/odishatv-khabar/media/post_attachments/uploadimage/library/16_9/16_9_0/pipili-5_1626253853.jpg)
pipili
- ପିପିଲି ଫାଇଟ୍ ପାଇଁ ସରିଲା ନୋମିନେସନ୍
- ଦଳ ବଳ ଧରି ନାମାଙ୍କନ ଭରିଲେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ
- ବିଜେପି ଜାରି କଲା ୩୦ ଜଣିଆ ଷ୍ଟାର ପ୍ରଚାରକ ଲିଷ୍ଟ
- ପିପିଲିରେ ଉପ-ନିର୍ବାଚନ ପାଇଁ ସମରସଜ୍ଜା
ପୁରୀ: ପିପିଲି ଉପନିର୍ବାଚନ ପାଇଁ ସରିଲା ନୋମିନେସନ୍। ଶେଷ ଦିନରେ ନେତା ଓ ସମର୍ଥକଙ୍କ ଗହଣରେ ଯାଇ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଓ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜ ନାମାଙ୍କନ ଦାଖଲ କରିଛନ୍ତି। ପୂର୍ବରୁ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ନୋମିନେସନ କରିଥିଲେ। ଯୋଦ୍ଧାଙ୍କ ନାମାଙ୍କନ ଦାଖଲ ସହ ପିପିଲିରେ ଲଢେଇ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ବିଜେପି ଆଜି ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଥିବାବେଳେ ବିଜେଡି ଛାମୁଆ ସଂଗଠନର ନେତାଙ୍କୁ ଧରି ଗଡ଼ ଜଗିବା ଆରମ୍ଭ କରିଛି। କଂଗ୍ରେସ ବି କ୍ଷେତ୍ର ପ୍ରସ୍ତୁତିରେ ଲାଗି ପଡିଲାଣି।
ପିପିଲିରେ ଆହୁରି ତେଜିଲା ଉପ-ନିର୍ବାଚନ ତାତି। ନାମାଙ୍କନ ଦାଖଲର ଶେଷ ଦିନରେ ଆଜି ଶକ୍ତି ପ୍ରଦର୍ଶନ କରିଛନ୍ତି ବିଜେଡି ଓ କଂଗ୍ରେସ। ପିପିଲି ବିଜେଡି ପାର୍ଟି ଅଫିସରୁ ସମର୍ଥକଙ୍କ ଗହଣରେ ରାଲିରେ ବାହାରି ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କ ପାଖରେ ମନୋନୟନପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ। ନାମାଙ୍କନା ଦାଖଲ ବେଳେ ସାଙ୍ଗରେ ଥିଲେ ଦଳର ବହୁ କର୍ମୀ, ତୁଙ୍ଗନେତା, ମନ୍ତ୍ରୀ, ଓ ପରିବାର ସଦସ୍ୟ। ଆଉ ରୁଦ୍ର କହିଛନ୍ତି ପିପିଲି ବାସୀଙ୍କ ଆଶୀର୍ବାଦରେ ସେ ନିଶ୍ଚେ ବିଜୟୀ ହେବେ। ସେହିପରି କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜ ମଧ୍ୟ ଦଳବଳ ଧରି ଶୋଭାଯାତ୍ରାରେ ଯାଇ ନାମାଙ୍କନ ଦାଖଲ କରିଛନ୍ତି। ତାଙ୍କ ସହ ରାଲିରେ ସାମିଲ ହୋଇଥିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ଦଳର ବହୁ ବରିଷ୍ଠ ନେତା ଓ କର୍ମୀ।
