Advertisment

President’s Homecoming: ଜନ୍ମମାଟିରେ ଆତ୍ମୀୟଙ୍କୁ ଭେଟିଲେ ରାଷ୍ଟ୍ରପତି, ଜଗନ୍ନାଥ ମନ୍ଦିରରେ ଦେଲେ ବ୍ରାହ୍ମଣ ଭୋଜନ

ସେ ରାଷ୍ଟ୍ରପତି। କିନ୍ତୁ ବାପଘରେ ଝିଅଟିଏ, ଶାଶୁଘରେ ବୋହୁଟିଏ। ଆଜି ବାପା ନାହାଁନ୍ତି, ଶାଶୁ ଶ୍ବଶୁର ବି ଅତୀତ। ହେଲେ ଭିଟାମାଟିର ମଣିଷ ଅଛନ୍ତି, ତାଙ୍କୁ ପାଛୋଟି ନେଉଛନ୍ତି, ଆଦର କରୁଛନ୍ତି। ଆମେ କହୁଛୁ, ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କଥା।

author-image
Tapan Swain
PRESIDENT

PRESIDENT Photograph: (OTV)

ବାରି ହେଉଛି ନିରୀହ ପଣ, ନିରାଡ଼ମ୍ବର ଜୀବନ ଶୈଳୀ ଭିତରେ ସରଳପଣିଆ ପ୍ରତ୍ୟେକଙ୍କ ଭିତରେ ଦେଖି ହେଉଛି। ବଣ ପାହାଡ଼ର ଏହି ମଣିଷଙ୍କ ମନ ଆଜି କୁଣ୍ଢେମୋଟ। କାରଣ ଦେଶର ପ୍ରଥମ ନାଗରିକ ଆସୁଛନ୍ତି ତାଙ୍କ ପାଖକୁ...ମାଟିର ଝିଅ ଆଜି ପହଞ୍ଚୁଛନ୍ତି ପାଟପଟୁଆର ଧରି...ରାଷ୍ଟ୍ରପତି ଆଜି ଆସୁଛନ୍ତି ଶାଶୁଘର ଗାଁକୁ। ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ମୟୂରଭଞ୍ଜ ପାହାଡ଼ପୁରକୁ ଆସିଥିଲେ । ଯେଉଁଠି କେବଳ ଆତ୍ମୀୟ ସ୍ବଜନଙ୍କ ସହ କିଛି ସମୟ ସୁଖଦୁଃଖ ହେବାର କାର୍ଯ୍ୟକ୍ରମ ଥିଲା।

Advertisment

ପାହାଡ଼ପୁର ଗାଁ ଦାଣ୍ଡରେ କାରରୁ ଓହ୍ଲାଇ ପ୍ରୋଟୋକଲ ଭାଙ୍ଗି ଚାଲି ଚାଲି ଯାଇ ପହଞ୍ଚିଥିଲେ ମୁର୍ମୁ ଛକରେ। ଦିବଙ୍ଗତ ସ୍ବାମୀ ଶ୍ୟାମ ଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତି ନିକଟରେ ଦୀପ ଜାଳିବା ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏକଦା ଯାହାଙ୍କ ହାତ ଧରି ଯେଉଁ ଗାଁକୁ ବୋହୂ ହୋଇ ଆସିଥିଲେ ମହାମହିମ, ଆଜି ସବୁକିଛି ଅତୀତ ସତ, କିନ୍ତୁ ପ୍ରତ୍ୟେକଟି କଥା ତାଙ୍କୁ ଆଜି ମନେ ପଡ଼ିଥିବ ନିଶ୍ଚୟ। ତେଣୁ ତ ଭାବବିହ୍ବଳ ହୋଇପଡ଼ିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। 

