Advertisment

Environmental Rule Violation: ବାୟୁ ପ୍ରଦୂଷଣରେ ଓଡ଼ିଶା ଆକ୍ତାମାକ୍ତା; ନିୟମ ଗୋଟିଏ ପଟେ, ଧଜ୍ଜିଆ ଉଡୁଛି ଆରପଟେ

ନିୟମ ଗୋଟିଏ ପଟେ, ଧଜ୍ଜିଆ ଉଡୁଛି ଆରପଟେ। ବାୟୁ ପ୍ରଦୂଷଣକୁ ନେଇ ଉଦବେଗ ପରେ ତାକୁ ରୋକିବା ପାଇଁ ସରକାରୀ ନିର୍ଦ୍ଦେଶନାମା ସତ୍ତ୍ବେ କେହି ଯେମିତି ମାନିବାକୁ ନାରାଜ। ସବୁ ନିୟମ କାନୁନକୁ ଜଳାଞ୍ଜଳି ଦେଇ କେଉଁଠି ତିଆରି କରାଯାଉଛି ସରକାରୀ କୋଠାବାଡ଼ି ତ ଆଉ କେଉଁଠି ବେଧଡ଼କ କଟାଯାଉଛି ଗଛ।

author-image
Pramod Behera
Environmental Rule Violation

ବାୟୁ ପ୍ରଦୂଷଣରେ ଓଡ଼ିଶା ଆକ୍ତାମାକ୍ତା Photograph: (OTV)

ନିୟମ ଗୋଟିଏ ପଟେ, ଧଜ୍ଜିଆ ଉଡୁଛି ଆରପଟେ। ବାୟୁ ପ୍ରଦୂଷଣକୁ ନେଇ ଉଦବେଗ ପରେ ତାକୁ ରୋକିବା ପାଇଁ ସରକାରୀ ନିର୍ଦ୍ଦେଶନାମା ସତ୍ତ୍ବେ କେହି ଯେମିତି ମାନିବାକୁ ନାରାଜ। ଦୁର୍ଭାଗ୍ୟର କଥା ହେଉଛି, ସବୁ ନିୟମ କାନୁନକୁ ଜଳାଞ୍ଜଳି ଦେଇ କେଉଁଠି ତିଆରି କରାଯାଉଛି ସରକାରୀ କୋଠାବାଡ଼ି ତ ଆଉ କେଉଁଠି ବେଧଡ଼କ କଟାଯାଉଛି ଗଛ। ନା କେହି ତଦାରଖ କରୁଛି, ନା ନିୟମ ଜଗିବାକୁ କିଏ ଅଛି। AQI ଇଣ୍ଡେକ୍ସ ଡେଞ୍ଜର ଜୋନରେ ଥିବା କଟକ ହେଉ କି ଭୁବନେଶ୍ବର, ଅନୁଗୁଳ ହେଉ କି ବାଲେଶ୍ବର। ସବୁଠି ନିୟମ ଉଲଂଘନର ଅଭାବନୀୟ ଚିତ୍ର। 

Advertisment

ସରକାର କହିଥିଲେ ଆବର୍ଜନା ପୋଡ଼ିଲେ ହେବ ଜରିମାନା... ହେଲେ  ହୁତୁହୁତୁ ହୋଇ ଜଳୁଛି ନିଆଁ, ମାଡ଼ିଚାଲିଛି ଧୂଆଁ। ଏକଥା ବି କହିଥିଲେ ସନ୍ଧ୍ୟା ୬ରୁ ସକାଳ ୧୦ ଯାଏଁ ହେବନି କୌଣସି ନିର୍ମାଣ କାମ। ହେଲେ ସକାଳ ୧୦ ଯାଏଁ ଆଉ କେହି ଜଗୁ ନାହାଁନ୍ତି, ରାତି ପାହିଲା କ୍ଷଣି ଧଡ଼ାଧଡ଼ ଚାଲିଛି ନିର୍ମାଣ କାମ। ବେଶୀ ଦୂର ନୁହେଁ, ସରକାରଙ୍କ ନାକ ତଳେ ହିଁ ନିୟମର ହେଉଛି ଖୋଲା ଉଲଂଘନ। MLA କଲୋନୀ ଏହାର ଉଦାହରଣ। ଏଠି ହାଲୋଜିନ୍ ଲାଇଟ ଲଗାଇ ରାତି ତମାମ ନିର୍ମାଣ କାମ କରିବା ପରେ ଦିନ ତମାମ ଅହରହ ଚାଲିଛି ନିର୍ମାଣ କାର୍ଯ୍ୟ। 

ଖାଲି ଭୁବନେଶ୍ୱର ନୁହେଁ, କଟକ ସହର ଭିତରେ ବି ସମାନ ଦଶା। ନିୟମର ଖୋଲା ଉଲଂଘନ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତଥା ସିଟି ହସ୍ପିଟାଲର ବିଲଡିଂ ତିଆରି ହେଉଛି। ଏଠାରେ ବି କଟକଣା ସମୟ ସକାଳ ୧୦ଟା ପୂର୍ବରୁ ହିଁ ହେଉଛି କାମ। ଗ୍ରୀନ୍ କଭର୍ ନ ଘୋଡ଼ାଇ ଏଭଳି ନିର୍ମାଣ କାମ ଚାଲିଛି ଅନବରତ। 

