Advertisment

Odisha Celebrates 77th Republic Day: ସାଧାରଣତନ୍ତ୍ର ଦିବସରେ ରଙ୍ଗୀନ ସାରା ରାଜ୍ୟ, ମାଓ ଇଲାକାରେ ବି ଉଡ଼ିଲା ତ୍ରିରଙ୍ଗା

ସାଧାରଣତନ୍ତ୍ର ଦିବସରେ ରଙ୍ଗୀନ ସାରା ରାଜ୍ୟ। ଗାନ୍ଧୀମାର୍ଗରେ ରାଜ୍ୟପାଳଙ୍କ ପତ୍ତାକା ଉତ୍ତୋଳନ। ମନମୋହିଲା ରଙ୍ଗାରଙ୍ଗ ପରେଡ୍। କଟକରେ ବିକଶିତ ଓଡ଼ିଶାର ସଙ୍କେତ ଦେଲେ ମୁଖ୍ୟମନ୍ତ୍ରୀ। ମାଓ ଇଲାକାରେ ବି ଉଡ଼ିଲା ତ୍ରିରଙ୍ଗା।

author-image
Pramod Behera
Odisha Celebrates 77th Republic Day

ସାଧାରଣତନ୍ତ୍ର ଦିବସରେ ରଙ୍ଗୀନ ସାରା ରାଜ୍ୟ Photograph: (OTV)

ରାଜଧାନୀରେ ବେଶ୍ ଭବ୍ୟତାର ସହ ପାଳିତ ହୋଇଛି ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ। ରାଜ୍ୟପାଳ ପତ୍ତାକା ଉତ୍ତୋଳନ କରିବା ପରେ ପ୍ରାୟ ୧ ଘଣ୍ଟା ଧରି ରଙ୍ଗାରଙ୍ଗ ପରେଡ୍ ପ୍ରଦର୍ଶିତ ହୋଇଥିଲା। ସେହିପରି କଟକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପତାକା ଉତ୍ତୋଳନ କରି ବିକଶିତ ଓଡ଼ିଶା କିଭଳି ଆଗକୁ ବଢୁଛି ତାହା ବଖାଣିଥିଲେ। ମାଓ ଇଲାକାରେ ବି କଡ଼ା ସୁରକ୍ଷାରେ ପାଳିତ ହୋଇଛି ଗଣତନ୍ତ୍ର ଦିବସ।

Advertisment

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବ ପାଳନ ପାଇଁ ଆଜି ପୁଲକିତ ଥିଲା ରାଜଧାନୀ। ମହାତ୍ମାଗାନ୍ଧୀ ମାର୍ଗରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ। ଜାତୀୟ ସଂଗୀତ ଗାନ ପରେ ପରେ ୟଙ୍ଗ୍ IPS ରାକେଶ ସାହୁଙ୍କ ନେତୃତରେ ଆରମ୍ଭ ହୋଇଥିଲା ରଙ୍ଗାରଙ୍ଗ ପରେଡ୍। ଏଥର ମୋଟ୍ ୫୧ଟି କଣ୍ଟିଜେଣ୍ଟ ଭାଗ ନେଇଥିଲେ। ସାମିଲ ହୋଇଥିଲେ SOG, 120 ବାଟାଲିଅନ୍, SSB, CRPF ଯବାନଙ୍କ ସହ NCC କ୍ୟାଡେଟ୍। 

