/odishatv-khabar/media/media_files/2026/02/03/president-droupadi-murmu-visits-odisha-2026-02-03-19-52-02.jpg)
ବିରଜା କ୍ଷେତ୍ରରେ ପିତୃ ପୁରୁଷଙ୍କୁ ପିଣ୍ଡଦାନ କଲେ ରାଷ୍ଟ୍ରପତି Photograph: (OTV)
ଓଡ଼ିଶାରେ ରାଷ୍ଟ୍ରପତି। ମଙ୍ଗଳବାର ଗସ୍ତର ଦ୍ୱିତୀୟ ଦିନରେ ମହାମହିମ ଯାଜପୁର ଯାଇ ବିରଜାଙ୍କ ଦର୍ଶନ ସହ ନାଭିଗୟାରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦେଇଛନ୍ତି। ପରେ ବାଲେଶ୍ବର ଫକୀର ମୋହନ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣପଦକ ଓ ବିଶିଷ୍ଟ ପ୍ରତିଭାଙ୍କୁ ଡକ୍ଟରେଟ୍ ଉପାଧି ବି ପ୍ରଦାନ କରିଛନ୍ତି। ସେଠୁ ଅପରାହ୍ନରେ ପୁରୀ ଆସି ଲୋକଭବନରେ ରାତ୍ରୀଯାପନ କରୁଛନ୍ତି। କାଲି ଦ୍ରୌପଦୀ ମୁର୍ମୁ ଶ୍ୱେତଗଙ୍ଗା ପୁଷ୍କରିଣୀରେ ପିଣ୍ଡଦାନ ସହ ଜଗନ୍ନାଥ ଦର୍ଶନ କରିବେ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ଯାଜପୁର ଗସ୍ତକୁ ନେଇ ବେଶ୍ ଚଳଚଞ୍ଚଳ ଥିଲା ଗଦା କ୍ଷେତ୍ର, ଝଲସୁଥିଲା ବିରଜା ମନ୍ଦିର। ବାୟୁସେନା ସ୍ୱତନ୍ତ୍ର ବିମାନରେ ସକାଳ ସାଢ଼େ ୯ଟା ବେଳେ ଅବତରଣ କରିଥିଲେ ମ୍ୟାଡମ ପ୍ରେସିଡେଣ୍ଟ। ସ୍ୱାଗତ କରିଥିଲେ ରାଜ୍ୟପାଳ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ତଥା ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକଙ୍କ ସହ ସ୍ଥାନୀୟ ଲୋକ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ।
ହେଲିପ୍ୟାଡରୁ ସୁରକ୍ଷା ବଳୟରେ ବିରଜା ମନ୍ଦିର ଯିବାବେଳେ ପ୍ରଥମ ନାଗରିକଙ୍କୁ ଅଭିବାଦନ ଜଣାଇଥିଲେ ଜନତା। ତେଣେ ବେଦ ପାଠରେ କଂପୁଥିଲା ବିରଜା ମନ୍ଦିର ପରିସର। ହସ୍ତ ପଦ ପ୍ରକ୍ଷାଳନ କରି ରାଷ୍ଟ୍ରପତି ସିଂହଦ୍ବାର ଦେଇ ସିଧା ପିଣ୍ଡ ମଣ୍ଡପକୁ ଯାଇଥିଲେ- ସେଠି ୪୦ ମିନିଟ୍ ଧରି ୪ ଜଣ ବ୍ରାହ୍ମଣଙ୍କ ଦ୍ବାରା ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡ ବାଢ଼ିଥିଲେ ଓ ଶ୍ରାଦ୍ଧ ସାରି ପିଣ୍ଡକୁ ନାଭିଗୟାରେ ସମର୍ପଣ କରିଥିଲେ।