ଅଜିତ୍ କହିଛନ୍ତି ପିପିଲିରେ ଅର୍ଥବଳ କି ବାହୁବଳ କାମ ଦେବନି। ସେହିପରି ସିପିଆଇ ଏମ୍ଏଲ୍ ପ୍ରାର୍ଥୀ ଭାବେ ଅଶୋକ ପ୍ରଧାନ ଓ ଅଖିଳ ଭାରତ ହିନ୍ଦୁ ମହାସଭା ପକ୍ଷରୁ ଜୟପ୍ରକାଶ ସେଠୀ ମଧ୍ୟ ନାମାଙ୍କନ ଭରିଛନ୍ତି। ତେବେ ପୂର୍ବରୁ ନାମାଙ୍କନ ଭରି ସାରିଥିବା ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ କହିଛନ୍ତି-୨୦୧୯ ନିର୍ବାଚନ ଭଳି ଏଥର ବି ଦ୍ୱିମୁଖୀ ଲଢ଼େଇ ହେବ। ୩୫ବର୍ଷ ଧରି କୁଶାସନରେ ଅତିଷ୍ଠ ଡେଲାଙ୍ଗ-ପିପିଲିବାସୀ ପରିବର୍ତ୍ତନ ଚାହଁନ୍ତି।
ସେପଟେ ପିପିଲି ବିଜୟ ପାଇଁ ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସରେ ଆରମ୍ଭ ହେଲାଣି ସମରସଜ୍ଜା। ପିପିଲିରେ ପ୍ରଚାର ପାଇଁ ବିଜେପି ଘୋଷଣା କରିଛି ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା। ଯେଉଁଥିରେ ରାଜ୍ୟ ସଭାପତି ସଭାପତି ସମୀର ମହାନ୍ତିଙ୍କ ସହ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ସହପ୍ରଭାରୀ ବିଜୟପାଲ ସିଂ ତୋମାର, ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ବସନ୍ତ ପଣ୍ଡା, ସୁରେଶ ପୂଜାରୀ ଓ ବରିଷ୍ଠ ନେତା ପୃଥୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ନାଁ ରହିଛି।
ସେପଟେ ବିଜେଡି ମଧ୍ୟ ପିପିଲି ନିର୍ବାଚନମଣ୍ଡଳୀର ୪୬ଟି ପଞ୍ଚାୟତକୁ ଭାଗ ଭାଗ କରି ଜଣେ ଲେଖାଏଁ ବିଧାୟକଙ୍କୁ ଟିମ୍ ଲିଡର ଦାୟିତ୍ୱ ଦେଇଛି। ସେମାନଙ୍କୁ ସହଯୋଗ କରିବାକୁ ଜଣେ ଲେଖାଏଁ ଷ୍ଟେଟ୍ ଅଫିସ୍ ବିୟରରଙ୍କ ସହ ଅନ୍ୟ ଛାମୁଆ ସଂଗଠନ ବିଜୁ ଯୁବ ଜନତା, ଛାତ୍ର ଜନତା ଓ ମହିଳା ଜନତା ଦଳ ସଦସ୍ୟଙ୍କୁ ବି ରଖାଯାଇଛି। କଂଗ୍ରେସ ବି ଗ୍ରାଉଣ୍ଡ ଲେବଲ୍ ଓ୍ୱାର୍କ ପାଇଁ ସଜବାଜ ଆରମ୍ଭ କରିଛି। ପିପିଲିରେ ଏପ୍ରିଲ୍ ୧୭ରେ ଭୋଟ୍ ଗ୍ରହଣ ହୋଇ, ମେ ୨ରେ ଫଳାଫଳ ପ୍ରକାଶ ପାଇବ। ଆଜି ନାମାଙ୍କନ ସରିଥିବାରୁ ଆଗକୁ ଜମିବ ପ୍ରଚାର ବୋଲି ଚର୍ଚ୍ଚା ଚାଲିଛି।
#ପିପିଲିରେ_ଲୋକେ_କାହାକୁ_ଭୋଟ୍_ଦେବେ?
ଏଠି ଲୋକେ କଣ ଦେଖି ନେତା ଚୟନ କରିବେ? ଏଠି ଅର୍ଥବଳ ଓ ବାହୁବଳ ଜିତିବ ନା ଗଣତନ୍ତ୍ର ଜିତିବ? #Pipili#Odisha#ByElection#otvpic.twitter.com/zHKWoxz49l— ଓଟିଭି (@otvkhabar) March 30, 2021
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)