/odishatv-khabar/media/media_files/2026/01/20/otv-foresight-2026-2026-01-20-19-52-43.jpg)
ଦିଲ୍ଲୀରେ ଓଟିଭି ଫୋରସାଇଟ୍; Photograph: (OTV)
ବିକଶିତ ଭାରତର ଅର୍ଥ କେବଳ ଜିଡିପି ନୁହେଁ, ବରଂ ଉତ୍ତମ ସେବା ଓ ସାମଗ୍ରିକ ବିକାଶ। ନୂଆଦିଲ୍ଲୀ ଇଣ୍ଡିଆ ହାବିଟାଟ୍ ସେଣ୍ଟରରେ ପ୍ରଥମଥର ପାଇଁ ଓଟିଭି ଫୋରସାଇଟର ୧୬ତମ ସଂସ୍କରଣକୁ ଉଦ୍ଘାଟନ କରି ଏହା କହିଛନ୍ତି ଦିଲ୍ଲୀ ଉପରାଜ୍ୟପାଳ ଭି.କେ. ସକସେନା। ସେହିପରି ଅନ୍ୟାନ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମଧ୍ୟ ଅତିଥିମାନେ ନିଜସ୍ୱ ଢଙ୍ଗରେ ମତବ୍ୟକ୍ତ କରିବା ସହ ମାନସ ମନ୍ଥନ କରିଥିଲେ।
ଗୋଟିଏ ମଞ୍ଚରେ ବିବିଧ ପ୍ରସଙ୍ଗରେ ଆଲୋଚନା, ପର୍ଯ୍ୟାଲୋଚନା ଓ ନିଷ୍କର୍ସ ବାହାର କରିବାର ପ୍ରୟାସ। ବିଗତ ବର୍ଷଗୁଡ଼ିକ ଭଳି ଏଥର ବି ଓଟିଭି ଫୋରସାଇଟ୍ ୨୦୨୬ରେ ହୋଇଥିଲା ଏମିତି ଉଦ୍ୟମ। ହେଲେ ଏଥର ରାଜଧାନୀ ଭୁବନେଶ୍ୱର ନୁହେଁ ଦେଶର ରାଜଧାନୀ ଦିଲ୍ଲୀରେ ହୋଇଥିଲା ମାନସ ମନ୍ଥନ। ଆଉ ୧୬ତମ ସଂସ୍କରଣକୁ ଉଦ୍ଘାଟନ କରି ସାରଗର୍ଭକ ମତ ରଖିଥିଲେ ଦିଲ୍ଲୀର ଉପରାଜ୍ୟପାଳ ଭି.କେ. ସକସେନା। କହିଥିଲେ-ଦେଶର ପୂର୍ବ ଭାଗରେ ଆଉ ଥରେ ଉଦୟ ହେବାକୁ ଯାଉଛି ବିକଶିତ ଭାରତର ସୂର୍ଯ୍ୟ। ପୂର୍ବ ଭାଗର ବିକାଶରେ ହିଁ ଭାରତର ବିକାଶ ସମ୍ଭବ।
ସେ ଆହୁରି କହିଥିଲେ, ବିକଶିତ ଭାରତର ଅର୍ଥ କେବଳ ଜିଡିପି ନୁହେଁ, ବରଂ ଉତ୍ତମ ସେବା ଓ ସାମଗ୍ରିକ ବିକାଶ। ବିକଶିତ ଭାରତକୁ ଏକ ଟ୍ରେନ୍ ଏବଂ ରାଜ୍ୟଗୁଡ଼ିକୁ, ତାର ଇଞ୍ଜିନ ବୋଲି କହି, ସଂଘୀୟ ଶାସନ ବ୍ୟବସ୍ଥାରେ ସହଯୋଗିତାର ଆବଶ୍ୟକତା ଉପରେ ମତ ରଖିଥିଲେ ଦିଲ୍ଲୀ ଉପରାଜ୍ୟପାଳ ଭି.କେ. ସକ୍ସେନା।
