/odishatv-khabar/media/post_attachments/uploadimage/library/16_9/16_9_0/medicine-3_1621091285.jpg)
medicine
ଭୁବନେଶ୍ଵର: ମହାମାରୀର ମଉକା ଦେଖି ମାତିଛନ୍ତି ମୁନାଫାଖୋର୍। କରୋନା କଷ୍ଟବେଳେ ଚଳାଇଛନ୍ତି ବେଧଡ଼କ କଳାବଜାରୀ। ଅକ୍ସିଜେନ୍ ସିଲିଣ୍ଡରଠୁ ଆମ୍ବୁଲାନ୍ସ ଯାଏଁ, ସେବା ନାଁରେ ଚଳାଇଛନ୍ତି ଶୋଷଣର ଗୋଲକଧନ୍ଧା। ଭୁବନେଶ୍ୱର ପ୍ରଶାନ୍ତି ବିହାରର ରତିକାନ୍ତ ନାୟକ। କମ୍ ବେତନ ପାଉଥିବା ଏକ ଛୋଟମୋଟ ଘରୋଇ ସ୍କୁଲର ଶିକ୍ଷକ। କ୍ୟାପିଟାଲ୍ ହସ୍ପିଟାଲରୁ ପ୍ରଶାନ୍ତି ବିହାର ଯାଏଁ ଘରୋଇ ଆମ୍ବୁଲାନ୍ସରେ ସମ୍ପର୍କୀୟଙ୍କୁ ନେବା ଯାଏଁ ଗଣିଛନ୍ତି ତିନିଗୁଣା ଟଙ୍କା। କରୋନା ମାଡ଼ିବା ର୍ପୂବରୁ ୫ଶହରୁ ୬ଶହ ଟଙ୍କା ଥିଲା ଭଡ଼ା। କିନ୍ତୁ ହାଉଜାଉ ହେଉଥିବା କରୋନାର ଦ୍ୱିତୀୟ ଲହର ବେଳକୁ କ୍ୟାପିଟାଲ୍ ହସ୍ପିଟାଲ୍ରୁ ପ୍ରଶାନ୍ତି ବିହାର ଯାଏଁ ୧୦ କିଲୋମିଟର୍ ଦୂରକୁ ଆମ୍ବୁଲାନ୍ସ ଭଡ଼ା ଗଣିଛନ୍ତି ୧୫ ଶହ ଟଙ୍କା। ଆମ୍ବୁଲାନ୍ସ ଡ୍ରାଇଭର ବି ସ୍ବୀକାର କରିଛନ୍ତି। କହିଛନ୍ତି- ଏବେ ଟିକେ ଭଡ଼ା ବଢ଼ିଛି।
ଆମ୍ବୁଲାନ୍ସ କଥା ଛାଡ଼ନ୍ତୁ, ଜରୁରୀକାଳୀନ ସ୍ଥିତିରେ ଜୀବନ ରକ୍ଷାକାରୀ ସାମଗ୍ରୀ ଅକ୍ସିଜେନ୍ ଉପରେ ଆଖି ପକାଇଛନ୍ତି କଳାବଜାରୀ। କରୋନା ପୂର୍ବରୁ କେବେ କେମିତି ଅକ୍ସିଜେନ୍ ଲୋଡ଼ା ପଡୁଥିଲା କିନ୍ତୁ କରୋନାର ଦ୍ୱିତୀୟ ଲହରରେ ଏକପ୍ରକାର ଅପରିହାର୍ଯ ହୋଇପଡ଼ିଛି ଅକ୍ସିଜେନ୍। ଏହି ଆବଶ୍ୟକତାକୁ ଦେଖି ଅକ୍ସିଜେନ ରେଗୁଲେଟରଠୁ ଆରମ୍ଭ କରି ଅକ୍ସିମିଟର୍ ଯାଏଁ ବିକ୍ରି ହେଉଛି ମନଇଛା ଦରରେ।
୨ ମାସ ତଳେ ଅକ୍ସିଜେନ ରେଗୁଲେଟର ମିଳୁଥିଲା ୧୨ ଶହରୁ ୧୫ ଶହ ଟଙ୍କାରେ। ଏବେ ୪ ହଜାର ଦେଲେ ବି ମିଳିବା କଷ୍ଟ। ଯେଉଁ ଅକ୍ସିଜେନ ମାସ୍କ ୫୦/୬୦ ଟଙ୍କାରେ ମିଳୁଥିଲା, ତାହା ଏବେ ୪ ଶହ ଉପରେ। ଏଭଳି ସ୍ଥିତିରେ ଅକ୍ସିଜେନ ସିଲିଣ୍ଡର ଏବଂ କନ୍ସେନଟ୍ରେଟର କଥା ନ କହିବା ଭଲ। ଏଭଳି କଳାବଜାରୀକୁ ବ୍ୟବସାୟୀ ବି ସ୍ବୀକାର କରିଥିବାବେଳେ ଔଷଧ ଦୋକାନୀ ସଂଘ ବି ସରକାରଙ୍କ ଦୃଢ଼ ପଦକ୍ଷେପ ଲୋଡ଼ିଛି।
ରାଜ୍ୟରେ ଔଷଧ କଳାବଜାରୀ ଏବଂ ବେଆଇନ୍ ଭାବେ ଔଷଧ ଓ ମେଡିକାଲ ସାମଗ୍ରୀ ଗଚ୍ଛିତ କରୁଥିବା ବ୍ୟବସାୟୀଙ୍କ ବିରୋଧରେ କଡ଼ା କାର୍ଯାନୁଷ୍ଠାନ ଲାଗି ବିଜ୍ଞପ୍ତି ଜାରି କରିଥିଲା ଗୃହ ବିଭାଗ। ତାସହ ଅତିରିକ୍ତ ପୋଲିସ ଡିଜି, କ୍ରାଇମବ୍ରାଞ୍ଚ, ଯୁଗ୍ମ ସଚିବ ପ୍ୟାହାଠୁ ଉପରିସ୍ଥ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଏବଂ ଡ୍ରଗ୍ କଣ୍ଟ୍ରୋଲରଙ୍କୁ ନେଇ ଏକ କମିଟି ବି ଗଠନ କରାଯାଇଥିଲା। ଅଥଚ ସକ୍ରିୟ ରହିଛନ୍ତି କଳାବଜାରୀ। ଜୀବନ-ମରଣର ଘଡ଼ିସନ୍ଧିବେଳେ ଏହି ମୁନାଫାଖୋରଙ୍କ ବିରୋଧରେ ଆଖିଦୃଶିଆ ଦଣ୍ଡବିଧାନ ନହେଲେ ଏବଂ ଦର ଉପରେ ଅଙ୍କୁଶ ନଲଗାଇଲେ ଆଗକୁ ସ୍ଥିତି ନିୟନ୍ତ୍ରଣ ହରାଇପାରେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)