/odishatv-khabar/media/media_files/2026/01/23/odisha-consumers-complain-of-unfair-billing-2026-01-23-19-58-43.jpg)
ସୋଲାର ପ୍ଲାଣ୍ଟ ବସାଇ ଉପଭୋକ୍ତା ଶୋଷଣର ଶିକାର Photograph: (OTV)
ଅଧିକ ବିଜୁଳି ଖର୍ଚ୍ଚ କଲେ ମୋଟା ଅଙ୍କର ଶୁଳ୍କ ନେବ ଟାଟା ପାୱାର, ହେଲେ ବଳକା ବିଜୁଳି ବିକିଲେ ଟଙ୍କା ନଫେରାଇବାକୁ କରିଛି ଫନ୍ଦି। ଆମେ କହୁଛୁ ପିଏମ୍ ସୂର୍ଯ୍ୟ ଘର ଯୋଜନାରେ ଘର ଛାତରେ ସୋଲାର ପ୍ଲାଣ୍ଟ ବସାଇ ଶୋଷଣର ଶିକାର ହେଉଥିବା ଉପଭୋକ୍ତାଙ୍କ କଥା। କେମିତି ଟାଟା ପାୱାର ଏ ଫନ୍ଦିରେ ଛନ୍ଦି ହୋଇ କ୍ଷୁବ୍ଧ ହେଲେଣି ଗ୍ରାହକ, ଆସନ୍ତୁ ଜାଣିବା।
ଓଡ଼ିଶାରେ ଦିଶାହୀନ କି PM ସୂର୍ଯ୍ୟ ଘର ଯୋଜନା ? ବଳକା ବିଜୁଳି କିଣିବା ନାଁରେ ଭୂଆଁ ବୁଲାଉଛି କି ଟାଟା ପାୱାର ? ରାଜ୍ୟର ବିଭିନ୍ନ ସ୍ଥାନରୁ ସଂପୃକ୍ତ ବିଦ୍ୟୁତ୍ ବିତରଣ କଂପାନୀ ବିରୋଧରେ ମାଳ ମାଳ ଅଭିଯୋଗ ଆସୁଥିବାବେଳେ ସୋଲାର ପ୍ଲାଣ୍ଟ ବସାଇଥିବା ହିତାଧିକାରୀ ହେଲେଣି ଖପ୍ପା।
୨୦୨୪ ଫେବ୍ରୁଆରୀରେ ନିଜେ ପ୍ରଧାନମନ୍ତ୍ରୀ ମୋଦି `ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା’ର ଶୁଭାରମ୍ଭ କରିଥିଲେ। ଲକ୍ଷ୍ୟ ଥିଲା ସବସିଡିରେ ୩ କିଲୋଓ୍ବାଟ୍ ପର୍ଯ୍ୟନ୍ତ Rooftop Solar Plant ବସାଇବାକୁ ହିତାଧିକାରୀଙ୍କୁ ପ୍ରୋତ୍ସାହିତ କରିବା। ଗ୍ରାହକଙ୍କୁ ଏଥିପାଇଁ ଅଳ୍ପ ସୁଧ ହାରରେ ଇଏମଆଇରେ ବ୍ୟାଙ୍କ୍ ଋଣ ବି ଯୋଗାଇବାର ନିୟମ ରହିଛି। ଘରର ବିଦ୍ୟୁତ୍ ଆବଶ୍ୟକତା ତୁଲାଇବା ପରେ ଯଦି ବିଜୁଳି ବଳେ ତାକୁ ଓଡ଼ିଶାରେ ଟାଟା ପାଓ୍ବାର ଭଳି ବିତରଣ କମ୍ପାନୀକୁ ବିକି ରାଜସ୍ବ ପାଇବେ। ହେଲେ ଏ ବ୍ୟବସ୍ଥା ଯେମିତି ରାଜ୍ୟରେ ବାଟବଣା।