ସେପଟେ ନେସନ ବିଲଡିଂ ଏ ହୋଲିଷ୍ଟିକ୍ ପ୍ରସପେକ୍ଟିଭ୍ ବା ରାଷ୍ଟ୍ର ଗଠନ: ଏକ ସାମଗ୍ରିକ ଦୃଷ୍ଟିକୋଣ ପ୍ରସଙ୍ଗ ଉପରେ ଆଲୋଚନା କରି ଦେଶ ଗଠନ ପୂର୍ବରୁ ବ୍ୟକ୍ତି ଗଠନ ଜରୁରୀ ଦର୍ଶାଇଥିଲେ ଅଧ୍ୟାତ୍ମିକ ଗୁରୁ ସଦଗୁରୁ ଶ୍ରୀ ମଧୁସୂଦନ ସାଇ। ସେ କହିଥିଲେ 'ମାନସିକ ଶାନ୍ତି ହିଁ ଜୀବନର ସବୁଠୁ ବଡ଼ ସମ୍ପତ୍ତି'। ଈଶ୍ବର ଓ ଆଧ୍ୟାତ୍ମିକତାର ସଂଜ୍ଞା ଦର୍ଶାଇ ସେ କହିଛନ୍ତି, ଯେ ବିଶ୍ବାସ ଓ ବାସ୍ତବ ଅନୁଭୂତି ହିଁ ଈଶ୍ୱର। ଈଶ୍ୱରଙ୍କୁ ନେଇ ପୌରାଣିକ ସଂଜ୍ଞା ଅପେକ୍ଷା ସତ୍ୟ, ସଚେତନତା ଓ ଆନନ୍ଦର ଉପଲବ୍ଧିକୁ ହିଁ ଈଶ୍ୱର ବୋଲି କହିଥିଲେ ଶ୍ରୀ ମଧୁସୂଦନ ସାଇ।
ଓଟିଭି ଫୋରସାଇଟରେ ସୁପର ପାୱାର ଭାରତ ଏବଂ ରାଜ୍ୟଗୁଡ଼ିକର ଭୂମିକା ପ୍ରସଙ୍ଗରେ ଆଲୋଚନା କରି ଦେଶର ଆର୍ଥିକ ସ୍ଥିତି ଓ ଗତି ସମ୍ପର୍କରେ ବିସ୍ତୃତ ଭାବେ ବାଖ୍ୟା କରିଥିଲେ ଦେଶର ବିଶିଷ୍ଟ ଶିଳ୍ପପତି ତଥା ଅର୍ଥନୀତି ବିଶେଷଜ୍ଞ ଡାଲମିଆ ଗ୍ରୁପ୍ ଅଫ୍ ହୋଲ୍ଡିଙ୍ଗ୍ସ ଚେୟାରମ୍ୟାନ୍ ଗୌରବ ଡାଲମିଆ। ସେ କହିଥିଲେ ପାଶ୍ଚାତ୍ୟ ଦେଶରେ ଏବେ ଶିଳ୍ପର ବିକାଶରେ ବିରାମ ଲାଗିଥିବା ବେଳେ ଏ କ୍ଷେତ୍ରରେ ଭାରତର ଗତି ତୀବ୍ର ହୋଇଛି।
ସେହିଭଳି ପିଏମଙ୍କ ବିକଶିତ ଭାରତ ଭିଜନରେ ସଂସ୍କୃତି ଓ ଐତିହ୍ୟର ଭୂମିକା ନେଇ ସାରଗର୍ଭକ ମତ ରଖିଥିଲେ ଫାବ୍ ଇଣ୍ଡିଆର ଚେୟାରମ୍ୟାନ୍ ୱିଲିୟମ ବିଶେଲ। ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡାଙ୍କ ସହ ଆଲୋଚନା ବେଳେ ସେ ଓଡ଼ିଶାର ମହାନ ହସ୍ତକଳାର ଭୁରି ଭୁରି ପ୍ରଶଂସା କରିଥିଲେ।
ଆରମ୍ଭରୁ ଓଟିଭିର ବାର୍ଷିକ ଚିନ୍ତନ କାର୍ଯ୍ୟକ୍ରମ ଫୋରସାଇଟ ୨୦୨୬ର ଅତିଥିଙ୍କୁ ସ୍ବାଗତ କରିବା ସହ ଫୋରସାଇଟର ଆଭିମୁଖ୍ୟ ଏବଂ ବିଶେଷକରି ପ୍ରଥମଥର ପାଇଁ ନୂଆଦିଲ୍ଲୀରେ ଆୟୋଜନର ଉଦ୍ଦେଶ୍ୟ ବଖାଣିଥିଲେ ଓଟିଭି ଏମଡି ଜଗିମଙ୍ଗତ ପଣ୍ଡା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)