Advertisment

ଏୟାର କ୍ୱାଲିଟି ଇଣ୍ଡେକ୍ସର ଡେଞ୍ଜର ଜୋନରେ ରହିଛି ରାଜ୍ୟର ୭ ସହର। ଟ୍ୱିନସିଟି ସମେତ ତାଳଚେର, ଅନୁଗୁଳ, ବାଲେଶ୍ୱର, କଳିଙ୍ଗନଗର, ରାଉରକେଲା ଆଦି ରହିଛି ତାଲିକାରେ। ଅର୍ଥାତ ଏସବୁ ସ୍ଥାନରେ ଚିନ୍ତାଜନକ ସ୍ଥିତିକୁ ଆସିଗଲାଣି ବାୟୁ ପ୍ରଦୂଷଣ। ଅଥଚ ବାଡ଼ ଫସଲ ଖାଇଲା ଭଳି ବାଲେଶ୍ୱର ଜିଲ୍ଲାପାଳଙ୍କ ଅଫିସରେ ଗଡ଼ିବାରେ ଲାଗିଥିଲା ଗୋଟିଏ ପରେ ଗୋଟିଏ ଗଛ। ନିୟମ ଜାରି ହେବାର ଦ୍ୱତୀୟ ଦିନରେ ବି ସରକାରୀ ସ୍ତରରେ ଉଡ଼ିଲା ଧଜିଆ। ପାଣି ଟାଙ୍କି ତିଆରି କରିବେ ବୋଲି ୩୦ଟି ଗଛ କାଟି ପଦା କରାଯାଉଥିଲା। ତେବେ ଓଟିଭିରେ ଖବର ପ୍ରସାରଣ ପରେ ଗଛକଟାକୁ ବନ୍ଦ କଲେ ଜିଲ୍ଲାପାଳ। 

ପ୍ରଦୂଷଣ କ୍ଷେତ୍ରରେ ଦେଶରେ ରେକର୍ଡ କରୁଥିବା ଶିଳ୍ପନଗରୀ ତାଳଚେରର ଏହି ଦୃଶ୍ୟକୁ ଥରେ ଦେଖନ୍ତୁ। ଧୂଳି ଆଉ ଧୂଆଁରେ ଆକ୍ତାମାକ୍ତା ଚତୁର୍ଦ୍ଦିଗ। ବଢୁଛି ରୋଗ ବୈରାଗ। ସ୍ଥିତିକୁ ଦେଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରଶାସନ ନାନା କଟକଣା ଲଗାଇବା ସହ କେଉଁଠି ରାସ୍ତା ଉପରେ ପାଣି ସିଞ୍ଜନ କରୁଛି ତ ଆଉ କେଉଁଠି ଗଳିକନ୍ଦି ବୁଲି ଡାକବାଜି ଯନ୍ତ୍ର ସହାୟତାରେ କୋଇଲା ଜାଳିବାକୁ ବାରଣ କରୁଛି। ଭରତପୁର ସମେତ ଡେରାରୁ ହାଣ୍ଡିଧୂଆ ଯାଏଁ ରାସ୍ତା ଉପରେ ପାଣି ସିଞ୍ଚନ କରାଯାଉଛି। ତେବେ ବର୍ଷ ବର୍ଷ ଧରି ପ୍ରଦୂଷଣ ଭିତରେ ରୁନ୍ଧି ହେଉଥିବା ତାଳଚେରବାସୀଙ୍କ ଦାବି, ଖାଲି ନିର୍ଦ୍ଦେଶନାମା ଜାରି କରିଦେଲେ କି ପାଣି ସିଞ୍ଚନ କରିଦେଲେ ହେବନାହିଁ। ଚାରିଆଡ଼େ ଉଡୁଥିବା ପାଉଁଶକୁ ସବୁଦିନ ପାଇଁ ଆଗ ବନ୍ଦ କର। 

ଗୋଟିଏ ପଟେ ଚିନ୍ତା ବଢ଼ାଇଛି ସାଂଘାତିକ ବାୟୁ ପ୍ରଦୂଷଣ, ଆରପଟେ ସରକାରୀ ସ୍ତରରେ ସରକାରଙ୍କ ନିୟମର ଉଡୁଛି ଧଜିଆ। ଏଭଳି ସ୍ଥିତିରେ ଟ୍ୱିନସିଟି ସହ ରାଜ୍ୟର ପ୍ରମୁଖ ସହରଗୁଡ଼ିକ ଦିଲ୍ଲୀ ଭଳି ଦଶା ଭୋଗିବେନି ତ, ବଢ଼ିବାରେ ଲାଗିଛି ଆଶଙ୍କା। 

Air Pollution Odisha Air Pollution Forecast Environmental Protection
Advertisment
Advertisment