/odishatv-khabar/media/post_attachments/uploadimage/library/16_9/16_9_0/onion-4_1626685783.jpg)
onion
ଭୁବନେଶ୍ୱର : ହାଣ୍ଡିଶାଳ ଓ ହୋଟେଲର କିଚେନ୍ ରୁମ୍ ନୁହେଁ, ଭୋଜି ଉପରେ ବି ପିଆଜ ପ୍ରଭାବ। ବିବାହ ଭୋଜିରୁ ବାଦ୍ ପଡ଼ିଲାଣି ପିଆଜ। ପିଆଜ ଭାଉ ୧୦୦ ଛୁଇଁବା ପରେ ବ୍ରହ୍ମପୁରରେ ଏଭଳି ଘଟଣା ନଜରକୁ ଆସିଥିବା ବେଳେ ଆଉ କେଉଁଠି ପିଆଜର ବିକଳ୍ପ ଖୋଜିଲେଣି ହୋଟେଲ ବ୍ୟବସାୟୀ। ଏପଟେ କେଇ ମାସ ତଳେ ମାତ୍ର ୪ ଟଙ୍କାରେ ବିକିଥିବା ପିଆଜ ଚାଷୀ ଏବର ରେଟ୍ ଦେଖି ମୁଣ୍ଡରେ ହାତ ଦେଉଛନ୍ତି ।
ଗଲା କିଛି ଦିନ ଧରି ସମଗ୍ର ଦେଶବାସୀଙ୍କୁ କନ୍ଦାଉଥିବା ପିଆଜ ଦର ନିଆଁ ହେବା ପରେ ଖାଲି ବ୍ରହ୍ମପୁରର ମୁରଲୀ ମୋହନ କାହିଁକି ବରଂ ଆହୁରି ଅନେକ ଲୋକଙ୍କ ମନରେ ଏବେ ଏଭଳି ବିକଳ୍ପ ଚିନ୍ତା ଆସିଛି। ବ୍ରହ୍ମପୁରରେ ଏବେ ପିଆଜ କିଲୋ ପାଖାପାଖି ୧୦୦ ଟଙ୍କା। ଏଭଳି ସ୍ଥିତିରେ ଭୋଜିର ଅନ୍ୟତମ ଅତ୍ୟାବଶ୍ୟକ ସାମଗ୍ରୀ ପିଆଜକୁ ବାଦ୍ ଦେବାକୁ ସର୍ବ ସମ୍ମତିକ୍ରମେ ନିଷ୍ପତ୍ତି ନେଇଛନ୍ତି ଭୋଜି ଆୟୋଜକ।
ହୋଟେଲଗୁଡ଼ିକରେ ଏବେ ପିଆଜର ସ୍ଥାନ ନେଇଛି ମୂଳା ଓ କାକୁଡ଼ି। ସଠିକ୍ ବିକଳ୍ପ ନହେଲେ ବି ଆକାଶ ଛୁଆଁ ଦରକୁ ଡରି ମୂଳା ଓ କାକୁଡ଼ି ଜରିଆରେ ଗ୍ରାହକଙ୍କ ପିଆଜ ଅଭାବକୁ ପୂରଣ କରୁଛନ୍ତି ହୋଟେଲ କର୍ମଚାରୀ।
ଓଡ଼ିଶାରେ ପିଆଜର ଅହେତୁତ ଦର ବୃଦ୍ଧିର ତିକ୍ତ ଅନୁଭୂତି ଆଗରୁ ବି ଅନେକ ଥର ଖାଉଟିଙ୍କ ଭାଗ୍ୟରେ ଜୁଟିଛି । ହେଲେ ଅନେକଙ୍କ ମତରେ ଚଳିତ ବର୍ଷର ରେକର୍ଡ ୧୦୦ ଟଙ୍କା ଦର ଆଗରୁ କେବେ ଦେଖିବାକୁ ମିଳିନଥିଲା । ଏପଟେ ଓଡ଼ିଶାର ନାସିକ୍ କୁହାଯାଉଥିବା ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଜି ଓ ଟିଟିଲାଗଡର ଚାଷୀଙ୍କ ମନରେ ଅନେକ କ୍ଷୋଭ। କାରଣ ମାତ୍ର କେଇ ମାସ ତଳେ କିଲୋ ପ୍ରତି ୪ଟଙ୍କାରେ ପିଆଜ ବିକ୍ରି ଅଭାବି ବିକ୍ରିର ଶିକାର ହୋଇଥିଲେ। ହେଲେ ଆଜି ନିଜ ଆବଶ୍ୟକତା ପାଇଁ ସେମାନଙ୍କୁ ୨୫ ଗୁଣା ଅଧିକ ଅର୍ଥ ଦେବାଟା ଖାଲି ବାଧୁନି। ବରଂ ଆମ ଅନ୍ତସାର ଶୂନ୍ୟ ବ୍ୟବସ୍ଥା ଓ ଦିଶାହୀନ ଯୋଜନାର ପ୍ରତି ଉପହାସ ବୋଲି ସେମାନଙ୍କ ମତ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)