ସେଠୁ ଫେରି ବିରଜା ଦର୍ଶନ ପରେ ମନ୍ଦିର ବେଢ଼ା ପରିସରରେ ଥିବା ଇଶାନେଶ୍ୱର ମହାଦେବ ଓ କାଳଭୈରବ ମନ୍ଦିରରେ ବି ପୂଜାର୍ଚ୍ଚନା କରି ବେଢ଼ା ପରିକ୍ରମା କରି ମୁକ୍ତିମଣ୍ଡପ ପଣ୍ଡିତଙ୍କ ଆଶିର୍ବାଦ ନେଇଥିଲେ। ମହାମହିମଙ୍କୁ ପ୍ରଶାସନ ପକ୍ଷରୁ ଏକ ବୁଦ୍ଧ ମୂର୍ତ୍ତି ସହ ଶାଢ଼ୀ ଉପହାର ଦିଆଯାଇ ବିରଜା ପ୍ରକଳ୍ପ ସମ୍ପର୍କରେ ବୁଝା ଯାଇଥିଲା। ଯାଜପୁର ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ବରୀୟ ବିଶ୍ବ ବିଦ୍ୟାଳୟର ଭାଇ-ଭଉଣୀମାନେ ବି ରାଷ୍ଟ୍ରପତିଙ୍କୁ ସାକ୍ଷାତର ସୁଯୋଗ ପାଇଥିଲେ।
ଯାଜପୁରରୁ ସିଧା ବାଲେଶ୍ୱର ଯାଇଥିଲେ ଦ୍ରୌପଦୀ ମୁର୍ମୁ। ସେଠି ଫକୀର ମୋହନ ବିଶ୍ବବିଦ୍ୟାଳୟର ଦ୍ବାଦଶ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ବାଲେଶ୍ବର ମାଟିର ବରପୁତ୍ରଙ୍କୁ ମନେ ପକାଇଥିଲେ ରାଷ୍ଟ୍ରପତି। ନିଜ ଭାଷଣ ଛଳରେ ବିଶ୍ବବିଜୟୀ ଭାରତୀୟ ଦୃଷ୍ଟିହୀନ କ୍ରିକେଟ୍ ଟିମ୍କୁ ପ୍ରଶଂସା କରିବା ସହ ମହିଳା ଖେଳାଳି ଅନୁରାଧା ବିଶ୍ବାଳଙ୍କ ସହ କିଛି ପ୍ରତିଭାଙ୍କୁ ଡକ୍ଟରେଟ୍ ଉପାଧି ବି ପ୍ରଦାନ କରିଥିଲେ। ଏହି ଅବସରରେ ୧୫ଜଣ ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣ ପଦକ ଦେଇଥିଲେ ପ୍ରଥମ ନାଗରିକ। ଉତ୍ସବରେ ରାଜ୍ୟପାଳ, ଉଚ୍ଚଶିକ୍ଷାମନ୍ତ୍ରୀ ଓ ୟୁନିଭରସିଟିରି କୁଳପତି ଉପସ୍ଥିତ ଥିଲେ।
ବାଲେଶ୍ୱରରୁ ପୁରୀ ଯାଇଛନ୍ତି ମ୍ୟାଡମ ପ୍ରେସିଡେଣ୍ଟ। ଆଜି ସେଠି ଲୋକଭବନରେ ରାତ୍ରୀଯାପନ ପରେ କାଲି ଶ୍ବେତଗଙ୍ଗାରେ ପିଣ୍ଡଦାନ ସହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ସେଥିପାଇଁ ବ୍ୟାପକ ଆୟୋଜନ ହୋଇଛି। ୪ ତାରିଖରେ ରାଇରଙ୍ଗପୁର ଗସ୍ତ କରି ରାଷ୍ଟ୍ରପତି ମହୁଲଡିହା ହଲିଡେ ହୋମର ଉଦଘାଟନ କରିବେ ଓ ୫ରେ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରରେ ଦର୍ଶନ କରି ଶିମିଳପାଳ ଯିବେ। ୭ ତାରିଖ ସକାଳେ ଫେରିଯିବେ ମହାମହିମ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)