/odishatv-khabar/media/post_attachments/uploadimage/library/16_9/16_9_0/sealed_1623410595.jpg)
sealed
ଭୁବନେଶ୍ୱର: ବାହାରେ ବନ୍ଦ, ହେଲେ ଭିତରେ ଖୋଲା । କରୋନା ଯୋଗୁ ଦୋକାନ ବଜାର ବନ୍ଦ ରଖିବାକୁ କୁହାଯାଇଥିବା ବେଳେ କିଛି ଅମାନିଆ ବ୍ୟବସାୟୀ ନିୟମକୁ ବେଖାତିର କରି ଲୁଚାଛପାରେ ଦୋକାନ ଖୋଲୁଛନ୍ତି । ଏଭଳି ଏକ ଦୋକାନ ଉପରେ ଆଜି ଚଢ଼ାଉ କରିଛି ପୋଲିସ ।
ପୋଲିସ କମିଶନର କଡ଼ ଚେତାବନୀ ଦେଇଥିବା ବେଳେ ସଟର ପକାଇ ଭିତରେ ବିକ୍ରି ହେଉଥିଲା କପଡ଼ା । ଆଉ ସଟର ବନ୍ଦ କରି ଭିତରେ କପଡ଼ା ବିକିବା ବ୍ୟବସାୟୀଙ୍କୁ ମହଙ୍ଗା ପଡ଼ିଲା । ଭୁବନେଶ୍ୱର ଝାରପଡ଼ା ଅଞ୍ଚଳରେ ଏଭଳି ଘଟଣା ସାମ୍ନାକୁ ଆସିଛି । ଏକ ଲୁଗା ଦୋକାନରେ ସଟର ପକାଇ ଚାଲିଥିଲା ବେପାର । ସଟର ଭିତରେ ବି ଥିଲା ଗ୍ରାହକଙ୍କ ଭିଡ଼ । ଖବରପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ସଦଳବଳେ ପୋଲିସର ଏକ ସ୍ପେସାଲ ସ୍କ୍ୱାଡ୍ ଦୋକାନ ଉପରେ ଚଢ଼ାଉ କରିଥିଲା । ଗ୍ରାହକଙ୍କୁ ତାଗିଦ୍ କରି ଛାଡ଼ିବା ପରେ ଦୋକାନ ଘରକୁ ସିଲ୍ ପୋଲିସ କରିଛି ।
ସୂଚନାଯୋଗ୍ୟ ରଜ ଅବସରରେ ପୋଲିସ୍ ଏବେ ଟ୍ୱିନ ସିଟିରେ ସ୍ପେଶାଲ ଡ୍ରାଇଭ ଆରମ୍ଭ କରିଛି । ରଜ ପୂର୍ବରୁ କମିଶନରେଟ ପୋଲିସର ଏହି ସ୍ପେଶାଲ ଡ୍ରାଇଭ ଆରମ୍ଭ ହୋଇସାରିଛି । କଟକ, ଭୁବନେଶ୍ୱରର ବିଭିନ୍ନ ବଜାରରେ କଡ଼ାକଡ଼ି ଯାଞ୍ଚ ଆରମ୍ଭ ହୋଇଛି । ବିଶେଷ ଭାବେ ବଜାରରେ ଯେପରି ଭିଡ଼ ଜମିବନି, ସେ ଉପରେ ଅଧିକ ନଜର ରଖାଯାଇଛି । ନିୟମ ଖିଲାପ ଯେପରି ହେବ ନାହିଁ ସେ ଉପରେ ଧ୍ୟାନ ରଖାଯାଇଛି । କୌଣସି ଦୋକାନୀ ଲୁଚାଛପାରେ ଦୋକାନ ଖୋଲିବାକୁ ବାରଣ କରାଯାଇଛି । ଯଦି, ନିୟମ ଖିଲାପ କଲେ ତେବେ ଦୋକାନ ସିଲ୍ ସହ ଗିରଫଦାରୀ ବି ହୋଇପାରେ ବୋଲି ଗୁରୁବାର ଚେତାଇଥିଲେ ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।
ଆଜି କଟକର ବିଭିନ୍ନ ଛକରେ ଯାଞ୍ଚ ବ୍ୟବସ୍ଥାର ତଦାରଖ କରିଛନ୍ତି ନିଜେ କଟକ ଡିସିପି । ସେହିପରି ଲୋକଙ୍କୁ ବି ନିୟମ ପାଳନ କରିବାକୁ କୁହାଯାଇଛି । ରାଜ୍ୟର ବିଭିନ୍ନ ଅଞ୍ଚଳରେ ବି ଯାଞ୍ଚକୁ ଆହୁରି କଡ଼ାକଡ଼ି କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)