/odishatv-khabar/media/post_attachments/uploadimage/library/16_9/16_9_0/high-court-2_1625303013.jpg)
high-court
ଭୁବନେଶ୍ୱର: ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ମାମଲାକୁ ନେଇ ବଡ଼ ଶୁଣାଣି କରିଛନ୍ତି ହାଇକୋର୍ଟ। ଦୁଷ୍କର୍ମ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏହି ଟଙ୍କା ୭ ଦିନ ମଧ୍ୟରେ ବ୍ୟାଙ୍କରେ ଜମା କରିବାକୁ କୋର୍ଟ କହିଛନ୍ତି। ଜଗତସିଂହପୁର କୁଜଙ୍ଗ ଥାନା ଅଞ୍ଚଳର ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ଏହି କ୍ଷତିପୂରଣ ଟଙ୍କା ଦେବାକୁ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁସାରେ, ଦୁଷ୍କର୍ମ ପରେ ଭିନ୍ନକ୍ଷମ ଯୁବତୀ ଜଣକ ଗର୍ଭବତୀ ହୋଇଥିଲେ। ଏଣୁ ଏହି ଗର୍ଭ ନଷ୍ଟ କରିବା ପାଇଁ ପୀଡ଼ିତାଙ୍କ ମାଆ ହାଇକୋର୍ଟରେ ଆବେଦନ କରିଥିଲେ। ତେବେ ଏହି ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଥିଲେ। ସୁରକ୍ଷିତ ଗର୍ଭପାତ ଅବଧି ଅତିକ୍ରମ କରିଥିବାରୁ ମେଡିକାଲ ବୋର୍ଡ ରିପୋର୍ଟ ଅନୁସାରେ ଆବେଦନକୁ ଅଗ୍ରାହ୍ୟ କରିଥିଲେ କୋର୍ଟ। ଏହା ବିରୋଧରେ ପୀଡ଼ିତାଙ୍କ ପରିବାର ଲୋକଙ୍କ ପକ୍ଷରୁ ଅତିରିକ୍ତ ସତ୍ୟପାଠ ଦାଖଲ କରାଯାଇଥିଲା। ତେବେ ଏହାକୁ ବିଚାରବିମର୍ଶ କରିବା ପରେ ହାଇକୋର୍ଟ ପୀଡ଼ିତାଙ୍କୁ ତୁରନ୍ତ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
୭ ଦିନ ମଧ୍ୟରେ ବ୍ୟାଙ୍କରେ ସ୍ଥାୟୀ ଜମା ଭାବେ କ୍ଷତିପୂରଣ ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ପୀଡ଼ିତାଙ୍କଠାରୁ ଜନ୍ମ ହେବାକୁ ଥିବା ଶିଶୁ ପାଇଁ ମଧ୍ୟ କ୍ଷତିପୂରଣ ଟଙ୍କା ପ୍ରଦାନ କରିବାକୁ ରାୟରେ କୁହାଯାଇଛି। ପୁତ୍ର ସନ୍ତାନ ହେଲେ ୩ ଲକ୍ଷ ଓ କନ୍ୟା ସନ୍ତାନ ହେଲେ ୫ ଲକ୍ଷ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଛୁଆ ଜନ୍ମ ହେବାର ୧୦ ଦିନ ମଧ୍ୟରେ ସେ ବାବଦ ଅର୍ଥ ଜମା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଅଭିଯୋଗରୁ ପ୍ରକାଶ, ଦେଢ଼ ମାସ ତଳେ କୁଜଙ୍ଗ ଥାନା ଅଞ୍ଚଳରେ ଜଣ ମାନସିକ ଭିନ୍ନକ୍ଷମ ଯୁବତୀଙ୍କୁ ତାଙ୍କ ପଡ଼ୋଶୀ ଦୁଷ୍କର୍ମ କରିଥିଲେ। ଏ ସମ୍ପର୍କରେ ପରିବାର ଲୋକେ ଜାଣିପାରିନଥିଲେ। ତେବେ ଗର୍ଭବତୀ ହେବା ଲକ୍ଷଣ ଦେଖାଦେବା ପରେ ପରିବାର ଲୋକେ ତାଙ୍କୁ ପଚାରିଥିଲେ। ପୀଡ଼ିତା ହାତ ଠାରି ଅଭିଯୁକ୍ତଙ୍କ ସମ୍ପର୍କରେ କହିଥିଲେ। ଏହା ପରେ ପୀଡ଼ିତାଙ୍କ ମାଆ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗକୁ ଭିତ୍ତିକରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ହେଲେ ଅଭିଯୁକ୍ତ ଫେରାର ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)