ବିଲ୍ ଆସୁଛି ଆଉ ଲେଖାଯାଇଛି ସୋଲାର ପ୍ଳାଣ୍ଟରୁ ଅଧିକ ବିଦ୍ୟୁତ୍ ଅମଳ କଲେ ତାହା ପର ମାସରେ ଆଡଜଷ୍ଟ କରି ଦିଆଯିବ। ଆଉ ଆର୍ଥିକ ବର୍ଷ ଅର୍ଥାତ୍ ମାର୍ଚ୍ଚ ଶେଷ ବେଳକୁ ଯଦି କିଛି ୟୁନିଟ୍ ବିଜୁଳି ବଳି ପଡ଼େ ତାହାଲେ ତାହା ଲାପ୍ସ ହୋଇଯିବ। ଯାହାକି ହିତାଧିକାରୀଙ୍କ ସହ ଧୋକ୍କା ବୋଲି ପ୍ଲାଣ୍ଟ ଭେଣ୍ଡର କହିଛନ୍ତି।
ବିଧାନସଭାରେ ଶକ୍ତି ବିଭାଗ ଦାୟିତ୍ୱରେ ଥିବା ଖୋଦ୍ ଉପମୁଖ୍ୟମନ୍ତ୍ରୀ କେ. ଭି.ସିଂଦେଓ ଉତ୍ତର ଦେଇ ଦର୍ଶାଇଛନ୍ତି- `ପିଏମ୍ ସୂର୍ଯ୍ୟ ଘର ଯୋଜନା’ରେ ୩ କିଲୋଓ୍ବାଟ୍ ପର୍ଯ୍ୟନ୍ତ ଘର ଛାତ ଉପରେ ପ୍ରକଳ୍ପ ବସାଇଲେ କେନ୍ଦ୍ର ୭୮ ହଜାର ଓ ରାଜ୍ୟ ସରକାର ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପ୍ରକଳ୍ପ ପାଇଁ ବାକି ୭୫ ହଜାର ଟଙ୍କାର ଖର୍ଚ୍ଚ ଗ୍ରାହକ ଏକାବେଳେ ନଦେଇ ପାରିଲେ, ୭ ପ୍ରତିଶତ ସୁଧରେ ବ୍ୟାଙ୍କ ଋଣ ବି ମିଳୁଛି। ବଳକା ବିଦ୍ୟୁତକୁ ପର ମାସ ବିଲ୍ ରେ ଆଡଜଷ୍ଟ କରାଯାଉଛି।
ହେଲେ ବିଲ୍ ରେ ଦର୍ଶାଯାଉଛି, ମାର୍ଚ୍ଚ ଶେଷ ସୁଦ୍ଧା ସଂପୃକ୍ତ ଗ୍ରାହକ ସୌର ଶକ୍ତିରୁ ଉତ୍ପାଦିତ ବିଦ୍ୟୁତ୍ ୟୁନିଟ୍ ଖର୍ଚ୍ଚ କରିନପାରିଲେ ତାହା ଲାପ୍ସ ହୋଇଯିବ। ଯାହାକୁ ନେଇ ଅସନ୍ତୋଷ ବଢୁଥିବାବେଳେ ଏ ନେଇ ଆରଟିଆଇରେ ତଥ୍ୟ ମାଗିଲେଲେ, ଟାଟା ପାଓ୍ବାର ଦର୍ଶାଉଛି-2016 ରେ OERCର ନିୟମାବଳୀ ଅନୁଯାୟୀ ଏଭଳି ହେଉଛି। ଗୋଟିଏ ପଟେ ତାମିଲନାଡୁ, ମହାରାଷ୍ଟ୍ର, ଗୁଜରାଟ ଆଦି ରାଜ୍ୟରେ ସୋଲାର ପ୍ଲାଣ୍ଟରୁ ବିଦ୍ୟୁତ୍ ବିକ୍ରି କରି ଲୋକ ଭଲ ଦୁଇ ପଇସା ପାଉଥିବାବେଳେ ଓଡ଼ିଶାରେ ଟାଟା ପାୱ୍ୱାର ଫନ୍ଦି କରି ଗ୍ରାହକଙ୍କୁ ଟଙ୍କା ଫେରାଉନାହିଁ।
ତେଣୁ ଏ ଫନ୍ଦି ପାଇଁ ଦାୟୀ କିଏ ? ଏ ନେଇ OERCର ପ୍ରତିକ୍ରିୟା ଜାଣିବାକୁ ଯୋଗାଯୋଗ କରି ବିଫଳ ହୋଇଥିବାବେଳେ ଟାଟା ପାଓ୍ବାର ବି ଚୁପ୍। ତେଣେ ବିଦ୍ୟୁତ୍ ଉପଭୋକ୍ତା ସଂଘ ଚେତାବନୀ ଦେଲାଣି ଏଭଳି ଶୋଷଣ ବନ୍ଦ ନହେଲେ ଆନ୍ଦୋଳନକୁ ଓହ୍ଲାଇବୁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)