/odishatv-khabar/media/post_attachments/uploadimage/library/16_9/16_9_0/sushanta-singh_1626691336.jpg)
sushanta singh
ସୁନ୍ଦରଗଡ଼ (ବିଜୟ ବରୁଆ) : ଓଡ଼ିଶାର ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ। ବିଜେଡିର ପାୱାରଫୁଲ୍ ମନ୍ତ୍ରୀଙ୍କ ଭିତରେ ସେ ଅନ୍ୟତମ। ତାଙ୍କୁ କିଏ ବା ନଜାଣିଛି। ହେଲେ ଗତକାଲି ରାତିରେ ସେ ହଟହଟା ହୋଇଛନ୍ତି। ମନ୍ତ୍ରୀ ମହାଶୟ ଟୋଲ୍ ଫି’ ଦେବା ପରିବର୍ତ୍ତେ ନିଜର ପରିଚୟ ଦେଇଥିଲେ। ତାହା ପରେ ମଧ୍ୟ ଟୋଲ୍ ଗେଟ୍ କର୍ମଚାରୀ ଛାଡ଼ି ନଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ମନ୍ତ୍ରୀ ଶ୍ରୀ ସିଂହ ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଗେଟ୍ ପାଖରେ ଅଟକି ରହିଥିଲେ। ସୁନ୍ଦରଗଡ଼ ଆଡିସିନାଲ୍ ଏସ୍ପି ଓ ଏସ୍ଡିପିଓଙ୍କ ହସ୍ତକ୍ଷେପ ପରେ ସକାଳେ ସକାଳେ ଯାଇ ସୁନ୍ଦରଗଡ଼ ସର୍କିଟ୍ ହାଉସ୍ରେ ପହଞ୍ଚିଥିଲେ।
ଘଟଣାଟି ଏମିତି। ଆଜି ଥିଲା ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟର ହୀରକ ଜୟନ୍ତୀ। ସେଥିରେ ଯୋଗଦେବା ପାଇଁ ଗତକାଲି ବିଳମ୍ବିତ ରାତିରେ ସୁନ୍ଦରଗଡ଼ ଗସ୍ତରେ ଯାଉଥିଲେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ। ରାତି ପ୍ରାୟ ୨ଟା ହେବ। ବିଜୁ ଏକ୍ସପ୍ରେସ ୱେର ମସ୍ନିକାନୀ ସ୍ଥିତ ଟୋଲପ୍ଲାଜା ନିକଟରେ ପହଞ୍ଚିଲା ମନ୍ତ୍ରୀଙ୍କ ଗାଡ଼ି।
ଟୋଲ୍ କର୍ମଚାରୀ ଗାଡ଼ି ଅଟକାଇ ଫି’ ପୈଠ କରିବାକୁ କହିଥିଲେ। ମନ୍ତ୍ରୀଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଗାଡ଼ିର ଓହ୍ଲାଇ “ମନ୍ତ୍ରୀ ଅଛନ୍ତି, ଗାଡି ଛାଡିଦିଅ” କହିଥିଲେ। ଟିକସ ନ ଦେଲେ ଛଡ଼ାଯିବ ନାହିଁ ବୋଲି ଟୋଲ୍ କର୍ମଚାରୀ ରୋକଠୋକ୍ ମନା କରି ଦେଇଥିଲେ। ଯାହାକୁ ନେଇ ମନ୍ତ୍ରୀଙ୍କ ସୁରକ୍ଷାକର୍ମୀ ଅଡୁଆରେ ପଡ଼ି ଯାଇଥିଲେ। ଶେଷରେ ମନ୍ତ୍ରୀ ସୁଶାନ୍ତ ସିଂହ ଗାଡ଼ିରୁ ଓହ୍ଲାଇ ଟୋଲ୍ କର୍ମଚାରୀଙ୍କୁ ମନ୍ତ୍ରୀ ବୋଲି ନିଜର ପରିଚୟ ଦେଇଥିଲେ। ତଥାପି ଟୋଲ କର୍ମଚାରୀ ଟିକସ ନ ଦେଲେ ଗାଡି ଛଡ଼ାଯିବ ନାହିଁ ବୋଲି କହିଥିଲେ। ଏହି କଥାକୁ ନେଇ ଟୋଲ କର୍ମଚାରୀ ଓ ମନ୍ତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପାଖାପାଖି ୨ ଘଣ୍ଟା ଧରି ମନ୍ତ୍ରୀ ମହାଶୟ ଟୋଲ୍ ପ୍ଲାଜା ପାଖରେ ଅଟକି ରହିଥିଲେ।
ସବୁଆଡୁ ନିରାଶ ହେବା ପରେ ମନ୍ତ୍ରୀ ମହାଶୟ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ପାଖକୁ ଫୋନ୍ କରିଥିଲେ। ମାତ୍ର ସେ ଫୋନ୍ ରିସିଭ୍ କରିନଥିଲେ! ପରେ ମନ୍ତ୍ରୀ ଶ୍ରୀ ସିଂହ ଏସପିଙ୍କୁ ଫୋନ୍ କରି ଘଟଣା ସମ୍ପର୍କରେ ଜଣାଇଥିଲେ। ସୁନ୍ଦରଗଡ଼ ଆଡିସିନାଲ୍ ଏସ୍ପି ଓ ଏସ୍ଡିପିଓ ଫୋର୍ସ ଧରି ଟୋଲ୍ ଗେଟ୍ ପାଖରେ ପହଞ୍ଚିଥିଲେ।
ଟୋଲ୍ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରି ମନ୍ତ୍ରୀ ଶ୍ରୀ ସିଂହ ରାଗି ବସିଥିଲେ। ପୁଲିସ ଏହି ଘଟଣାରେ ଟୋଲ୍ ପ୍ଲାଜାର ଫୁଟେଜ ଯାଞ୍ଚ କରି ତିନି ଜଣ କର୍ମଚାରୀଙ୍କୁ ଗିରଫ କରିଥିଲେ। ଆଉ ତା’ପରେ ସକାଳେ ସକାଳେ ସ୍ଥାନୀୟ ସର୍କିଟ ହାଉସରେ ପହଞ୍ଚି ଥିଲେ ମନ୍ତ୍ରୀ। ଏହା ପରେ ମଧ୍ୟ ମନ୍ତ୍ରୀଙ୍କ ରାଗ ଶାନ୍ତ ହୋଇନଥିଲା। ଏକଥା ଜାଣିବା ପରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଜିଲ୍ଲାପାଳ ନିଖଲ ପବନ କଲ୍ୟାଣ, ରାଉରକେଲା ବିଧାୟକ ସାରଦା ନାୟକ ଓ ସୁନ୍ଦରଗଡ଼ ସଦର ବିଧାୟକ କୁସୁମ ଟେଟେ ସର୍କିଟ ହାଉସ୍ରେ ପହଞ୍ଚି ମନ୍ତ୍ରୀଙ୍କ ମାନସ ଭଞ୍ଜନ କରିଥିଲେ। ପରେ ମନ୍ତ୍ରୀ ସରକାରୀ ମହାବିଦ୍ୟାଳୟର ହୀରକ ଜୟନ୍ତୀରେ ଯୋଗଦେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)