/odishatv-khabar/media/post_attachments/uploadimage/library/16_9/16_9_0/night-curfew_1626179633.jpg)
night curfew
ଭୁବନେଶ୍ୱର: କୋଭିଡ୍ ସଂକ୍ରମଣର ଚେନ୍ ଭାଙ୍ଗିବାକୁ ଓଡ଼ିଶାରେ କଟକଣାକୁ କଡ଼ାକଡ଼ି କରାଯାଇଛି। ଆସନ୍ତାକାଲିଠାରୁ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲାଗୁ ହେବ। ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର(ଏସ୍ଆର୍ସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ରାଜ୍ୟର ସମସ୍ତ ସହରାଞ୍ଚଳରେ ଏହି କର୍ଫ୍ୟୁ ବଳବତ୍ତର ରହିବ।
ପୂର୍ବରୁ ଛତିଶଗଡ଼ ସୀମାର ୧୦ଟି ଜିଲ୍ଲାର ସହାରାଞ୍ଚଳରେ ଲାଗୁ ହୋଇଥିବା ନାଇଟ୍ କର୍ଫ୍ୟୁର ଅବଧି ବଢ଼ିଛି। ସୀମାନ୍ତବର୍ତ୍ତୀ ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିରେ ପୂର୍ବରୁ ନାଇଟ୍ କର୍ଫ୍ୟୁ ସମୟ ରାତି ୧୦ଟାରୁ ସକାଳ ୫ଟା ଯାଏ ଥିଲା। ସେହି ସମୟ ବଦଳାଯାଇ ଏବେ ତାହା ସନ୍ଧ୍ୟା ୬ରୁ ସକାଳ ୫ ଯାଏ କରାଯାଇଛି। ସେହିପରି ଆସନ୍ତାକାଲିଠୁ ଏହି ୧୦ଟି ଜିଲ୍ଲାର ସହରାଞ୍ଚଳରେ ସପ୍ତାହାନ୍ତ ସଟ୍ଡାଉନ୍ ଲାଗୁ ପାଇଁ ମଧ୍ୟ ଘୋଷଣା କରାଯାଇଛି। ପ୍ରତି ଶନିବାର ଓ ରବିବାର ଓ୍ୱିକ୍ଏଣ୍ଡ ସଟ୍ଡାଉନ୍ ଲାଗୁ ହେବ।
ତେବେ ରାଜ୍ୟର ଅନ୍ୟ ୨୦ ଜିଲ୍ଲାର ସହରାଞ୍ଚଳରେ ମଧ୍ୟ ନାଇଟ୍ କର୍ଫ୍ୟୁ ଲାଗିବ। ୨୦ ଜିଲ୍ଲାରେ ରାତି ୯ରୁ ସକାଳ ୫ଟା ଯାଏ ଲାଗୁ ହେବ ନାଇଟ୍ କର୍ଫ୍ୟୁ। କଟକ, ଭୁବନେଶ୍ୱର ସମେତ ସମେତ ୨୦ ଜିଲ୍ଲାର ସମସ୍ତ ପୌରାଞ୍ଚଳରେ ଅନିର୍ଦ୍ଦିଷ୍ଟକାଳ ପାଇଁ ନାଇଟ୍ କର୍ଫ୍ୟୁ ଜାରି କରାଯାଇଛି।
ନାଇଟ୍ କର୍ଫ୍ୟୁ ସମୟରେ ଅତ୍ୟାବଶ୍ୟକ ସେବାକୁ ଅନୁମତି ମିଳିବ। ଏଥିସହ ସମ୍ପୃକ୍ତ ବ୍ୟକ୍ତି ବିଶେଷ ନିଜ ନିଜର ପରିଚୟପତ୍ର ଦେଖାଇ ଯିବାଆସିବା କରିପାରିବେ। ଏଥିପାଇଁ କୌଣସି ସ୍ୱତନ୍ତ୍ର ପାସ୍ ଦିଆଯିବ ନାହିଁ। ରାଜ୍ୟରେ ବଢ଼ି ଚାଲିଥିବା କରୋନା ସଂକ୍ରମଣକୁ ଦେଖି ଆଜିଠାରୁ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲାଗୁ ହେବ ବୋଲି ମୁଖ୍ୟ ଶାସନ ସଚିବ ଘୋଷଣା କରିଥିଲେ। ହେଲେ ଆସନ୍ତାକାଲିଠାରୁ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲାଗୁ ହେବାନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର(ଏସ୍ଆର୍ସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି।
କରୋନା ପାଇଁ ଆସନ୍ତା ସୋମବାରଠାରୁ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଗଡ଼ିବ ନାହିଁ ବସ୍। ରାଜ୍ୟ ମଧ୍ୟରେ ଯେଉଁ ଯାତ୍ରୀବାହୀ ବସ୍ ଚଳାଚଳ କରୁଛି ସେଥିରେ କେବଳ ସିଟ୍ରେ ହିଁ ଲୋକମାନେ ବସି ଯାତ୍ରା କରିପାରିବେ। କିନ୍ତୁ କେହି ଛିଡ଼ା ହୋଇ ଯାତ୍ରା କରିପାରିବେ ନାହିଁ।
ଦିନକରେ ରାଜ୍ୟରେ ଦୈନିକ କରୋନା ପଚିଟିଭ୍ ସଂଖ୍ୟା ୩ ହଜାର ଟପିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩,୧୦୮ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଐତିହ୍ୟସ୍ଥଳୀଗୁଡ଼ିକରେ କଟକଣା ଲଗାଯାଇଛି। ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା-ଏଏସ୍ଆଇ ପକ୍ଷରୁ ସମସ୍ତ କୀର୍ତ୍ତିରାଜିସ୍ଥଳୀକୁ ବନ୍ଦ ଘୋଷଣା କରାଯାଇଛି। ଆଜିଠାରୁ ମେ ୧୫ ତାରିଖ ଯାଏ ଏଏସ୍ଆଇ ପରିଚାଳିତ ରାଜ୍ୟର ସମସ୍ତ ଐତିହ୍ୟସ୍ଥଳୀ ବନ୍ଦ ରହିବ ବୋଲି ଘୋଷଣା ହୋଇଛି। କୋଣାର୍କର ସୂର୍ଯ୍ୟ ମନ୍ଦିର, ରାଜାରାଣୀ ମନ୍ଦିର ଆଦି ବନ୍ଦ ରହିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)