ADCଙ୍କ ଆଦିବାସୀଙ୍କ ପାରମ୍ପରିକ ବସ୍ତ୍ର ପରିଧାନ

ଆତ୍ମୀୟଙ୍କ ସହ ଆବେଗଭରା ମିଳନ ପରେ ଗୋଷାଣୀ ପୀଠକୁ ଯାଇ ମୁଣ୍ଡରେ ଓଢ଼ଣୀ ପକାଇ ପୂଜାର୍ଚ୍ଚନା ସହ ଦର୍ଶନ କରିଥିଲେ ରାଷ୍ଟ୍ରପତି। ପରେ ପବିତ୍ର ଧାର୍ମିକ ପୀଠ 'ଜାହିରା'କୁ ଯାଇଥିଲେ ମହାମହିମ। ଜାହିରାର ପବିତ୍ରତା ରକ୍ଷା ପାଇଁ ରାଷ୍ଟ୍ରପତିଙ୍କ ସହ କେବଳ ସୀମିତ ସଂଖ୍ୟକ ବ୍ୟକ୍ତି ଯାଇଥିଲେ ଭିତରକୁ। ନିୟମ ଅନୁଯାୟୀ, ପାରମ୍ପରିକ ବେଶଭୂଷାରେ ହିଁ ଏହି ଧାର୍ମିକ ପୀଠକୁ ଯିବାକୁ ପଡ଼େ। ତେଣୁ ରାଷ୍ଟ୍ରପତିଙ୍କ ସହ ଯାଇଥିବା ADCଙ୍କୁ ଆଦିବାସୀଙ୍କ ପାରମ୍ପରିକ ବସ୍ତ୍ର ପରିଧାନ କରିଥିବା ଦେଖିବାକୁ ମିଳିଥିଲା। 

Advertisment

ଆଦିବାସୀ ପରମ୍ପରାରେ ଗଛକୁ ପୂଜିବାର ବିଧି ଥିବାରୁ ରାଷ୍ଟ୍ରପତି ଜାହିରା ପରିସରରେ ଚାରା ରୋପଣ ସହ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଥିଲେ।ଯେହେତୁ ରାଷ୍ଟ୍ରପତି ପାହାଡ଼ପୁରର ବୋହୂ, ତେଣୁ ଉପସ୍ଥିତ ସମ୍ପର୍କୀୟ ଓ ଗ୍ରାମବାସୀଙ୍କୁ ଭେଟିଲେ, ଖୋଲା ଆଲୋଚନା କଲେ। ଏସବୁ ଭିତରେ ମୁମ୍ବାଇର ଜଣେ ପ୍ରବାସୀ ଓଡ଼ିଆଙ୍କ ରଚିତ ଏକ ପୁସ୍ତକକୁ ଗ୍ରହଣ କରିଥିଲେ ପ୍ରୋଟୋକଲ୍ ଭାଙ୍ଗି। 

ପାହାଡ଼ପୁରରେ ସ୍ବାମୀ ଏବଂ ୨ ପୁଅଙ୍କ ସ୍ମୁତିରେ ନିଜ ହାତରେ ପ୍ରତିଷ୍ଠିତ SLS ତଥା ଶ୍ୟାମ ଲକ୍ଷ୍ମଣ ସିପୁନ ସ୍ମାରକୀ ଆବାସିକ ସ୍କୁଲକୁ ଯାଇ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସହିତ ଆଲୋଚନା କରିଥିଲେ ରାଷ୍ଟ୍ରପତି। ତାସହ ସମସ୍ତଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଥିଲେ ବି ଭକ୍ତି ଆଉ ଭାବନାର ଏକ ଭିନ୍ନ ଆବେଗ ଭିତରେ ବାରି ହୋଇପଡ଼ନ୍ତି ମାଟିର ଝିଅ ଦ୍ରୌପଦୀ। ପାହାଡ଼ପୁରରୁ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରକୁ ଯାଇ ଦର୍ଶନ କରିଥିଲେ ସାଧାରଣ ଭକ୍ତିଟିଏ ଭଳି। ଠାକୁରଙ୍କ ଆଗରେ ଚକାମାଡ଼ି ବସିପଡ଼ିଲେ, ନିଜ ଭାବ ଜଣାଇଥିଲେ ଆଳତୀ କରି। ଏହାପରେ ବ୍ରାହ୍ମଣ ଭୋଜନର ବ୍ୟବସ୍ଥା ସହ ଦକ୍ଷିଣା ଦେଇଥିଲେ ରାଷ୍ଟ୍ରପତି। ୮ ଜଣ ବ୍ରାହ୍ମଣଙ୍କୁ ନିଜ ହାତରେ ଭୋଜନ ବାଢ଼ିବା ସହ ବସ୍ତ୍ର ବଣ୍ଟନ କରିଥିଲେ। 

ରାଇରଙ୍ଗପୁରରୁ ଆଜି ଶିମିଳିପାଳ ଯାଇଛନ୍ତି ରାଷ୍ଟ୍ରପତି। ସେଠାରେ ରାତ୍ରୀଯାପନ ପରେ କାଲି ଦିଲ୍ଲୀ ଫେରିଯିବେ। 



Visit President Droupadi Murmu
Advertisment
Related Articles
Advertisment