/odishatv-khabar/media/post_attachments/uploadimage/library/16_9/16_9_0/vote-3_1626342186.jpg)
vote
ମାଲ୍କାନଗିରି(ଜିତେନ୍ଦ୍ର ବେଉରା): ଗଣତନ୍ତ୍ରର ଶକ୍ତି ଆଗରେ ହାର୍ ମାନିଲା ଲାଲ୍ବାହିନୀର ନାଲିଆଖି। ଏମିତି କହିବାର ଅର୍ଥ ହେଉଛି, ଲାଲ୍ଗଡ଼ରେ ମାଓବାଦୀଙ୍କ ଭୋଟ୍ ବର୍ଜନ ଧମକ ସତ୍ତ୍ୱେ ଶାନ୍ତିଶୃଙ୍ଖଳାର ସହ ମତଦାନ ଶେଷ ହୋଇଛି।
ଆଉ ଏହା ସମ୍ଭବ ହୋଇଛି ମାଲ୍କାନଗିରି ଜିଲ୍ଲାର ମୁଦୁଲିପଡ଼ାରେ ନିୟୋଜିତ ୩୬ ଜଣ କର୍ମଚାରୀଙ୍କ ସାହସିକତା ଯୋଗୁ। ଜୀବନ ପ୍ରତି ଭୟ ଥିଲେ ବି ପୋଲିଂ କାର୍ଯ୍ୟରେ ନିୟୋଜିତ ଏହି କର୍ମଚାରୀମାନେ ସେମାନଙ୍କ ଦାୟିତ୍ୱ ସଂପାଦନ କରିବାରେ ଆଦୌ ଅବହେଳା କରି ନାହାନ୍ତି।
ଶାନ୍ତିଶୃଙ୍ଖଳାର ସହ ମତଦାନ ସରିବା ପରେ ବି ସେମାନଙ୍କ ଚିନ୍ତା କମି ନଥିଲା। କାରଣ ଭୋଟ୍ ବାକ୍ସକୁ ଜିଲ୍ଲାପାଳଙ୍କ ଅଫିସ୍ରେ ସୁରକ୍ଷିତ ପହଞ୍ଚାଇବା ଥିଲା ସେମାନଙ୍କ ପାଇଁ ଆଉ ଏକ ବଡ଼ ଚ୍ୟାଲେଞ୍ଜ। ତେଣୁ ଉପସ୍ଥିତ ସୁରକ୍ଷାକର୍ମୀମାନେ ଏହାର ବିକଳ୍ପ ବାଟ ଖୋଜିଥିଲେ। ପାଦେ ପାଦେ ଲାଣ୍ଡ୍ମାଇନର ଭୟ ଥିବାରୁ ସେମାନେ ଚାଲି ଚାଲି ଫେରିବା ଲାଗି ନିଷ୍ପତ୍ତି ନେଇଥିଲେ। ଫଳରେ ରାତିରେ ଭୋଟିଂ ମେସିନ୍ ଧରି କର୍ମଚାରୀମାନେ ୧୫ କିଲୋମିଟର ବାଟ ଚାଲି ଚାଲି ଆସି ଜିଲ୍ଲାପାଳଙ୍କ ଅଫିସ୍ରେ ପହଞ୍ଚିଥିଲେ। ତେବେ ଏହି ୧୫ କିଲୋମିଟର ଚାଲିକି ଆସିବା ସେମାନଙ୍କ ପାଇଁ ଏତେ ସହଜ ନଥିଲା। କାରଣ ଏହି ରାସ୍ତାରେ ପଡ଼ୁଥିଲା ଜଙ୍ଗଲ ଓ ପାହାଡ଼। ବାଟରେ ବର୍ଷା ବି ହୋଇଥିଲା। ତେଣୁ ଓଦା ହୋଇ ସେମାନଙ୍କୁ ଆସିବାକୁ ପଡ଼ିଥିଲା। ଶୋଷ ଲାଗିବାରୁ ବାଟରେ ନାଳ ପାଣି ବି ପିଇଥିଲେ ବୋଲି ଜଣେ କର୍ମଚାରୀ କହିଛନ୍ତି। ତେବେ ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହେବାର ସୁଯୋଗ ମିଳିଥିବାରୁ ସେମାନେ ସମସ୍ତେ ବେଶ୍ ଖୁସି ଅଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)