Advertisment

Odisha Government Extends Chit Fund Refund Deadline: ବଢ଼ିଲା କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ ଅବଧି, କ୍ଷୋଭ ଝାଡ଼ିଲେ ଅପେକ୍ଷାରତ ଇନଭେଷ୍ଟର୍ସ

ବଢ଼ିଲା କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ ଅବଧି। ମାର୍ଚ୍ଚ ୩୧ ଯାଏଁ ବଢ଼ିଲା ଟଙ୍କା ଫେରସ୍ତ ଅବଧି। ଚିଟଫଣ୍ଡ କ୍ଷତିଗ୍ରସ୍ତ ବଡ଼ ଜମାକାରୀଙ୍କ ପଡୁନି ପାଳି। କ୍ଷୋଭ ଝାଡ଼ିଲେ ଅପେକ୍ଷାରତ ଇନଭେଷ୍ଟର୍ସ। କ୍ଷତିଗ୍ରସ୍ତ ମିଳିତ ମଞ୍ଚର ଆନ୍ଦୋଳନ ଚେତାବନୀ

author-image
Pramod Behera
Odisha Government Extends Chit Fund Refund Deadline

ବଢ଼ିଲା କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ ଅବଧି Photograph: (OTV)

ଚିଟ୍ଫଣ୍ଡ କ୍ଷୁଦ୍ର ଜମାକାରୀଙ୍କ ଟଙ୍କା ଫେରସ୍ତ ଅବଧିକୁ ବଢାଇଲେ ରାଜ୍ୟ ସରକାର। ଜାନୁଆରୀ ୩୧ ବଦଳରେ ମାର୍ଚ୍ଚ ୩୧ ଯାଏଁ ଜାରି ରହିବ ଟଙ୍କା ଫେରସ୍ଥ ପ୍ରକ୍ରିୟା। କିନ୍ତୁ ବଡ ଜମାକାରୀଙ୍କ ପାଳି କେବେ ତାକୁ ନେଇ ଉଠିଛି ପ୍ରଶ୍ନ। ରାଜ୍ୟରେ ପ୍ରାୟ ୭୦ ଲକ୍ଷ ଚିଟଫଣ୍ଡ କ୍ଷତିଗ୍ରସ୍ତ ଥିବା ବେଳେ ଏଯାଏଁ ୩ ଲକ୍ଷରୁ ଉର୍ଦ୍ଧ୍ୱ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ ହୋଇଛି। ଆଉ ୫ ଲକ୍ଷ କ୍ଷୁଦ୍ର କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇବା ପ୍ରକ୍ରିୟା ଜାରି ରହିଛି। ହେଲେ ବଡ ଜମାକାରୀଙ୍କ କଥା ଯେମିତି ସମ୍ପୂର୍ଣ୍ଣ ଭୁଲି ଯାଇଛନ୍ତି ସରକାର। ଯାହାକୁ ନେଇ ଆନ୍ଦୋଳନ ଚେତାବନୀ ଦେଇଛି ଚିଟଫଣ୍ଡ କ୍ଷତିଗ୍ରସ୍ତ ମିଳିତ ମଞ୍ଚ।

Advertisment

ଚିଟଫଣ୍ଡ ବଡ ଜମାକାରୀଙ୍କୁ ପାଳି କେବେ ? କେବେ ସେମାନେ ଫେରି ପାଇବେ ଟଙ୍କା ? ସରକାରକୁ ଆସିବାର ଦେଢ଼ବର୍ଷ ଭିତରେ ଟଙ୍କା ଫେରାଯିବ ବୋଲି ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲା ବିଜେପି। ଆଉ ଏବେ କ୍ଷୁଦ୍ର ଜମାକାରୀଙ୍କ ଟଙ୍କା ଫେରସ୍ତ ଅବଧିକୁ ବଢାଇବା ନିଷ୍ପତ୍ତି ପରେ ଉଠିଛି ଏମିତି ପ୍ରଶ୍ନ। ଏ ହେଉଛନ୍ତି ବାଲେଶ୍ୱରର ସୁଜାତା ଦାସ। ପନ୍ଦର ବର୍ଷ ତଳେ ଜୀବନର ବଡ ପୁଞ୍ଜି ୪୦ ଲକ୍ଷ ଟଙ୍କା ଚିଟଫଣ୍ଡରେ ନିବେଶ କରି ଏବେ ହନ୍ତସନ୍ତ ହେଉଛନ୍ତି। 

