିବା ବେଳେ ଏବେ ୫୦.୮୮ ମିଟର ଦେଇ ଜଳ ପ୍ରବାହିତ ହେଉଛି। ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ସମ୍ଭାବ୍ୟ ବନ୍ୟା ପାଇଁ ପ୍ରଶାସନ ପ୍ରସ୍ତୁତ ଥିବା SRC କହିଛନ୍ତି।
ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ପରେ ଗାଲୁଡିହି ବ୍ୟାରେଜ୍ ଖୋଲା ଯାଇଛି। ଗାଲୁଡିହି ବ୍ୟାରେଜରେ ପାଣି ଯୋଗୁ ସୁବର୍ଣ୍ଣରେଖା ବିପଦ ସଙ୍କେତ ଟପିଛି। ସୁବର୍ଣ୍ଣରେଖା ନଦୀରେ ବନ୍ୟା ଜଳ ବୃଦ୍ଧି ପାଇବା ଆଶଙ୍କା କରି ପ୍ରଶାସନ ଲୋକଙ୍କୁ ସତର୍କ କରାଇଥିଲା। ଡାକବାଜି ଯନ୍ତ୍ର ସାହାଯ୍ୟରେ ନଦୀ କୂଳରେ ରହୁଥିବା ଲୋକମାନେ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପ୍ରଶାସନ ଆଲର୍ଟ କରିଥିଲା।
ତେବେ ଗତକାଲି ବାତ୍ୟା ୟାସ କ୍ଷୟକ୍ଷତିର ପୁନରୁଦ୍ଧାର ଓ ପୁନର୍ଗଠନ କାର୍ଯ୍ୟ ଯୁଦ୍ଧ କାଳୀନ ଭିତ୍ତିରେ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ସପ୍ତାହକ ମଧ୍ୟରେ ଘରଭଙ୍ଗା କ୍ଷତିର ଆକଳନ କର। ଆଜି ରାଜ୍ୟର ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଆଜି ହେଲିକପ୍ଟର ଯୋଗେ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଥିଲେ ପରେ ଏକ ବୈଠକରେ କ୍ଷୟକ୍ଷତିର ଅନୁଧ୍ୟାନ କରିଥିଲେ। ଏହି ଅବସରରେ କ୍ଷତିଗ୍ରସ୍ତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ପ୍ରଭାବିତ ଅଞ୍ଚଳରେ ୭ ଦିନ ଭିତରେ ଘରଭଙ୍ଗା ସମ୍ପର୍କରେ ଆକଳନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ଜନତାଙ୍କ ସହଯୋଗ ପାଇଁ ବିପର୍ଯ୍ୟୟ ମୁକାବିଲା ସଫଳ ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟରେ ତ୍ରୁଟିଶୂନ୍ୟ ପରିଚାଳନା ପାଇଁ ରାଜ୍ୟ ଓ କେନ୍ଦ୍ରୀୟ ସଂସ୍ଥାକୁ ପ୍ରଶଂସା କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)