/odishatv-khabar/media/post_attachments/uploadimage/library/16_9/16_9_0/0059-poster-chiri-phopadidebu_1624363147.jpg)
Poster Chira
ବ୍ରହ୍ମପୁର: ସୋମବାର ଭଳି ମଙ୍ଗଳବାର ମଧ୍ୟ ଟିକା କେନ୍ଦ୍ରରେ ଫଟୋ ବିବାଦ । ବ୍ରହ୍ମପୁର ଗିରିରୋଡ୍ ଉଚ୍ଚ ବାଳିକା ବିଦ୍ୟାଳୟ କେନ୍ଦ୍ରରେ ଫଟୋ ଲାଗିବାକୁ ନେଇ ଉତ୍ତେଜନା ଦେଖାଦେଇଛି । ବିଜେପି କର୍ମୀମାନେ ଟିକା କେନ୍ଦ୍ରରେ ଲାଗିଥିବା ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ଚିରି ପ୍ରତିବାଦ କରିଛନ୍ତି । କାହିଁକି ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ଲାଗିନାହିଁ ବୋଲି ବିଜେପି କର୍ମୀ ପ୍ରଶ୍ନ କରିଛନ୍ତି ।
ଏହାସହ ବିଜେପି କର୍ମୀମାନେ ପ୍ରତିବାଦ କରି ହୋ-ହଲ୍ଲା କରିଛନ୍ତି । ଟିକା କେନ୍ଦ୍ରରେ ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ସହ ବିଜେପି କର୍ମୀଙ୍କ ଯୁକ୍ତିତର୍କ ହୋଇଛି । ଅନ୍ୟପଟେ ଟିକାକରଣକୁ ନେଇ ରାଜନୀତି କରିବା ଅନୁଚିତ ବୋଲି କହିଛନ୍ତି ଗଂଜାମ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ।
ଢେଙ୍କାନାଳରେ ମଧ୍ୟ ବିଭିନ୍ନ ଟିକାକରଣ କେନ୍ଦ୍ରରେ ବିଜେପି କର୍ମୀମାନେ ପ୍ରତିବାଦ କରିବା ସହ ପୋଷ୍ଟର ଚିରିଛନ୍ତି । ସହରର ସମସ୍ତ ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବ୍ୟାନର ଲଗାଯାଇଛି । ହେଲେ କେନ୍ଦ୍ର ସରକାର ମାଗଣାରେ ଟିକା ଦେଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଫଟୋ କାହିଁକି ଲାଗିବ ନାହିଁ ବୋଲି ବିଜେପି କର୍ମୀ ପ୍ରଶ୍ନ କରିଛନ୍ତି । ଏ ନେଇ ପୂର୍ବତନ ବିଧାୟକ କୃଷ୍ଣ ପାତ୍ରଙ୍କ ନେତୃତ୍ୱରେ ବିଜେପିର ଏକ ଟିମ୍ ଯାଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇଛନ୍ତି ।
ସେହିଭଳି ସୋମବାର ମଧ୍ୟ କରୋନା ଟିକାକରଣ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ବାଦ୍ ଦେଇ କେବଳ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବାରୁ ବିଭିନ୍ନ ସ୍ଥାନରେ ବିଜେପି ପ୍ରତିବାଦ କରିଥିଲା । ବାଲେଶ୍ୱର, ଜୟପୁର ଓ ରାୟଗଡ଼ାରେ ବିଜେପି ନେତା ଓ କର୍ମୀମାନେ ପ୍ରତିବାଦ କରିଥିଲେ ।
ବାଲେଶ୍ୱର ଗାନ୍ଧି ସ୍ମୃତି ଭବନ ଟିକାକରଣ କେନ୍ଦ୍ରରେ କେବଳ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲାଗିଥିବାରୁ ବିଜେପି କର୍ମୀ ଏହାର ପ୍ରତିବାଦ କରିଥିଲେ । ଏଥିସହ ଉଦ୍ଘାଟନ ପୂର୍ବରୁ ବିଜେପି କର୍ମୀ ରିିିବନ୍ ଛିଣ୍ଡାଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ଲଗାଇଥିଲେ । ସେହିପରି କୋରାପୁଟ ଜିଲ୍ଲା ଜୟପୁରରେ ମଧ୍ୟ ଟିକାକରଣ କେନ୍ଦ୍ରରେ ଉତ୍ତେଜନା ପ୍ରକାଶ ପାଇଥିଲା । ଟିକାକରଣ ନେଇ ରାଜ୍ୟ ସରକାର ମାଇଲେଜ୍ ନେଉଥିବା ଅଭିଯୋଗ ଆଣି ସିଡିଏମଓଙ୍କୁ ଘେରାଉ କରିଥିଲେ ବିଜେପି କର୍ମୀ ।
ରାୟଗଡ଼ାରେ ମଧ୍ୟ ସମାନ ଘଟଣା ସାମ୍ନାକୁ ଆସିଥିଲା । ରାୟଗଡ଼ା ଜିଲ୍ଲା ୟୁଜିଏମ୍ଆଇଟିରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନଥିବାରୁ ବିଜେପି କର୍ମୀ ପ୍ରତିବାଦ କରିଥିଲେ । ଟିକାକରଣ ଅଭିଯାନରେ କେନ୍ଦ୍ର ସରକାର କରୋନା ଟିକା ମାଗଣାରେ ଦେଉଥିବା ବେଳେ କେବଳ ମୁଖ୍ୟମନ୍ତ୍ରୀଙ୍କ ଫଟୋ କାହିଁକି ରହିବ ବୋଲି ବିଜେପି ପ୍ରଶ୍ନ କରିଥିଲା । ସେହିପରି ଅନୁଗୁଳରେ ମଧ୍ୟ ସମାନ ଘଟଣା ଘଟିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)