/odishatv-khabar/media/post_attachments/uploadimage/library/16_9/16_9_0/Chora-polic_1625454126.jpg)
Chora-polic
କେନ୍ଦ୍ରାପଡ଼ା: ମଝି ନଈରେ ପୋଲିସ-ଅଭିଯୁକ୍ତ ଛକାପଞ୍ଝା । ଏକ ମନ୍ଦିରରୁ ମୂର୍ତ୍ତି ଚୋରି ମାମଲାରେ ଅଭିଯୁକ୍ତକୁ ଧରିବାକୁ ଯାଇ ନାକେଦମ୍ ପୋଲିସ୍ । ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ।
ନଈ ଭତରେ ପୋଲିସ-ଅଭିଯୁକ୍ତ ମଧ୍ୟରେ ଚାଲିଥିଲା ପହଁରା ପ୍ରତିଯୋଗିତା ! ପାଣି ଭିତରେ ପୋଲିସ୍ ଓ ପବ୍ଲିକ୍ ସହ ଲୁଚକାଳି ଖେଳୁଥିଲା ଅଭିଯୁକ୍ତ । ଗୋଟିଏ ସ୍ଥାନରେ ବୁଡ଼ିଛି ଅନ୍ୟ ସ୍ଥାନରେ ବାହାରୁଛି । ଆଉ ସେପଟେ ନଈ କୂଳରେ ଚିତ୍କାର କରୁଛନ୍ତି ଲୋକେ । ନଈ ଭିତରେ ଚାଲିଛି ଛକାପଞ୍ଝା । କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅନ୍ତର୍ଗତ ବ୍ରାହ୍ମଣୀ ନଈରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।
ତେବ ପୁରା ଘଟଣାଟି ହେଲା, ପାଣି ଭିତରେ ବାରମ୍ବାର ଡୁବ୍କି ମାରି ପୋଲିସ୍କୁ ଚକ୍ମା ଦେଉଥିବା ଏ ଅଭିଯୁକ୍ତର ନାଁ ପ୍ରଫୁଲ୍ଲ ମଳିକ । ବୟସ ୫୭ । ଗତ ୨ ତାରିଖରେ ସ୍ଥାନୀୟ ଦାଣ୍ଡି ସାହିର ଏକ ରାମ ମନ୍ଦିରରୁ ରାମ, ଲକ୍ଷ୍ମଣ ଓ ସୀତାଙ୍କ ମୂର୍ତ୍ତୀ ଚୋରି ହୋଇଥିଲା । ଏହି ମାମଲାରେ ପ୍ରଫୁଲ୍ଲ ଉପରେ ସନ୍ଦେହ କରି ସ୍ଥାନୀୟ ପୋଲିସ୍ ଗତକାଲି ତାକୁ ଧରିବାକୁ ଯିବା ବେଳେ ସେ ଭରା ନଈକୁ ଡେଇଁ ଖସି ପଳାଇବାକୁ ଉଦ୍ୟମ କରିଥିଲା । ଆଉ ତାପରେ ନଈ ଭିତରେ ଚାଲିଛି ପୋଲିସ ସହ ପହଁରା ପ୍ରତିଯୋଗୀତା ।
ସ୍ଥାନୀୟ ଲୋକେ ଓ ପୋଲିସ ପ୍ରଥମେ ଦୁଇଟି ଭୁଟୁଭୁଟି ଡଙ୍ଗାରେ ତାକୁ ପାଣି ଭିତରେ ଗୋଡ଼ାଇଲେ, ହେଲେ ପାରିଲେନି । ଶେଷରେ ଅଗ୍ନିଶମ ବାହିନୀର ସହାୟତା ନିଆଗଲା । ଆଉ ଦୁଇ ଘଣ୍ଟାର ଏ ଚୋର ପୋଲିସ୍ ଖେଳ ପରେ ଶେଷରେ ଧରାପଡ଼ିଲା ଅଭିଯୁକ୍ତ । ହେଲେ ପାଣିରୁ ବାହାରିବା ପରେ ଅଭିଯୁକ୍ତ କିନ୍ତୁ ଚୋରି ଘଟଣାକୁ ସଫସଫା ମନା କରିବା ସହ, ପାଣି ଭିତରେ ଯାହା ହେଉଥିଲା ତାହା ନିଜ ଲୋକଙ୍କ ସହ ତାମୋସା ଥିଲା ବୋଲି କହିଥିଲା ।
ଏପଟେ ଏହି ଘଟଣାରେ ଅଭିଯୁକ୍ତ ପ୍ରଫୁଲ୍ଲ ପାଖରୁ ଚୋରି ହୋଇଥିବା ମୂର୍ତ୍ତି ସହ ଅନ୍ୟ ସାମଗ୍ରୀ ଉଦ୍ଧାର କରାଯାଇଥିବା ନେଇ ଆଜି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ପଟ୍ଟାମୁଣ୍ଡାଇ ଏସ୍ଡିପିଓ ।
ଅଭିଯୁକ୍ତ ପ୍ରଫୁଲ୍ଲକୁ ଗିରଫ କରିବା ପରେ ପୋଲିସ୍ ଏହି ମାମାଲରେ ଅଧିକ ଖୋଳତାଡ଼ ଜାରି ରଖିଥିଲା ବେଳେ ପାଣି ଭିତରେ ପ୍ରାୟ ଦୁଇ ଘଣ୍ଟା ଧରି ଚୋର-ପୋଲିସ୍ର ଏ ଖେଳକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)