ପରେ ସ୍କେଟିଂ କୌଶଳ ସହ ଡ଼େୟାର ଡ଼େଭିଲ ଶୋ ବେଶ୍ ଚିତାକର୍ଷକ ହୋଇଥିଲା। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଲୋକକଳା ଯେପରିକି ମୟୁରଭଞ୍ଜ ଛଉ ନୃତ୍ୟ ସହ ୫ଟି ସାଂସ୍କୃତିକ ଦଳଙ୍କ ନୃତ୍ୟ ବି ମନ ମୋହିଥିଲା। ବିଭିନ୍ନ ବିଭାଗର ୧୪ଟି ପ୍ରଜ୍ଞାପନ ମେଢ଼ ଉତ୍ସବକୁ ଅଧିକ ରଙ୍ଗୀନ କରିଥିଲା। ସୁରକ୍ଷା ଦାୟିତ୍ୱରେ ଥିଲେ ୨୩ ପ୍ଲାଟୁନ ଫୋର୍ସ। 

Advertisment

ସେମିତି କଟକରେ ବି ଧୁମଧାମରେ ପାଳିତ ହୋଇଛି ୭୭ତମ ସାଧାରଣତନ୍ତ୍ର ଦିବସ। ବାରବାଟୀ ଷ୍ଟାଡିୟମରେ ଆୟୋଜିତ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପତ୍ତାକା ଉତ୍ତୋଳନ ପରେ ମୁଖ୍ୟମନ୍ତ୍ରୀ ରଙ୍ଗାରଙ୍ଗ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ଭାବେ ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ ଓ କଟକ ଜିଲ୍ଲାପାଳ ପ୍ରମୁଖ ଯୋଗ ଦେଇଥିଲେ। ।

ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ ରାଜ୍ୟରେ ବିଶ୍ୱସ୍ତରୀୟ ଶିକ୍ଷା ଭିତ୍ତିଭୂମି ତିଆରି ହେଉଥିବା ସୂଚନା ଦେଇଥିଲେ। ତାସହ ମହିଳା ହିଂସାକାରୀଙ୍କ ପ୍ରତି ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରୁଥିବା ବି କହିଥିଲେ।

ସେହିପରି ପୁରୀ ତାଳବଣିଆ ସ୍ପୋର୍ଟସ କମ୍ପ୍ଲେକ୍ସରେ ଆୟୋଜିତ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେଇ ପତାକା ଉତ୍ତୋଳନ ସହ ଭବ୍ୟ ପରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ। ସେମିତି ଖୋର୍ଦ୍ଧାରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଅତିଥି ଭାବେ ଯୋଗଦେଇ ପତ୍ତାକା ଉତ୍ତୋଳନ କରିଥିବାବେଳେ ବ୍ରହ୍ମପୁରରେ ଦକ୍ଷିଣାଞ୍ଚଳ RDC ସଂଗ୍ରାମ କେଶରୀ ମହାପାତ୍ର କରିଥିଲେ ପତାକା ଉତ୍ତୋଳନ। ବିଧାନସଭା ପରିସରରେ ବାଚସ୍ପତି ସୁରମା ପାଢ଼ୀ ଓ ହାଇକୋର୍ଟ ପରିସରରେ ମୁଖ୍ୟ ବିଚାରପତି ହରିଶ ଟଣ୍ଡନ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ।

ମାଓ ଅଞ୍ଚଳରେ ବି କଡ଼ା ସୁରକ୍ଷାରେ ପାଳିତ ହୋଇଛି ସାଧାରଣତନ୍ତ୍ର ଦିବସ। କୋରାପୁଟରେ ଉପ-ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ପତ୍ତାକା ଉତ୍ତୋଳନ କରି ସମ୍ମିଳିତ ପରେଡରେ ଅବିଭାଦନ ଗ୍ରହଣ କରିଥିଲେ। ମୋହନାରେ ସ୍ଥାନୀୟ ବିଧାୟକ ଦାଶରଥୀ ଗମାଙ୍ଗ ଓ ସୁନ୍ଦରଗଡ଼ରେ ଜିଲାପାଳ ଶୁଭଙ୍କର ମହାପାତ୍ର ପରେଡ୍ ଉତ୍ସବରେ ଅତିଥି ହୋଇଥିଲେ। 

Republic Day Celebration Republic Day Odisha News
Advertisment
Advertisment