/odishatv-khabar/media/post_attachments/uploadimage/library/16_9/16_9_0/Petrol_1625239860.jpg)
Petrol
ଭୁବନେଶ୍ୱର: ମାଲକାନଗିରି କଥା ଶୁଣି ଯାହା ଶଙ୍କା ଥିଲା, ସେୟା ହେଲା । ଭୁବନେଶ୍ୱର-କଟକରେ ବି ଶହେ ଟପିଗଲା ପେଟ୍ରୋଲ୍ । ମହଙ୍ଗା ମାଡ଼ରେ ଜନତା ଆକ୍ତାମାକ୍ତା ହେଉଥିବା ବେଳେ କ୍ରମାଗତ ତୈଳ ଦର ବୃଦ୍ଧି ସିଧା ସେମାନଙ୍କ ପକେଟ୍କୁ ମାଡ଼ କରିଛି । ଅନେକ ସ୍ଥାନରେ ଲୋକେ ଖୁଲମଖୁଲା ଅସନ୍ତୋଷ ପ୍ରକାଶ କଲେଣି ।
ରାଜଧାନୀ ଭୁବନେଶ୍ୱରରେ ଶହେ ଟଙ୍କା ଟପିଗଲା ପେଟ୍ରୋଲ । ତାଳ ଦେଇ କଟକ, ସମ୍ବଲପୁର, ରାଉରକେଲା ଓ ବ୍ରହ୍ମପୁରରେ ବି ଶହେ ପାର୍ ଦର । ଏଣେ ଗାଡ଼ିରେ ତେଲ ପକାଇଲା ବେଳକୁ ଗ୍ରାହକଙ୍କ କାନମୁଣ୍ଡା ଝାଇଁ ଝାଇଁ । ସରକାରଙ୍କ ଉପରେ ରୋଷ ବି କିଛି କମ୍ ନୁହେଁ । ସେମାନଙ୍କ ଅଭିଯୋଗ ଏମିତି ତ ଲକଡାଉନ୍-ସଟଡାଉନ୍ ଯନ୍ତ୍ରଣା । ସାଙ୍ଗକୁ ମହଙ୍ଗା ମାଡ଼ରେ ଜନତା ଦେଢ଼ ବର୍ଷ ହେଲା ଜୁଝୁଛନ୍ତି । ଆଉ ସେତେବେଳେ ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ ହୋଇଛି ସେଞ୍ଚୁରୀ ପାର୍ ପେଟ୍ରୋଲ୍ ।
ଆଜି ବିଭିନ୍ନ ଆଡ଼ୁ ସଂଗୃହୀତ ତଥ୍ୟ ଅନୁସାରେ ଭୁବନେଶ୍ୱରରେ ପେଟ୍ରୋଲ୍ ୧୦୦ ଟଙ୍କା ୦୧ ପଇସା ଛୁଇଁଥିବା ବେଳେ କଟକରେ ୧୦୦ ଟଙ୍କା ୨୭, ସମ୍ବଲପୁରରେ ୧୦୦ଟଙ୍କା ୫୧ ଓ ବ୍ରହ୍ମପୁରରେ ୧୦୦ଟଙ୍କା ୨୯ ପଇସାରେ ପହଞ୍ଚିଛି । ରାଜଧାନୀରେ ୧୦୧ଟଙ୍କା ପାର୍ ପେଟ୍ରୋଲ ଲିଟରର ମୂଳଦର ୪୦ଟଙ୍କା ୪୧ ପଇସା ଥିବା ବେଳେ ଏଥିରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ମିଶିଛି ୩୨ଟଙ୍କା ୯୦ ପଇସା । ସେହିପରି ରାଜ୍ୟ ଭାଟ୍ ଆକାରରେ ୨୩ଟଙ୍କା ୪୦ ପଇସା ଗ୍ରାହକଙ୍କୁ ଦେବାକୁ ପଡୁଥିବା ବେଳେ ଡିଲର କମିଶନ ରହିଛି ୩ଟଙ୍କା ୩୦ ପଇସା । ତେଣୁ ପକେଟ୍କୁ ପେଟ୍ରୋଲ ରେଟ୍ ସାଂଘାତିକ ବାଧୁଥିବା କହି କେହି କେହି ଗ୍ରାହକ ରାଗରେ ବ୍ୟାଟେରି ଗାଡ଼ି କିଣିବେ ବୋଲି ବି କହିଲେଣି ।
ଏଣେ ଶହେ ଶହେ ରେଟ୍ରେ ଦୌଡୁଥିବା ପେଟ୍ରୋଲକୁ ପଛେ ପଛେ ଗୋଡେଇଛି ଡିଜେଲ୍ । ଲିଟର ପିଛା ମାତ୍ର ୩ଟଙ୍କାର ଫରକ୍ । ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ଡିଜେଲ୍ ଲିଟର ପିଛା ୯୭ ଟଙ୍କା ଉପରେ ରହିଛି ।
ତେବେ କଣ ପାଇଁ ଏମିତି ବେଲଗାମ୍ ତୈଳ ଦର ? ବିଶେଷଜ୍ଞଙ୍କ ମତରେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି, ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ଓ ବର୍ଦ୍ଧିତ ଟିକସ କାରଣରୁ ହିଁ ବଢୁଛି ତୈଳ ଦର । ତେଣୁ ବେଲଗାମ ବୃଦ୍ଧିରେ ବ୍ରେକ୍ ଦେବାକୁ ହେଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପଦକ୍ଷେପ ନେବା ଜରୁରୀ । ସେପଟେ ଡିଜେଲ ଦର ବଢୁଥିବାରୁ ଏହାର ସିଧାସଳଖ ପ୍ରଭାବ ମାଲ୍ ପରିବହନ ଉପରେ ପଡିଲାଣି । ଟ୍ରକ୍ ମାଲିକ ସଂଘ ସଫା ସଫା କହିଲାଣି, ଭଡ଼ା ନବଢିଲେ ଗାଡ଼ି ଚଳାଇ ହେବନି । ସେପଟେ ଟ୍ରକ ଭଡ଼ା ବଢ଼ିଲେ ଏହାର ତତ୍କ୍ଷଣାତ ପ୍ରଭାବ ଅତ୍ୟାବଶ୍ୟକ ସାମଗ୍ରୀର ଦର ଉପରେ ପଡ଼ିବ ବୋଲି ଆଶଙ୍କା କଲାଣି ବ୍ୟବସାୟୀ ମହାସଂଘ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)