ଆଶା ଥିଲା ବିଜେପି ସରକାରକୁ ଆସିଲେ ଟଙ୍କା ଫେରିପାଇବେ କିନ୍ତୁ ଦେଢ ବର୍ଷ ପରେ ବି ସରକାର ବଡ ଜମାକାରୀଙ୍କୁ କାହିଁକି ଭୁଲିଗଲେ ବୋଲି ପ୍ରଶ୍ନ କରିଛନ୍ତି। ସେମିତି ସହଦେବଖୁଣ୍ଟାର କନକଲତା ପାତ୍ର। ଚିଟଫଣ୍ଡରେ ଦେଢ଼ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ବୁଡ଼ିଛି, ହେଲେ ତାଙ୍କ ପାଳି କେବେ ଆସିବ ସେ ବି ଚିନ୍ତାରେ। ଚିଟଫଣ୍ଡ କ୍ଷତିଗ୍ରସ୍ତ ଆବାହକ ମିଳିତ ମଞ୍ଚ ମଧ୍ୟ ଦାବି କରିଛି ଯେଉଁ କମ୍ପାନୀ ଗୁଡିକର ସମ୍ପତ୍ତି ଜବତ ହୋଇଥିଲା, ତାକୁ ବାଜ୍ୟାପ୍ତ କରି ବଡ଼ ଜମାକାରୀଙ୍କୁ ଟଙ୍କା ଫେରାନ୍ତୁ। ତାପୂର୍ବରୁ ତହସିଲ ଦ୍ୱାରା ବଡ ଜମାକାରୀଙ୍କୁ ମଧ୍ୟ ଚିହ୍ନଟ କରାଯାଉ ନହେଲେ ଆନ୍ଦୋଳନକୁ ଓହ୍ଲେଇବ ମଞ୍ଚ। 

Advertisment

ରାଜ୍ୟରେ ପ୍ରାୟ ୭୦ ଲକ୍ଷ ଚିଟଫଣ୍ଡ ଜମାକାରୀ ରହିଛନ୍ତି। ୨୦୧୩ ମସିହାରେ ଜମାକାରୀଙ୍କୁ ଚିହ୍ନଟ କରିବାକୁ କମିଶନ ବସାଇଥିଲେ ପୂର୍ବ ସରକାର। ଏହା ଭିତରେ ଜଷ୍ଟିସ ଏମଏମ ଦାସଙ୍କ କମିଶନ ୭ଟି ଆନ୍ତରୀଣ ରିପୋର୍ଟ ଦାଖଲ କରିଛନ୍ତି। ୪୫୦ ଚିଟଫଣ୍ଡ କମ୍ପାନୀ ଦ୍ୱାରା ଠକେଇ ହୋଇଥିବା ପାଖାପାଖି ୮ ଲକ୍ଷ ୮୬ ହଜାର ଆବେଦନ କମିଶନଙ୍କ ନିକଟକୁ ଆସିଥିଲା। ସେଥିରୁ ୪ ଲକ୍ଷ ୯୭ ହଜାର କ୍ଷୁଦ୍ର ଜମାକାରୀ ଚିହ୍ନଟ କରିଥିଲେ କମିଶନ।

ବିଜେଡି ସରକାର ୨୦୧୪ରୁ ୨୦୨୪, ୧୦ବର୍ଷ ମଧ୍ୟରେ ୨ ଲକ୍ଷ ୭୯ ହଜାର ୧୦୯ ଜଣଙ୍କୁ ଟଙ୍କା ଫେରସ୍ତ କରିଥିବା ବେଳେ, ବିଜେପି ସରକାର ଆସିବାର ବର୍ଷ ମଧ୍ୟରେ ୧ ଲକ୍ଷ ୨୬ ହଜାର ୧୩୭ ଜଣଙ୍କୁ ୪୭ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଫେରସ୍ତ କରିଛନ୍ତି। ଏହା ସହ ଆଉ ୫ ଲକ୍ଷ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ ନେଇ ଡିସେମ୍ବରରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ବଡ ଜମାକାରୀଙ୍କୁ ମଧ୍ୟ ଖୁବଶୀଘ୍ର ଟଙ୍କା ଫେରସ୍ତ କରାଯିବ ବୋଲି କହିଛନ୍ତି ବିଜେପି ବିଧାୟକ ଅଶୋକ ମହାନ୍ତି।

ରାଜ୍ୟର ସମସ୍ତ ଜମାକାରୀଙ୍କୁ ଟଙ୍କା ଫେରସ୍ତ ନେଇ ରାଜ୍ୟ ସରକାର ନୂଆ ନିର୍ଦ୍ଦେଶବଳୀ ପ୍ରସ୍ତୁତ କରିଥିବା ନିକଟରେ ବିଧାନସଭାରେ ଲିଖିତ ଉତ୍ତର ରଖିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଯଦିଓ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। କିନ୍ତୁ ବଡ ଜମାକାରୀଙ୍କ ଭାଗ୍ୟ ଏବେ ବି ଅନ୍ଧାରରେ। 

Odisha Chit Fund Scam Chit-fund Odisha News
Advertisment
Advertisment