/odishatv-khabar/media/post_attachments/uploadimage/library/16_9/16_9_0/hati-pic_1625157034.jpg)
hati-pic
ଭୁବନେଶ୍ୱର: ହାତୀ-ମଣିଷ ବିବାଦର ସମାଧାନ ସହ ହାତୀ ଉପଦ୍ରବ ରୋକିବାକୁ ବନ ବିଭାଗ କରିଥିବା ଯୋଜନା ପୂର୍ଣ୍ଣକ୍ଷମ ହେବାରେ ପାଣ୍ଠି ସାଜିଛି ବାଧକ। ବିଶେଷ କରି ପଡ଼ୋଶୀ ରାଜ୍ୟରୁ ଓଡିଶାକୁ ପଶି ଆସୁଥିବା ହାତୀ ଅନେକ ସ୍ଥାନରେ ଧନ ଜୀବନ ହାନିର ପ୍ରମୁଖ କାରଣ ସାଜୁଛନ୍ତି। ତେବେ ରାଜ୍ୟର ସ୍ଥିତି ଏଥର କୌଣସି ନୂଆ ନୁହେଁ, ବରଂ ପୂର୍ବ ବର୍ଷ ଭଳି ସମାନ ରହିଥିବା କହିଛନ୍ତି ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ।
କେତେବେଳେ ଗାଁରେ ତ କେତେବେଳେ ଧାନକ୍ଷେତରେ ହାତୀପଲ ଆତଙ୍କରାଜ ଚଳାଉଛନ୍ତି। କେଉଁଠି ହାତୀପଲକୁ ଘଉଡ଼ା ଯାଉଛି ତ ଆଉ କେଉଁଠି ଆଧୁନିକ ନିର୍ମାଣରେ ଫସି ଯାଇଛି ହାତୀ ଛୁଆ। ନୀଳଗିରିରୁ ଆରମ୍ଭ କରି ରେଢାଖୋଲ ଓ ମୟୂରଭଞ୍ଜ କରଞ୍ଜିଆ, ଝାଡ଼ଖଣ୍ଡ ସୀମାନ୍ତ କେନ୍ଦୁଝରା ସବୁଠି ହାତୀ-ମଣିଷ ବିବାଦ ଉଗ୍ର ରୂପ ଧାରଣ କରୁଛିା ବାଲେଶ୍ୱର, କେନ୍ଦୁଝର ଓ ସୁନ୍ଦରଗଡ଼ ଭଳି ସୀମାନ୍ତ ଜିଲ୍ଲାକୁ ପଡ଼ୋଶୀ ରାଜ୍ୟରୁ ହାତୀ ପଶି ଆସୁଥିବାରୁ ବନ ବିଭାଗ ଓ ସ୍ଥାନୀୟ ଜନତାଙ୍କ ପାଇଁ ଏହା ଚିନ୍ତାର କାରଣ ପାଲଟିଛିା ରାଜ୍ୟରେ ଯେତିକି ହାତୀ ରହିବା ପାଇଁ ଜଙ୍ଗଲ ଅଛି, ତାଠୁ ଅଧିକ ହାତୀ ରହୁଥିବାରୁ ଏଭଳି ଅସୁବିଧା ହେଉଛି ବୋଲି ମତ ରଖିଛନ୍ତି ହାତୀ ବିଶେଷଜ୍ଞା
ଏଭଳି ସ୍ଥିତିରେ ହାତୀ-ମଣିଷ ବିବାଦର ସମାଧାନ ପାଇଁ ରାଜ୍ୟ ବନ ବିଭାଗ କରୁଥିବା ଉଦ୍ୟମକୁ ଲାଗିଛି ଝଟ୍କା। ହାତୀ ଗତିବିଧି ସମ୍ପର୍କରେ ଆଗୁଆ ସୂଚନା ଦେବାପାଇଁ ସ୍ୱତନ୍ତ୍ର ଯନ୍ତ୍ର ପ୍ରସ୍ତୁତ କରିବାକୁ ଭୁବନେଶ୍ୱର ଆଇଆଇଟିକୁ ଦାୟିତ୍ୱ ଦିଆଯାଇଥିଲା। ତେବେ ଅର୍ଥ ଠିକ୍ ସମୟରେ ପହଞ୍ଚି ନ ପାରିବାରୁ ଏହି କାର୍ଯ୍ୟ ବହୁ ପୂର୍ବରୁ ସରିବା ପରିବର୍ତ୍ତେ ଅଧପନ୍ତରିଆ ହୋଇ ପଡ଼ିରହିଛି।
ଧାନ ଅମଳ ସମୟରେ ହାତୀଙ୍କର ଉପଦ୍ରବ ସମସ୍ତଙ୍କୁ ଆତଙ୍କିତ କରିଛି। ହାତୀ ଫସଲ ନଷ୍ଟ କଲେ ଏକର ପିଛା ୮ ହଜାର ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯାଉଛି । ତେବେ ଏହା ସମୁଦ୍ରକୁ ଶଂଖେ ବୋଲି ଅଭିଯୋଗ କରି ଏହି ରାଶିକୁ ୨୦ ହଜାର ଟଙ୍କାକୁ ବଢ଼ାଇବାକୁ ଚାଷୀମାନେ ଦାବି କରିଛନ୍ତି । କେବଳ ଚାଷଜମି ନୁହେଁ, ଅନେକ ସ୍ଥାନରେ ଜନବସତିକୁ ପଶି ଆସୁଥିବା ହାତୀ ଧନଜୀବନ ନଷ୍ଟ କରିବା ମଧ୍ୟ ଅସହ୍ୟ ହେଲାଣି ବୋଲି ଲୋକେ ଅଭିଯୋଗ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)